କୋଣାର୍କ,(ବି.ବି.ନୁ୍ୟଜ୍): ଆଜି ରବିବାର ଛୁଟି ଦିବସ ଥିବାରୁ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ବେଳେ ଟୋକନ ନପାଇ ନିରାଶରେ ଫେରିଛନ୍ତି । ଖରାରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ଟୋକନ୍ ମିଳି ନଥିଲା ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକଙ୍କୁ । କେତେକ ପର୍ଯ୍ୟଟକ ମନ୍ଦିର ବୁଲି ନପାରି ଫେରିଯାଇଥିଲେ । ଏଥିପାଇଁ ପର୍ଯ୍ୟଟକମାନେ ଏଏସ୍ଆଇ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ଏବେଠାରୁ ଏମିତି । ଆଗକୁ ବଡ଼ ଦିନ ଓ ନୂଆବର୍ଷରେ ଏଭଳି ସମସ୍ୟା ଉପୁଜିବା ଆଶଙ୍କା ଦେଖାଦେଇଛି । ଅଧିକ କାଉଣ୍ଟର ଓ ଟୋକନ ପରିବର୍ତ୍ତେ ଅନ୍ୟ ବିକଳ୍ପ ବ୍ୟବସ୍ଥା ସେମାନେ ଦାବି କରିଛନ୍ତି ।
ରବିବାର ସକାଳ ୯ଟାରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକଙ୍କ ଭିଡ ଲାଗିଥିଲା । ପ୍ରବେଶ ଟୋକନ ନେବା ପାଇଁ ପର୍ଯ୍ୟଟକମାନେ କାଉଣ୍ଟର ସମ୍ମୁଖରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ପର୍ଯ୍ୟାପ୍ତ ପରିମାଣରେ ଟୋକନ୍ ନଥିବାରୁ ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡିଥିଲା । ଏହି ସମୟରେ ଏଏସ୍ଆଇର କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା । ଟୋକନ୍ ନପାଇ ପର୍ଯ୍ୟଟକମାନେ ଅସହାୟ ହୋଇ ପଡିଥିଲେ । ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଟିକଟ କାଉଣ୍ଟରରୁ ଜଣ ପିଛା ୪୦ଟଙ୍କା ଦେଇ ଏକ ପ୍ଲାଷ୍ଟିକ ଟୋକନ୍ ସାହାଯ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି । ଏହି ଟୋକନ୍କୁ ପ୍ରବେଶ ପଥରେ ରହିଥିବା ସ୍କାନର ମେସିନରେ ଦେଖାଇ ପ୍ରବେଶ କରିବା ପରେ ମନ୍ଦିର ବୁଲିସାରି ପ୍ରସ୍ଥାନ ପଥରେ ଟୋକନଟି ବାrରେ ରଖି ପ୍ରସ୍ଥାନ କରିବାର ବ୍ୟବସ୍ଥା ରହିଛି । ଟୋକନ୍ ଅଭାବ ଦର୍ଶାଇ ଏଏସ୍ଆଇ କର୍ମଚାରୀମାନେ ଏକ ସ୍ୱତନ୍ତ୍ର ର୍ୟାକେଟ ସାହାଯ୍ୟରେ ଜାଲିଆତି କରି ଏ ବାବଦରେ ଲକ୍ଷାଧିକ ଟଙ୍କା ହେରଫେର କରୁଥିବା ଅଭିଯୋଗ ହେଉଛି । ଏଏସ୍ଆଇ କର୍ମଚାରୀ ମିଳିତ ଭାବେ ଏଭଳି ଲୁଟ କରି ଆସୁଛନ୍ତି । ପର୍ଯ୍ୟାପ୍ତ ଟୋକନ ନଥିବା ଦର୍ଶାଇ ବଳକା ଟୋକନକୁ ଗଚ୍ଛିତ ରଖାଯାଇ ସତର୍କତାର ସହିତ ବିକ୍ରି କରାଯାଉଛି । ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.