ଜୟପୁର,(ବି.ବି.ନୁ୍ୟଜ୍): ପୌର ସଂସ୍ଥାରେ କାର୍ଯ୍ୟରତ ସୁଇପର ଏବଂ ଜମାଦାରଙ୍କୁ ମିଳୁନି ସେମାନଙ୍କ ହକ୍ । ପାରିଶ୍ରମିକ, ଏରିୟର ଟଙ୍କା, ଇପିଏଫ, ଚିକିତ୍ସା, ବୀମା ସହ ଅନ୍ୟ ସରକାରୀ ସୁବିଧାରୁ ସେମାନେ ବଞ୍ଚିତ ହେଉଛନ୍ତି । ଠିକାଦାର ଏସବୁ ସୁବିଧା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଆଜି କର୍ମଚାରୀମାନେ ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିକଟରେ ଫେରାଦ ହୋଇଛନ୍ତି । ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ସଫେଇ କାମରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
କର୍ମଚାରୀମାନଙ୍କ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି, ଜମାଦାର ଏବଂ ସୁଇପରମାନେ ଦୀର୍ଘ ୨୦ ବର୍ଷ ଧରି ପୌରସଂସ୍ଥାରେ କାମ କରିଆସୁଛନ୍ତି । ପରିତାପର ବିଷୟ, ଏବେ ପ୍ରଶାସନ ପକ୍ଷରୁ ଯେଉଁ ଟେଣ୍ଡର ଡ଼କାଯାଇଛି ସେଥିରେ ଜମାଦାର ପଦକୁ ହଟାଇ ଦିଆଯାଇଛି । ଫଳରେ ସେମାନେ ବେରୋଜଗାର ହୋଇଯିବେ । ତେଣୁ ପୁଣି ଥରେ ଟେଣ୍ଡର କରାଯିବା ସହ ଜମାଦାର ପଦ ରଖାଯାଉ । ଗତ ୭ ବର୍ଷ ହେବ ଚନ୍ଦନ ସିକୁ୍ୟରିଟି ସର୍ଭିସ ପୌରସଂସ୍ଥାର ସଫେଇ ଠିକା ନେଇଛି । ସେମାନେ ଏହି ଠିକାସଂସ୍ଥା ଅଧୀନରେ କାମ କରୁଛନ୍ତି । ଉକ୍ତ ସଂସ୍ଥା ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ସମୟରେ ଠିକ୍ରେ ପାରିଶ୍ରମିକ ପ୍ରଦାନ କରାଯାଉନି । ମାସ ପୂରିଲେ ଟଙ୍କା ନଦେଇ ଅଯଥାରେ ବିଭିନ୍ନ ବାହାନା ଦେଖାଇ ବିଳମ୍ବ କରାଯାଉଛି । ୭ ବର୍ଷ ଭିତରେ ଥରେ ବି ଏରିୟର, ଇପିଏଫ୍, ଇଏସ୍ଆଇ ସହ ସରକାରୀ ନିୟମ ଅନୁଯାୟୀ କୌଣସି ସୁବିଧାର ଲାଭ ଦିଆଯାଇନି । ସରକାରଙ୍କ ପକ୍ଷରୁ ଆସୁଥିବା ସମସ୍ତ ସୁବିଧାରୁ ଠିକାସଂସ୍ଥା ବଞ୍ଚିତ କରୁଛି । କରୋନା କାଳରେ ଠିକ୍ ଚିକିତ୍ସା ନପାଇ ସେମାନଙ୍କର ୫ ଜଣ ସାଥୀଙ୍କ ମୃତୁ୍ୟ ହୋଇଗଲା । କରୋନାରେ ଜୀବନକୁ ପାଣି ଛଡେଇ ଲୋକଙ୍କ ସେବା କରିଥିଲେ ବି ଯୋଦ୍ଧା ହିସାବରେ ପାରିଶ୍ରମିକ କିମ୍ବା ସମ୍ମାନ ମିଳିଲାନି । ମୃତକଙ୍କ ପରିବାରକୁ ସରକାର କିମ୍ବା ଠିକା ସଂସ୍ଥା ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଗଲାନି । ତେଣୁ ଏହାର ବିଚାର କରି ସେମାନଙ୍କୁ ନ୍ୟାୟ ଦେବାକୁ ଅଭି ନାୟକ, ଟି. କ୍ରିଷ୍ଣା, ପି. ଗୋପାଳ ରାଓ, ଟି. ରାମାରାଓ, ଏମ୍. ମହେଶ, ଉମା ନାୟକ, ଅନ୍ନପୂର୍ଣ୍ଣା ନାଗ, ଲତା ବାଘ, ଟି. ତୁଳସୀ, ଟି. ଶାନ୍ତି, ଜେ. ଗଙ୍ଗାମ୍ମା, ଭଗବତୀ ନାଗ ପ୍ରମୁଖ ଦାବି କରିଛନ୍ତି ।
ଏ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି, ଅଭିଯୋଗର ତଦନ୍ତ କରାଯିବ । ସରକାରୀ ନିୟମ ଅନୁଯାୟୀ କର୍ମଚାରୀମାନେ ଯାହା ପାଇବା ଉଚିତ୍ ସେ ଦିଗରେ ପଦକ୍ଷେପ ନିଆଯିବ । ଠିକାସଂସ୍ଥା କ’ଣ ସୁବିଧା ଦେବ ନଦେବ ସେ ସମ୍ପର୍କରେ କିଛି କହିପାରିବେନି ।
Comments are closed, but trackbacks and pingbacks are open.