କେନ୍ଦୁଝର,(ବି.ବି.ନୁ୍ୟଜ୍): ମୃତୁ୍ୟ ଏମିତି ଆସେ । ଯାନ୍ତ୍ରିକ ତ୍ରୃଟିଥିବା ଟ୍ରକ୍କୁ ଡ୍ରାଇଭର ମରାମତି କରୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ଧକ୍କା ଦେବାରୁ ପ୍ରାଣହାନୀ ଘଟିଛି । ଏ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ୨୦ ନଂ ଜାତୀୟ ରାଜପଥର ବାଇପାସ ରାସ୍ତାର ପୋକରାପାଣି ନିକଟରେ । ଟ୍ରକ୍ ତଳେ ମରାମତି କରୁଥିବା ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଧକ୍କା ଦେଇଥିବା ଟ୍ରକ୍ର ଡ୍ରାଇଭର ବି ଚାପି ହୋଇ ଯିବାରୁ ଗୁରୁତର ହୋଇଛନ୍ତି । ଓଡ୍ରାଫ୍ ଟିମ୍ ୩ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି କଟରରେ କାଟିବା ତାଙ୍କୁ ଉଦ୍ଧାର କରାଯାଇଛି ।
ଶନିବାର ସକାଳେ ଯାନ୍ତ୍ରିକ ତ୍ରୃଟି ପାଇଁ ୨ଟି ଟ୍ରକ୍ ଓଡି ୦୫ ଆର ୪୦୨୩ ଓ ଓଡି ୦୫ ଏସ୍ ୩୧୨୬ ଅଟକି ରହିଥିଲେ । ଏହି ସମୟରେ ପଛପଟୁ ଏକ ଲୁହାପଥର ବୋଝେଇ ଟ୍ରକ୍ ଓଡି ୦୫ ଜେଡ୍ ୨୪୬୩ ଦ୍ରୃତଗତିରେ ଆସି ଧକ୍କା ଦେଇଥିଲା । ଫଳରେ ମଝିରେ ଥିବା ଟ୍ରକ୍ଟି ଆଗ ଟ୍ରକ୍ ଉପରେ ଚଢ଼ି ଯାଇଥିଲା । ସିରିଜ୍ ଟ୍ରକ୍ ଦୁର୍ଘଟଣା ଯୋଗୁ ଗାଡି ତଳେ ମରାମତି କରୁଥିବା ଢେଙ୍କାନାଳ ଅଞ୍ଚଳର ବାସୁଦେବ ବେହେରା (୩୨)ଙ୍କ ସହିତ ଦାସପାଳ ଅଞ୍ଚଳର ଲକ୍ଷ୍ମୀଧର ବେହେରା (୩୮) ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ବାସୁଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲକ୍ଷ୍ମୀଧରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ଚାଳକ ଷ୍ଟିୟରିଂରେ ଚାପି ହୋଇ ରହିଯାଇଥିଲେ । ଦୀର୍ଘସମୟ ଚେଷ୍ଟା କରିବା ପରେ ଓଡ୍ରାଫ୍ ଟିମ୍ ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ ପୁଲିସ ଟ୍ରକ୍ ୩ଟିକୁ ଜବତ କରିଛି ।
Comments are closed, but trackbacks and pingbacks are open.