ଠେଲାପେଲାରେ ସାଂସଦ ସଙ୍ଗୀତା ସିଂହଦେଓ ଆହତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବଲାଙ୍ଗିର ବିଜେପି ସାଂସଦ ସଙ୍ଗୀତା ସିଂହହେଓ ମଙ୍ଗଳବାର ଲୋକସଭାରେ କଂଗ୍ରେସ ଦଳର କେତେକ ମହିଳା ସାଂସଦଙ୍କ ଠେଲାପେଲାର ସମ୍ମୁଖୀନ ହୋଇଥିଲେ । ଫଳରେ ସେ ତାଙ୍କ ନିଜ ସ୍ଥାନରୁ ତଳେ ପଡ଼ିଯିବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାକୁ ଦେଖି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଧରିପକାଇବାରୁ ସେ ବର୍ତ୍ତିଯାଇଥିଲେ । ଗୃହରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଜେଡି ସାଂସଦମାନେ ନିଜ ନିଜ ସ୍ଥାନରେ ଶାନ୍ତି ରକ୍ଷା କରି ବସିରହିଥିଲେ । ସେହିଭଳି ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସଙ୍ଗୀତା ସଂସଦରେ ବାଚସ୍ପତିଙ୍କ ବିନା ଅନୁମତିରେ କିଛି କହିବାକୁ ପସନ୍ଦ କରନ୍ତି ନାହିଁ । ବିରୋଧୀ ଦଳଙ୍କ ପକ୍ଷରୁ ଲୋକସଭାରେ ଦିଲ୍ଲୀ ଦଙ୍ଗା ସମ୍ପର୍କରେ ଆଲୋଚନା କରିବା ପାଇଁ ଦାବି କରାଯାଉଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସ୍ପଷ୍ଟ କରିଦେଇଥିଲେ ଯେ ଏନେଇ ମୋଦି ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ବର୍ତ୍ତମାନ ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ଭାଇଚାରା ଫେରାଇ ଆଣିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ । ଫଳରେ ସୋମବାର ସଂସଦର ଦ୍ୱିତୀୟ ପ୍ରର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବା ଠାରୁ ଗୃହରେ ଅଚଳାବସ୍ଥା ଲାଗିରହିଛି । କଂଗ୍ରେସ ଦଳର ସାଂସଦମାନେ ନିଜ ନିଜ ସ୍ଥାନରୁ ଆସି ଗୃହର ମଧ୍ୟଭାଗରେ ହୋହାଲ୍ଲା କରୁଛନ୍ତି । ଏପରିକି ସଂସଦୀୟ କାର୍ଯ୍ୟାବଳୀ କାଗଜକୁ ଫାଡି ବାଚସ୍ପତିଙ୍କ ଆଡକୁ ଫିଙ୍ଗିବା ଦେଖାଯାଇଛି ।
ବାଚସ୍ପତି ଓମ ବିର୍ଲା ଗୃହରେ ବିରୋଧୀ ପକ୍ଷଙ୍କ ଏଭଳି ଆଚରଣକୁ ଦୃଢ ସମାଲୋଚନା କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର କାର୍ଯ୍ୟରେ ସହଯୋଗ କରିବା ସକାଶେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ନିବେଦନ କରିଥିଲେ । ତେବେ ସେ ଏଥିରେ କର୍ଣ୍ଣପାତ କରିନଥିଲେ । ଏହା ଦ୍ୱାରା ଉତ୍ତେଜନାମୂଳକ ପରିସ୍ଥିତି ଲାଗୁ ରହିବା ଯୋଗୁଁ ବାଚସ୍ପତି ଗୃହର କାର୍ଯ୍ୟକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥଲେ । ଏହା ପରେ ମଧ୍ୟ ଗୃହରେ ସାମାନ୍ୟ ପରିସ୍ଥିତି ସୃଷ୍ଟି ହୋଇ ପାରିନଥିଲା ।
ଅପରାହ୍ନ ୨ଟାରେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ଅନ୍ୟ ବିରୋଧୀଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେଇଥିଲେ । ଏପରିକି ଅଧିର ରଞ୍ଜନ ଚୌଧୁରୀ ସେକ୍ରେଟାରୀ ଜେନେରାଲଙ୍କ ଟେବୁଲ୍କୁ ହଲାଉଥିବାର ଦେଖିବାକୁ ମିଳିଥିଲା । ତୃଣମୂଳ କଂଗ୍ରେସ ସଦସ୍ୟ ମୋହୁଆ ମୈତ୍ର ବାଚସ୍ପତିଙ୍କ ଆଡକୁ ଗୃହର କାର୍ଯ୍ୟାବଳୀ କାଗଜକୁ ଖଣ୍ଡ ଖଣ୍ଡ କରି ଫୋପାଡିବା ଦେଖିବାକୁ ମିଳିଥିଲା । ତେବେ ବାଚସ୍ପତି ଏଥିରେ ବିଚଳିତ ନହୋଇ ଗୃହର କାର୍ଯ୍ୟକୁ ଚଲାଇବା ପାଇଁ ଉଦ୍ୟମ କରିଥିଲେ । ବିରୋଧୀ ଦଳର ସଦସ୍ୟମାନେ ହୋହାଲ୍ଲା କରୁଥିବା ବେଳେ ପ୍ରଥମେ ଏନ୍ଡିଏ ସଦସ୍ୟମାନେ ନିଜ ନିଜ ସ୍ଥାନରେ ନିରବ ରହିଥିଲେ ।
କିନ୍ତୁ ବଚସ୍ପତିଙ୍କ ଆଡକୁ କାଗଜ ଫୋପାଡିବା ଘଟଣାକୁ ଦେଖି ବିଜେପିର ମହିଳା ସଦସ୍ୟାମାନେ ଏହାର ତୀବ୍ର ବିରୋଧ କରିଥିଲେ । ସଙ୍ଗୀତା ମଧ୍ୟ ଏହି ଆଚରଣ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ଏହାକୁ ଦେଖି କଂଗ୍ରେସ ଦଳର ତାମିଲନାଡୁ ମହିଳା ସଦସ୍ୟ ଜ୍ୟୋତି ମଣି ଏବଂ କେରଳର ଆଉ ଜଣେ ମହିଳା ସଦସ୍ୟ ରାମିଆ ହରିଦାସ ସଙ୍ଗୀତାଙ୍କ ଆଡକୁ ମାଡିଆସି ତାଙ୍କୁ ଠେଲାପେଲା କରିଥିଲେ । ଏହା ଫଳରେ ଗୃହରେ ଅତ୍ୟନ୍ତ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହାକୁ ଦେଖି ବାଚସ୍ପତି ଗୃହର କାର୍ଯ୍ୟକୁ ପୁରାଦିନ ପାଇଁ ମୁଲତବୀ କରିଦେଇଥିଲେ । କଂଗ୍ରେସ ଦଳର ଦୁଇ ମହିଳା ସଦସ୍ୟଙ୍କ ଠେଲାପେଲା ଫଳରେ ସଙ୍ଗୀତା ଆହତ ହୋଇଥିଲେ । ପରେ ସେ ସଂସଦ ଭବନର ଡାକ୍ତରଖାନାକୁ ଯାଇ ଔଷଧ ଲଗାଇଥିଲେ । ସେ ମଧ୍ୟ ବାଚସ୍ପତିଙ୍କ ଅଫିସକୁ ଯାଇ ତାଙ୍କ ସହ ହୋଇଥିବା ବ୍ୟବହାର ସମ୍ପର୍କରେ କହିଥିଲେ । ଏହାଛଡା ସେ ମଧ୍ୟ ଲିଖିତ ଆକାରରେ କଂଗ୍ରେସ ଦଳର ଦୁଇ ମହିଳା ସାଂସଦଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।
ରାଜ୍ୟସଭାରେ ମଧ୍ୟ ଗୃହର କାର୍ଯ୍ୟ ଦ୍ୱିତୀୟ ଦିନ ପାଇଁ ଚାଲିପାରିନଥିଲା । କଂଗ୍ରେସ ଓ ତୃଣମୂଳ କଂଗ୍ରେସର ସାଂସଦମାନେ ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ପରିସ୍ଥିତିରେ ସୁଧାର ନ ହେବାରୁ ଗୃହର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଗୃହର କାର୍ଯ୍ୟକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons