ବାଲିପାଟଣା,(ବି.ବି.ବ୍ୟୁରୋ): ବାଲିପାଟଣା ଥାନା ଅନ୍ତର୍ଗତ ବେଲମରା ଗାଁ ମୁଣ୍ଡରେ ବନ୍ୟାଜଳରେ ଭାସିଆସି ଲାଗିଥିବା ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଜବତ କରିଛି । ମୃତ ଯୁବକଙ୍କ ନାମ ଗଣେଶ ପ୍ରଧାନ(୩୫) । ବାପାଙ୍କ ନାମ ବନ୍ଧୁ ପ୍ରଧାନ । ଘର ସହିଦନଗର ଥାନା ଅନ୍ତର୍ଗତ କେଶୁରା । ଗଣେଶ ଠିକାଦାରୀ କାମ କରନ୍ତି । ତେବେ ଗଣେଶଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ଅଅଭିଯୋଗ କରିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଭାର୍ଗବୀ ନଦୀରେ ବନ୍ୟା ଆସିବା ଫଳରେ ଆଖପାଖ ଗ୍ରାମ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ନଦୀ ଜଳ ବିଲମାଳରେ ପ୍ରବେଶ କରିବା ସହ ଧାନ ଫସଲ ବୁଡ଼ି ରହିଛି । ଏହି ବନ୍ୟା ପାଣିରେ ଜଣେ ଯୁବକଙ୍କ ଶବ ଭାସି ଆସି ବେଲମରା ଗ୍ରାମରେ ନିକଟରେ ଲାଗିଥିଲା । ଲୋକେ ଶୁକ୍ରବାର ସକାଳୁ ମୃତଦେହକୁ ଦେଖି ବାଲିପାଟଣା ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ । ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଯୁବକଙ୍କ ମୃତଦେହ ଉଦ୍ଧାର ଫଟୋକୁ ଜଣେ କେହି ଫେସ୍ବୁକ୍ରେ ଛାଡ଼ିଥିଲେ । ଉକ୍ତ ଫଟୋ ଦେଖି ଗଣେଶଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ । ବାଲିପାଟଣା ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସେପଟେ ଗଣେଶଙ୍କ ପତ୍ନୀ ରୁନୁବାଳାଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଗଣେଶ ବାହାରେ କାମ ଅଛି, ଫେରିଲେ ଘରେ ଖିଆପିଆ କରିବି କହି ଯାଇଥିଲେ । ପରେ ସେ ଫେରିବା ବିଳମ୍ବ ହେବ ବୋଲି ମୋବାଇଲରେ ଫୋନ୍ କରି ରୁନୁବାଳାଙ୍କୁ ଜଣାଇଥିଲେ । ଗୁରୁବାର ସକାଳ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଆଜି ବାଲିପାଟଣାରେ ଗଣେଶଙ୍କ ମୃତଦେହ ନଦୀପଠାରେ ପଡ଼ିଥିବା ଫେସବୁକ୍ରୁ ଦେଖି ସେମାନେ ଚିହ୍ନଟ କରିଥିଲେ । ରୁନୁବାଳା କହିଛନ୍ତି ତାଙ୍କ ସ୍ୱାମୀ ଠକାଦାରୀ କାମ କରନ୍ତି । ସେ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଟଙ୍କା ଧାର ଆଣିଥିଲେ । ସୁଧମୂଳ ବଢ଼ି ଯାଇଥିଲା । ସାହୁକାର ତାଙ୍କୁ ବାରମ୍ବାର ଟଙ୍କା ଫେରସ୍ତ ମାଗିବାରୁ ଗଣେଶ ସବୁବେଳେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ମଙ୍ଗଳବାର ଗଣେଶ ସଂପୃକ୍ତ ଠିକାଦାରଙ୍କୁ ଟଙ୍କା ଫେରସ୍ତ ଦେବେ ବୋଲି କହିଥିଲେ । ବୁଧବାର ସାହୁକାର ଗଣେଶଙ୍କୁ ଖୋଜିଥିଲେ । ଗଣେଶ ମଙ୍ଗଳବାର ସନ୍ଧ୍ୟାରୁ କେଉଁଆଡ଼େ ଯାଇଥିବା ରୁନୁବାଳା ସାହୁକାରଙ୍କୁ କହିଥିଲେ । ତେଣୁ ଗଣେଶଙ୍କୁ ଏହି କାରଣରୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆ ଯାଇଥିବା ରୁନୁବାଳା ସନ୍ଦେହ କରୁଛନ୍ତି । ଏନେଇ ସେ ବାଲିପାଟଣା ଥାନା ପୁଲିସକୁ ଜଣାଇଛନ୍ତି । ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.