ନୂଆଦିଲ୍ଲୀ: ପାକ୍ ପ୍ରଧାନମନ୍ତ୍ରୀ ଆଜି ପୁଣି ଟ୍ୱିଟରରେ ଭାରତ ବିରୋଧରେ ବିଷ ଉଦ୍ଗାରିଛନ୍ତି । ଟ୍ୱିଟର ଏବେ ତାଙ୍କ ପାଇଁ ଭାରତ ବିରୋଧରେ ଅସନ୍ତୋଷ ଜାହିର କରିବାର ଏକମାତ୍ର ମାଧ୍ୟମ ପାଲଟିଛି । କାରଣ ପାକିସ୍ତାନ କଥା କେହି ବି ଶୁଣୁନାହାନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବା ପରେ ପାକିସ୍ତାନ ଏହାପ୍ରତି ଆନ୍ତର୍ଜାତିକ ସମୁଦାୟର ଧ୍ୟାନ ଆକର୍ଷଣ କରିବାକୁ ଚାହିଁଥିଲା । ମାତ୍ର ଆମେରିକା, ଚୀନ୍, ରୁଷ ସହ ସମସ୍ତ ପ୍ରମୁଖ ଦେଶ ଏମିତିକି ଇସଲାମିକ ଦେଶ ବି ତା’ର ସାଥ୍ ଦେଲେନି । ପାକିସ୍ତାନର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ସିଏ ଭାରତ ସହ ଯୁଦ୍ଧ ବି କରିପାରିବ ନାହିଁ । ତେଣୁ ଟ୍ୱିଟର ଏବେ ଏକମାତ୍ର ବିକଳ୍ପ ଭାବେ ପାକିସ୍ତାନ ନିକଟରେ ଉଭା ହୋଇଛି ।
ଆଜି ଇମ୍ରାନ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ନାଜିବାଦ ଭଳି ଚିନ୍ତାଧାରାର ପ୍ରଭାବରେ ଆସି କାଶ୍ମୀରରେ କର୍ଫ୍ୟୁ ଲଗାଯାଇଛି । କାଶ୍ମୀରବାସୀଙ୍କୁ ନିର୍ଯାତନା ଦିଆଯାଉଛି ଏବଂ ସେଠାରେ ସେମାନଙ୍କର ନରସଂହାର କରାଯିବା ଭଳି ସ୍ଥିତି ଉପୁଜିଛି ।
ସେ ଆହୁରି କହିଛନ୍ତି କି ନାଜିମାନେ ଯେପରି ନିଜର ବିଚାରଧାରାକୁ ଶ୍ରେଷ୍ଠ ବୋଲି ମଣୁଥିଲେ ଏବଂ ଏହି କାରଣରୁ ସବୁଆଡେ ନିଜର ପ୍ରଭାବ ଜାହିର କରିବାକୁ ଉଦ୍ୟମ କରୁଥିଲେ ଆରଏସଏସ ଏବେ ଠିକ୍ ସେହିପରି କରୁଛି । ଏହାଯୋଗୁ ଭାରତରେ ମୁସଲମାନ ସମୁଦାୟର ଦମନ କରାଯିବ ଏବଂ ପାକିସ୍ତାନକୁ ମଧ୍ୟ ଟାର୍ଗେଟ କରାଯିବ । ଏହାକୁ ବିଶ୍ୱ ସମୁଦାୟ କ’ଣ ନିରବ ରହି ଦେଖିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ମଧ୍ୟ ଜମ୍ମୁ-କାଶ୍ମୀରର ଜନସଂଖ୍ୟାର ଢାଞ୍ଚାରେ ଭାରତ ପରିବର୍ତ୍ତନ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.