ନୀଳଗିରି,(ବି.ବି.ନ୍ୟୁଜ୍): ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବାରିକପୁର ପେଟ୍ରୋଲ ପମ୍ପ ନିକଟ ହିନ୍ଦୁସ୍ତାନ ପେଟ୍ରୋଲିୟମର ଏକ ଟ୍ୟାଙ୍କର୍ରେ କେନ୍ଦୁପତ୍ର ବୋଝେଇ କରାଯାଇ ଚୋରା ଚାଲାଣ ହେଉଥିବା ବେଳେ ସୋର ପୁଲିସ୍ ହାତରେ ଧରା ପଡ଼ିଛି । ବୁଧବାର ଏହି ଟ୍ୟାଙ୍କର ସହ କେନ୍ଦୁପତ୍ର ନୀଳଗିରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସୋର ପୁଲିସ୍ ବାହିନୀ ରାତି ପାଟ୍ରୋଲିଂ କରୁଥିଲେ । ଓଆର ୦୫ଡି-୩୧୮୫ ଟ୍ୟାଙ୍କର୍ ବାଲେଶ୍ୱର ଆଡ଼କୁ ଯାଉଥିବା ବେଳେ ସନ୍ଦେହରେ ଅଟକାଇଥିଲେ । ପୁଲିସ୍ ଦେଖି ଟ୍ୟାଙ୍କର ଡ୍ରାଇଭର, ହେଲପର୍ ଗାଡ଼ି ଛାଡ଼ି ଅନ୍ଧାରରେ ଫେରାର ହୋଇଯାଇଥିଲେ । ପୁଲିସ୍ ଟ୍ୟାଙ୍କର ଢ଼ାଙ୍କୁଣି ଖୋଲି ଯାଞ୍ଚ କରିବାରୁ ଟାଙ୍କିରେ ତେଲ ନ ଥାଇ ସମ୍ପୂର୍ଣ୍ଣ କେନ୍ଦୁପତ୍ର ବୋଝେଇ ଥିବା ଦେଖିବାକୁ ପାଇଥିଲେ । ଆଜି ସକାଳେ ସୋର ପୁଲିସ୍ ନୀଳଗିରି ବନ ବିଭାଗକୁ ଖବର ଦେଇଥିଲେ । ପରେ କୁଲଡିହା ଏସିଏଫ ଲକ୍ଷ୍ମଣ କୁମାର ପ୍ରଧାନ, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଉମାକାନ୍ତ ଜେନା ସଦଳବଳେ ପହଞ୍ଚି ଗାଡ଼ିକୁ ଜବତ କରି ନୀଳଗିରି ନେଇଯାଇଛନ୍ତି । ଏ ନେଇ ୨୧ ନମ୍ବର ମାମଲା ରୁଜୁ ହୋଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଚୋରା କେନ୍ଦୁପତ୍ର ଥିବା ଅନୁମାନ କରାଯାଇଛି । ଗାଡ଼ିରେ କିଛି କାଗଜପତ୍ର ନଥିବାରୁ ଏହା କେଉଁଠାରୁ ଆସିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ତାହା ଜଣାପଡ଼ିନାହିଁ ।
Comments are closed, but trackbacks and pingbacks are open.