କରାଚୀ: ପାକିସ୍ତାନର ପ୍ରତିଭାବାନ ବୋଲର ମହମ୍ମଦ ଅମିର ଟେଷ୍ଟ କ୍ରିକେଟରୁ ଅପ୍ରତ୍ୟାଶିତ ଭାବେ ଅବସର ଘୋଷଣା କରିଛନ୍ତି । ସେ କେବଳ ଟି-ଟ୍ୱେଣ୍ଟି ଓ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବେ । ୨୭ ବର୍ଷୀୟ ବାମହାତୀ ପେସ୍ ତାରକା ଅମିର କ୍ୟାରିୟରରେ ଏ ପର୍ଯ୍ୟନ୍ତ ମାତ୍ର ୩୬ଟି ଟେଷ୍ଟ ଖେଳି ୧୧୯ଟି ୱିକେଟ୍ ହାସଲ କରିଛନ୍ତି ।
ଅମିରଙ୍କ କ୍ରିକେଟ୍ କ୍ୟାରିୟର ବେଶ ବିବାଦୀୟ । ସେ ବିଶ୍ୱରେ ଜଣେ ପ୍ରତିଭାବାନ ପେସ୍ ତାରକା । ମାତ୍ର ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ କରିଥିଲେ । ହେଲେ ଲର୍ଡ୍ସରେ ସ୍ପଟ୍ ଫିକ୍ସିଂ ବିବାଦ ତାଙ୍କ କ୍ୟାରିୟରକୁ ବିବାଦୀୟ କରିଦେଇଥିଲା । ସେଥିପାଇଁ ୫ ବର୍ଷ ବାସନ୍ଦ ହୋଇଥିଲେ । ଏହାପରେ ପୁଣି ଥରେ ସେ ଅନ୍ତର୍ଜାତୀୟ କ୍ୟାରିୟରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
୨୦୦୯ ମସିହା ଜୁଲାଇ ମାସରେ ଅମିର ଟେଷ୍ଟ ପଦାର୍ପଣ କରିଥିଲେ । ଏହାପରେ ୧୪ଟି ଟେଷ୍ଟ ଖେଳିବା ପରେ ଲର୍ଡ୍ସରେ ଘରୋଇ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ସ୍ପଟ୍ ଫିକ୍ସିଂ ବିବାଦରେ ଛନ୍ଦି ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ୫ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରାଯାଇଥିଲା । ଏହି ୧୪ଟି ଟେଷ୍ଟ ଖେଳି ୫୧ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ । ପୁଣି ୨୦୧୬ ଜୁଲାଇ ମାସରେ ଅମିର ବାସନ୍ଦାଦେଶ ପୂରଣ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ ଏବଂ ୨୨ଟି ଟେଷ୍ଟ ଖେଳି ୬୮ଟି ୱିକେଟ୍ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ଶ୍ରେଷ୍ଠ ବୋଲିଂ ହେଉଛି ୪ ରନ୍ ବ୍ୟୟରେ ୬ ୱିକେଟ୍ ।
ଶେଷ ୬ଟି ଟେଷ୍ଟ ମ୍ୟାଚ୍ରୁ ଅମିର ୨୪ଟି ୱିକେଟ୍ ହାସଲ କରିଥିଲେ । ସେହିପରି ଇଂଲଣ୍ଡରେ ଆୟୋଜିତ ଦିନିକିଆ ବିଶ୍ୱକପ୍ରେ ଏଥର ତାଙ୍କର ବୋଲିଂ ବେଶ ପ୍ରଭାବଶାଳୀ ରହିଥିଲା । ସେ ମୋଟ୍ ୧୭ଟି ୱିକେଟ୍ ହାସଲ କରିଥିଲେ । ପାକିସ୍ତାନ ସେମି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା ।
ଅମିର କହିଛନ୍ତି, ପାକିସ୍ତାନ ପକ୍ଷରୁ ଟେଷ୍ଟ ଖେଳିବା ମୋ ପାଇଁ ଗୌରବର ବିଷୟ ଏବଂ ଏକ ବଡ଼ ସମ୍ମାନ । ତେବେ ଟେଷ୍ଟରୁ ଅବସର ନେବା ପରେ ଟି-ଟ୍ୱେଣ୍ଟି ଓ ଦିନିକିଆରେ ଅଧିକ ଧ୍ୟାନ ଦେବି । ମୋତେ ସୁଯୋଗ ଦେଇଥିବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡଙ୍କୁ ଧନ୍ୟବାଦ ଜଣାଉଛି ।’
ଅମିର କ୍ୟାରିୟର ଆରମ୍ଭ ହେବାର ସେହି ୫ ବର୍ଷକୁ କେବେ ଭୁଲି ପାରିବେନି ବୋଲି କହିଛନ୍ତି । ସେ କହିଛନ୍ତି, ୨୦୧୦ ପରଠୁ କ୍ରିକେଟ୍ ସଂପୂର୍ଣ୍ଣ ବଦଳିଛି । କ୍ୟାରିୟରର ୫ ବର୍ଷ ବରବାଦ କରିଦେଇଛି । ଯଦି ମୁଁ ସେହି ୫ ବର୍ଷ ଖେଳିଥାନ୍ତି, ତେବେ ୭୦ରୁ ୮୦ ଟେଷ୍ଟ ମ୍ୟାଚ୍ ଖେଳି ପାରିଥାନ୍ତି । ପଛକୁ ଆଉ ଫେରି ଚାହିଁବାକୁ ଇଚ୍ଛା ନାହିଁ । ନିଜ ଉପରୁ କାର୍ଯ୍ୟଭାର କମାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛି । କିଛି ଦିନ ହେଲା ଏ ବିଷୟରେ ଚିନ୍ତା କରୁଥିଲି । ବର୍ଷକୁ ବର୍ଷ ମୋର ବୟସ ବଢ଼ି ଚାଲିଛି । ସବୁ ଫର୍ମାଟ୍ ପାଇଁ ଶରୀରକୁ ସନ୍ତୁଳିତ ରଖିବା ଏତେ ସହଜ ନୁହଁ । କିନ୍ତୁ ପ୍ରଶଂସକଙ୍କ ଇଚ୍ଛା ମୁଁ ସବୁ ଫର୍ମାଟ୍ ଖେଳେ ।
ମାତ୍ର ତାହା କ’ଣ ସମ୍ଭବ । ମୁଁ ଜଣେ ମଣିଷ, ଲୌହ ମାନବ ନୁହଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଫିଟ୍ନେସ୍ ଓ କାର୍ଯ୍ୟଭାର ମଧ୍ୟରେ ସନ୍ତୁଳନ ରଖିବା ଏତେ ସହଜ ନୁହଁ । ଯେଉଁଥିପାଇଁ ଟେଷ୍ଟ ଛାଡ଼ିବାକୁ ନିଷ୍ପତ୍ତି ନେଲି । ଏଥର ଦିନିକିଆ ଓ ଟି-ଟ୍ୱେଣ୍ଟି ଉପରେ ଅଧିକ ଧ୍ୟାନ ଦେଇହେବ । ଏହି ଦୁଇ ଫର୍ମାଟ୍ରେ ଅଧିକ ଦିନ ଖେଳିବାକୁ ଚାହେଁ ।’
Comments are closed, but trackbacks and pingbacks are open.