ଟୋକିଓରେ ଦୌଡ଼ିବେ ଦୂତି

Get real time updates directly on you device, subscribe now.

ଭୁବନେଶ୍ୱର: ଦେଶର ଦ୍ରୁତତମ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି । ବିଶ୍ୱ ମାନ୍ୟତା ତାଲିକା ଅନୁସାରେ ସେ ଉଭୟ ୧୦୦ ଓ ୨୦୦ ମିଟରରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାରିୟରରେ ଦ୍ୱିତୀୟ ଥର ଦୂତି ଅଲିମ୍ପିକ୍ସ ଖେଳିବେ । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ୧୦୦ ମିଟରରେ ଯୋଗ୍ୟତା ହାସଲ କରିଥିଲେ ।
ଦୂତି ଟୋକିଓ ଟିକେଟ୍ ହାସଲ କରିବା ଜାତୀୟ ଗଣମାଧ୍ୟମରୁ ସ୍ପଷ୍ଟ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଦୌଡ଼ ରାଣୀ ତଥା ଓଡ଼ିଶାର ଗୌରବ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଲାଭ କରିଛନ୍ତି । ୧୦୦ ଓ ୨୦୦ ମିଟର ଦୌଡ଼ରେ ସେ ସଫଳ ହୁଅନ୍ତୁ ସେଥିପାଇଁ ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
ଟୋକିଓ ଅଲିମ୍ପିକ୍ସର ମହିଳା ୧୦୦ ମିଟର ଦୌଡ଼ରେ ଯୋଗ୍ୟତା ଟାଇମିଂ ରହିଥିଲା ୧୧.୧୫ ସେକେଣ୍ଡ । ଗତ ୨୧ ତାରିଖରେ ପଟିଆଲାରେ ଠାରେ ଅନୁÂିତ ଇଣ୍ଡିଆନ ଗ୍ରାଁପ୍ରିରେ ଦୂତି (୧୧.୧୭ ସେକେଣ୍ଡ) ଟାଇମିଂରେ ଦ୍ରୁତ ସୁଧାର ଆଣି ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରିବାରେ ସଫଳ ହୋଇଥିଲେ । ମାତ୍ର .୦୨ ସେକେଣ୍ଡରୁ ସେ ଅଲିମ୍ପିକ୍ସ ଯୋଗ୍ୟତା ଟାଇମିଂରୁ ବଞ୍ଚିତ ହୋଇଥିଲେ । ନଚେତ ସେ ସିଧାସଳଖ ଯୋଗ୍ୟତା ହାସଲ କରିପାରିଥାନ୍ତେ ।
ଗତ ୨୯ ତାରିଖ ଟୋକିଓ ଅଲିମ୍ପିକ୍ସ ପାଇଁ ଥିଲା ଯୋଗ୍ୟତା ପର୍ଯ୍ୟାୟର ଶେଷ ଦିବସ । ପଟିଆଲାରେ ଆୟୋଜିତ ୬୦ତମ ଅନ୍ତଃ ରାଜ୍ୟ ଆଥଲେଟିକ୍ ଚାମ୍ପିଅନସିପ୍ ଗତକାଲି ଶେଷ ହୋଇଥିଲା । କିନ୍ତୁ ଏଥିରେ ଦୂତି ଆହତ ହେବା ଯୋଗୁ ସିଧାସଳଖ ଯୋଗ୍ୟତା ହାସଲ ସୁଯୋଗ ହରାଇଥିଲେ ।
ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ସବୁ ଇଭେଣ୍ଟର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ମହିଳା ୧୦୦ ମିଟରରେ ଯୋଗ୍ୟତା ଟାଇମିଂ ସହ ମୋଟ୍ ୩୫ ଜଣ ସିଧାସଳଖ ଟୋକିଓ ଟିକେଟ୍ ହାସଲ କରିଥିଲେ । ସେମିତି ବିଶ୍ୱ ମାନ୍ୟତା ଅନୁସାରେ ୨୨ ଜଣ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଥିବା ସଂରକ୍ଷିତ ଟିକେଟ୍ରୁ ୨୦ ଜଣ ଯୋଗ୍ୟତା ହାସଲ କରିଛନ୍ତି ।
ଦୂତି ଜାତୀୟ ରେକର୍ଡ ପ୍ରତିÂା କରିବା ପରେ ସେ ବିଶ୍ୱ ମାନ୍ୟତାରେ ୪୭ରୁ ୪୪ତମ ସ୍ଥାନକୁ ଉନ୍ନୀତ ହୋଇଥିଲେ । ସେହିପରି ୨୦୦ ମିଟରରେ ୧୧୭୬ ପଏଣ୍ଟ ସହ ୫୧ତମ ସ୍ଥାନରେ ରହିଛନ୍ତି । ଉଭୟ ଇଭେଣ୍ଟରେ ଦୂତି ଯୋଗ୍ୟତା ହାସଲ କରିଥିବାରୁ ବେଶ୍ ଖୁସି ରହିଛନ୍ତି । ଗତ ଥର ଶ୍ରାବଣୀ ନନ୍ଦ ୨୦୦ ମିଟରରେ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲେ ।
ଦୂତି କହିଛନ୍ତି, ପ୍ରଥମେ ରାଜ୍ୟବାସୀ, ମୋର ପ୍ରଶଂସକ ଏବଂ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛି । ଗତ ୧୦୦ ମିଟର ଦୌଡ଼ରେ ଗୋଡ଼ର ମାଂଶପେସୀ ସାମାନ୍ୟ ଟାଣି ଧରିବାରୁ ଭଲ ଟାଇମିଂ ଦେଇ ପାରି ନଥିଲି । ପ୍ରକୃତରେ ସିଧାସଳଖ ଯୋଗ୍ୟତା ହାସଲ କରିବା ନେଇ ବହୁ ପ୍ରୟାସ କରିଥିଲି । ଗତ ଇଣ୍ଡିଆନ ଗ୍ରାଁପ୍ରିରେ .୦୨ ସେକେଣ୍ଡରୁ ବଞ୍ଚିତ ହୋଇଥିଲି । ବିଶ୍ୱ ମାନ୍ୟତା ଅନୁସାରେ ମୋତେ ଟୋକିଓ ଟିକେଟ୍ ମିଳିବ ବୋଲି ପୂର୍ବରୁ ଆଶା ରଖିଥିଲି ।’
ଟୋକିଓରେ ୧୦୦ ମିଟର ଉପରେ ଅଧିକ ଧ୍ୟାନ ଦେବେ ବୋଲି ଦୂତି କହିଛନ୍ତି । ସେ କହିଛନ୍ତି, ୧୧.୦୫ରୁ ୧୧.୧୦ ସେକେଣ୍ଡ ମଧ୍ୟରେ ଟୋକିଓରେ ଦୌଡ଼ିବା ପାଇଁ ଲକ୍ଷ୍ୟ ରଖିଛି ।’
୨୦୧୬ ମସିହାରୁ ଦୂତିଙ୍କ ନାମରେ ଜାତୀୟ ରେକର୍ଡ ରହିଛି । ପୂର୍ବରୁ ରଚିତା ମିସ୍ତ୍ରୀଙ୍କ (୧୧.୩୮) ନାମରେ ୧୦୦ ମିଟରରେ ଜାତୀୟ ରେକର୍ଡ ରହିଥିଲା । ୧୬ ବର୍ଷ ପରେ ଦୂତି (୧୧.୩୩) ୨୦୧୬ ମସିହାରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଫେଡରେସନ କପ୍ରେ ଏହି ରେକର୍ଡ ଭାଙ୍ଗିଥିଲେ । ୨୦୧୬ ଜୁନ ୨୫ ତାରିଖରେ ସେ କାଜାଖସ୍ତାନର ଆଲମାଟିରେ ଗୋଟିଏ ଦିନରେ ଦୁଇ ଥର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ । ୧୧.୨୪ ସେକେଣ୍ଡ ସହ ସେ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଥିଲେ । ଏହା ତାଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଥିଲା । ଦୀର୍ଘ ୩୬ ବର୍ଷ ବ୍ୟବଧାନ ପରେ ଦୂତି ତୃତୀୟ ଭାରତୀୟ ମହିଳା ଭାବେ ରିଓ ଅଲିମ୍ପିକ୍ସର ୧୦୦ ମିଟରରେ ଅଂଶ ଗ୍ରହଣ କରିଥିଲେ । ମାତ୍ର ହିଟ୍ରେ ୧୧.୬୯ ସେକେଣ୍ଡ ସହ ତାଙ୍କର ଅଭିଯାନ ଶେଷ ହୋଇଥିଲା । ପୁଣି ୧୧-୧୦-୨୦୧୯ରେ ଦୂତି ନିଜର ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ (୧୧.୨୨)ପ୍ରତିÂା କରିଥିଲେ ।
ଦୂତି ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୯ରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (ନାପୋଲି)ରେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ ଏସୀୟ କ୍ରୀଡ଼ାରେ ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ରେ ସେ ୪ଟି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ରହିଛନ୍ତି ।
ଟୋକିଓ ଅଲିମ୍ପିକ୍ସରେ ରାଜ୍ୟରୁ ମୋଟ୍ ୪ ଜଣ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି । ଦୂତିଙ୍କ ସହ ପୁରୁଷ ହକିରେ ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ମହିଳା ହକିରେ ଉପ ଅଧିନାୟିକା ଦୀପଗ୍ରେସ ଏକ୍କା । ସେମିତି ପାରା ଅଲିମ୍ପିକ୍ସ ପାଇଁ ଅର୍ଜୁନ ପୁରସ୍କାର ବିଜେତା ବିଶ୍ୱ ଚାମ୍ପିଅନ ପ୍ରମୋଦ ଭଗତ ମଧ୍ୟ ଟୋକିଓ ଯୋଗ୍ୟତା ହାସଲ କରିସାରିଛନ୍ତି । ପାରା ଧାବିକା ଜୟନ୍ତୀ ବେହେରା ମଧ୍ୟ ଟୋକିଓ ଟିକେଟ୍ ହାସଲ କରିବାର ସମ୍ଭାବନା ରହିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons