ଠକିଦେଲେ ଠିକାଦାର:୩ ବର୍ଷ ହେଲା ସରୁନି ଆବାସ ନିର୍ମାଣ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ଆବାସ ଯୋଜନାରେ ଘର ନିର୍ମାଣ କରିଦେବ କହି ଠିକାଦାର ଦାୟିତ୍ୱ ନେଇଥିଲା । ତା’ କଥାରେ ପଡ଼ି ହିତାଧିକାରୀମାନେ ଟଙ୍କା ଦେଇଥିଲେ । ହେଲେ ଘର ସମ୍ପୂର୍ଣ୍ଣ ନକରି ଠକିଦେଲା ଠିକାଦାର । ଟଙ୍କା ନେବା ପରେ ଆଉ ଠିକାଦାରର ଦେଖା ମିଳୁନି । ଅନ୍ୟପକ୍ଷରେ ହିତାଧିକାରୀଙ୍କ ଘର ସମ୍ପୂର୍ଣ୍ଣ ହୋଇଥିବା ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । କିନ୍ତୁ ବାସ୍ତବ ଚିତ୍ର ପୂରା ଓଲଟା । ୩ ବର୍ଷ ପରେ ବି ଘର ସମ୍ପୂର୍ଣ୍ଣ ହୋଇ ନାହିଁ । ପିଲାଛୁଆଙ୍କୁ ଧରି ହିତାଧିକାରୀମାନେ ମୁଣ୍ଡ ଗୁଞ୍ଜିବା ଲାଗି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଦଶମନ୍ତପୁର ବ୍ଲକ୍ ପିଣ୍ଡାପଦର ପଞ୍ଚାୟତ ନାରଗଛ ଗ୍ରାମବାସୀ । ଠକାମୀର ଶିକାର ହୋଇଥିବା ହିତାଧିକାରୀମାନେ ହେଲେ ସବେନା ମୁଦୁଲି, କର ମୁଦୁଲି, ମୋନିକା ମୁଦୁଲି ଓ ଧବଲୁ ମୁଦୁଲି । ଘର ସମ୍ପୂର୍ଣ୍ଣ ନହେଲେ ଠିକାଦାରଙ୍କ ନାଁରେ ଏତଲା ଦେବେ ବୋଲି ହିତାଧିକାରୀମାନେ କହିଛନ୍ତି ।
ହିତାଧିକାରୀଙ୍କ କହିବାନୁଯାୟୀ, ୨୦୧୮-୧୯ ଆର୍ଥିକ ବର୍ଷରେ ଏସ୍ଇସିସି ତାଲିକାରେ ସେମାନଙ୍କ ନାଁ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଠିକାଦାର ଜଗ ଦଳେଇ ଘର ନିର୍ମାଣ କରିଦେବ କହି ହିତାଧିକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା । ତା’ କଥାରେ ପଡି ପ୍ରଥମ କିସ୍ତି ବାବଦରେ ୪ଜଣ ହିତାଧିକାରୀ ତାଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଉଠାଇ ପ୍ରଦାନ କରିଥିଲେ । ଠିକାଦାର ସଙ୍ଗେ ସଙ୍ଗେ ବାଲି, ପଥର ଓ ସିମେଣ୍ଟ ଆଣି ସେମାନଙ୍କ ଘରର ଫାଉଣ୍ଡେସନ୍ ପକାଇଥିଲେ । ଦ୍ୱିତୀୟ କିସ୍ତିର ଟଙ୍କା ନେଇ ସେ ଇଟା ଯୋଡେଇ କରିିଥିଲେ । ହିତାଧିକାରୀଙ୍କ ଅଜାଣତରେ ତୃତୀୟ ଏବଂ ଚତୁର୍ଥ କିସ୍ତି ଟଙ୍କା ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ସମ୍ପୃକ୍ତ ଠିକାଦାର ଫାଇନାଲ୍ ବିଲ୍ôର ଟଙ୍କା ଉଠାଇ ଫେରାର୍ ହୋଇଗଲା । ଏ ଭିତରେ ୩ ବର୍ଷ ବିତିଯାଇଛି । ତଥାପି ଆଜି ପର୍ଯ୍ୟନ୍ତ ଘର ସମ୍ପୂର୍ଣ୍ଣ ହୋଇପାରୁନି । ଏଣେ ପକ୍କା ଘର ନିର୍ମାଣ ହେବ ବୋଲି ପୁରୁଣା ଘରକୁ ଭାଙ୍ଗି ଦେଇଥିଲେ ହିତାଧିକାରୀ । ଘର ସରି ନଥିବାରୁ ପିଲାଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜିବା ଲାଗି ଅସୁବିଧା ଭୋଗୁଛନ୍ତି । ଯଦି ଠିକାଦାର ଘର ସମ୍ପୂର୍ଣ୍ଣ ନକଲେ ବାଧ୍ୟ ହୋଇ ସେମାନେ ତାଙ୍କ ନାଁରେ ଏତଲା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ବ୍ଲକ୍ ପ୍ରଶାସନ ଟାର୍ଗେଟ୍ ପୂରା କରିବା ଲକ୍ଷ୍ୟରେ ଜିଓ ଟ୍ୟାଗ୍ରେ ଜାଲ୍ଫଟୋ ଲଗାଇ ଘର ସମ୍ପୂର୍ଣ୍ଣ ହୋଇଥିବା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି । କିନ୍ତୁ ବାସ୍ତବ ଚିତ୍ର ଓଲଟା । ବିନା ତଦନ୍ତରେ କିଭଳି ଶେଷ କିସ୍ତି ଟଙ୍କା ହିତାଧିକାରୀଙ୍କ ନାଁରେ ପୌଠ କରାଗଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଠିକାଦାର ଶ୍ରୀ ଦଳେଇଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ପିଇଓ କେତନ ହାଲବାଙ୍କୁ ପଚାରିବାରେ ସେ ନୂଆ କରି ଏଠାରେ ଦାୟିତ୍ୱ ନେଇଛନ୍ତି । ଆବାସ ଘର ସମସ୍ୟା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇ ନାହିଁ । ତଥାପି ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons