ସମ୍ବଲପୁର, (ବି.ବି.ନୁ୍ୟଜ୍): ଧାନ କିଣା-ବିକା ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ସରକାର ନିକଟରେ କାର୍ଯ୍ୟକାରୀ କରିଥିବା ଟୋକନ୍ ବ୍ୟବସ୍ଥାକୁ ଚାଷୀ ବିରୋଧ କରିଛନ୍ତି । ଅନେକ କ୍ଷେତ୍ରରେ ଯେଉଁ ଚାଷୀ ଧାନ ଅମଳ କରି ଧାନ ଧରି ୟାର୍ଡକୁ ଆସିଛନ୍ତି ସେହି ଚାଷୀଙ୍କ ଟୋକନ ଆସିନଥିବା ବେଳେ ଯେଉଁ ଚାଷୀଙ୍କ ଧାନ ଏବେ ବି ପାକଳ ନହୋଇ ବିଲରେ ରହିଛି ସେମାନଙ୍କ ପାଖକୁ ଟୋକନ ପହଞ୍ଚଥିବା ଭଳି ଅନିୟମିତତା ଅଭିଯୋଗ କରି ଚାଷୀ ଟୋକନ ବ୍ୟବସ୍ଥାକୁ ବିରୋଧ କରିଆସୁଛନ୍ତି ।
ଏହି ମର୍ମରେ ଗତ ୧୭ ତାରିଖ ବରଗଡ଼ ଜିଲ୍ଲାର ଅତାବିରା ଠାରେ ହୀରାକୁଦ ସେଚାଞ୍ଚଳ ଅଧୀନ ସମ୍ବଲପୁର, ବରଗଡ଼ ଏବଂ ସୋନପୁର ଜିଲ୍ଲାର ଚାଷୀ ଏକତ୍ରିତ ହୋଇ ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି କରି ରାଜ୍ୟ ସରକାରକୁ ୧୨ ଘଣ୍ଟାର ମହଲତ ଦେଇଥିଲେ । ମାତ୍ର ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗତକାଲି ଚାଷୀ ସମ୍ବଲପୁର ସମେତ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନେ୍ଦାଳନକୁ ଓହ୍ଲାଇଥିଲେ । ସମ୍ବଲପୁରରେ ଚାଷୀ ଧାନ ଆଣି କଲେକ୍ଟୋରେଟ୍ ଗେଟ ଆଗରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଅତାବିରା ସମେତ ବରଗଡ଼ ଜିଲ୍ଲାର ବିଭିନ୍ନ ୟାର୍ଡରେ ଚାଷୀ ଟୋକନ ବ୍ୟବସ୍ଥା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଆଜି ପୁଣି ଚାଷୀ ଚେତାବନୀ ମୁତାବକ ସମ୍ବଲପୁର ଜିଲ୍ଲାର ୪ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ଗୋବିନ୍ଦତୋଲା ଅଞ୍ଚଳର ମହାବୀର ପଡ଼ା ସ୍ଥିତ ବାସଭବନ ଆଗରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଚାଷୀ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସମ୍ବଲପୁର ସାକ୍ଷୀପଡ଼ା ସ୍ଥିତ ବାସଭବନ ଆଗରେ ଧାନ ରଖି ନାରାବାଜି କରିଥିଲେ । ପରେ ଚାଷୀ ଏକ ଟ୍ରାକ୍ଟରେ ଧାନ ବସ୍ତା ଲଦି ପହଞ୍ଚିଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନନ୍ଦପଡ଼ା ସ୍ଥିତ ବାସଭବନ ଅଭିମୁଖେ । ସେଠାରେ ବିଧାୟକଙ୍କ ଘର ଆଗରେ ଧାନ ରଖି ଆନେ୍ଦାଳନ କରିଥିଲେ । ସେହିପରି କୁଚିଣ୍ଡା ଉପଖଣ୍ଡ ଅଞ୍ଚଳର ଚାଷୀ କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ବାସଭବନ ଆଗରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଏନେଇ ପଦକ୍ଷେପ ଗ୍ରହଣ ନକଲେ ଗୁରୁବାର ଦିନ ସମ୍ବଲପୁରରେ ରାଜପଥ ଅବରୋଧ କରିବାକୁ ଚେତାବନୀ ଦିଆଯାଇଛି ।
ସେହିପରି ବରଗଡ଼ ଜିଲ୍ଲାର ଅତାବିରାରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରି ତହସିଲ, ବ୍ଲକ୍, ପ୍ୟାକ୍ସ ଅଫିସ୍ ବନ୍ଦ କରିଛନ୍ତି । ବରଗଡ଼ରେ ଚାଷୀ ଜିଲ୍ଲାପାଳଙ୍କ ଅଫିସ୍ରେ ତାଲା ପକାଇବା ସହ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବି କରିଛନ୍ତି । ଜିଲ୍ଲାର ଭେଡେ଼ନ ବ୍ଳକ୍ରେ ମଧ୍ୟ ଚାଷୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଅତାବିରାରେ ଚାଷୀ ଆସନ୍ତାକାଲି ଅତାବିରା ବନ୍ଦ ଡାକରା ଦେଇଛନ୍ତି ।
Comments are closed, but trackbacks and pingbacks are open.