ଅନୁଗୁଳ,(ବି.ବି.ନୁ୍ୟଜ୍): ପତ୍ନୀଙ୍କ ଦେହ ଅସୁସ୍ଥ ଥିବାରୁ ସ୍କୁଟର୍ରେ ବସାଇ ଡାକ୍ତରଙ୍କ ପାଖକୁ ଯାଉଥିଲେ । ହେଲେ ଡାକ୍ତରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅନୁଗୁଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଟ୍ରକ୍ ଚକା ତଳେ ଚାପି ହୋଇ ଦମ୍ପତିଙ୍କ ଜୀବନ ଚାଲିଗଲା । ଘଟଣାଟି ରବିବାର ସକାଳ ୯ଟା ବେଳେ ଘଟିଥିଲାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଅନୁଗୁଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି । ମୃତ ଦମ୍ପତି ହେଉଛନ୍ତି ବଅଁରପାଳ ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ସାନକେରେଜାଙ୍ଗ ଗ୍ରାମର ଚିନ୍ତାମଣି ଗୋଛାୟତ (୪୫) ଓ ବାହୁରାଣୀ ଗୋଛାୟତ(୪୦) । ଦମ୍ପତିଙ୍କ ଅକାଳ ମୃତୁ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ପୁଲିସ୍ ସୂଚନା ମୁତାବକ, ଚିନ୍ତାମଣି ସାନକେରେଜାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କର୍ମଚାରୀ ଭାବେ ଚାକିରି କରିଥିଲେ । ପତ୍ନୀ ବାହୁରାଣୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଧରି ସେ ରବିବାର ସକାଳ ୯ଟା ସମୟରେ ଏକ ସ୍କୁଟର(ଓଆର୍ ୧୯କେ୦୫୪୯)ରେ ଅନୁଗୁଳ ଆଣିଥିଲେ । ଦମ୍ପତି ଅମଲାପଡ଼ା ସ୍ଥିତ ଜଣେ ଡାକ୍ତରଙ୍କ କ୍ଲିନିକ୍କୁ ଯିବାବେଳେ ଏସ୍ପି ଅଫିସ୍ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସମ୍ବଲପୁର ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍(ଓଡି୧୫ଏ୮୭୯୫) ସେମାନଙ୍କୁ ଧକ୍କା ଦେଇଥିଲା । ଟ୍ରକ୍ ପଛ ଚକା ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଉତ୍ତେଜନା ତୀବ୍ର ରୂପ ନେବା ପୂର୍ବରୁ ପୁଲିସ୍ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନେଇଥିଲା । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ କେନାଲ୍ ହୁଡାରେ ଗାଡ଼ି ଛିଡ଼ା କରି ଖସି ଯାଉଥିବାବେଳେ ପୁଲିସ୍ ତା’କୁ କାବୁ କରିନେଇଥିଲା । ଖବର ପାଇ ମୃତ ଦମ୍ପତିଙ୍କ ପରିବାର ଲୋକ ମେଡିକାଲ୍ରେ ପହଞ୍ଚିଥିଲେ । ପ୍ରାୟ ୫୦ରୁ ଅଧିକ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ମେଡିକାଲ ପରିସର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ପୁଲିସ୍ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।
Comments are closed, but trackbacks and pingbacks are open.