ମାଲକାନଗିରି,(ବି.ବି.ନୁ୍ୟଜ୍): ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସ୍ୱାମୀ । ଚିକିତ୍ସା ପାଇଁ ଅର୍ଥ ନାହିଁ । ବାଧ୍ୟ ହୋଇ ଏକ ଠେଲା ଗାଡ଼ିରେ ବରା ଓ ପକୁଡି ବିକି ଘର ଚଳାଇବା ସହ କିଛି ଅର୍ଥ ସଂଗ୍ରହ କରୁଛନ୍ତି ସ୍ତ୍ରୀ । ଏ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଗାଁରେ । କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗାଁର ଜଣେ ଗରିବ ଚାଷୀ ବିଷ୍ଣୁ କର୍ମକାର । ଉଦ୍ବେଗର ବିଷୟ, ଆଜି ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ଚିକିତ୍ସା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଣେ ପେଟ ପାଇଁ ସଂଘର୍ଷ କରୁଥିବା ପରିବାର ବିଷ୍ଣୁଙ୍କ ଚିକିତ୍ସା ଲାଗି ଦିନରାତି ଏକ କରି ଦେଇଛନ୍ତି ।
ଏମ୍ଭି-୭୯ ଗାଁର ବିଷ୍ଣୁ ଜଣେ କ୍ଷୁଦ୍ର ଚାଷୀ । ପରିବାର କହିଲେ ସ୍ତ୍ରୀ, ଗୋଟିଏ ଝିଅ ଓ ଦୁଇପୁଅ । ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଏକଦା ସୁଖଦୁଃଖରେ ଚଳି ଆସୁଥିଲେ ବିଷ୍ଣୁ । ୨ ବର୍ଷ ତଳେ ହଠାତ୍ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହେଲେ । ଘରେ ଯାହା କିଛି ଥିଲା, ବିକ୍ରି କରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏଭଳି ରୋଗର ଚିକିତ୍ସା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଲାଗିବ ବୋଲି କହିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଗାଁ ଲୋକେ ଚାନ୍ଦା କରି ପ୍ରାୟ ୨୦ ହଜାର ଟଙ୍କା ଦେଇଛନ୍ତି । ବଳକା ଟଙ୍କା ସଂଗ୍ରହ କରିବା ଏବଂ ପରିବାର ଚଳାଇବା ପାଇଁ ଲାଗି ପଡିଛନ୍ତି ଶ୍ରୀମତୀ । ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଏକ ଠେଲା ଗାଡି କିଣିଛନ୍ତି । ସେହି ଗାଡିରେ ଗାଁ ଗାଁ ବୁଲି ବରା ଓ ପକୁଡି ବିକ୍ରି କରୁଛନ୍ତି । ଯାହା ରୋଜଗାର ହେଉଛି, ସେଥିରୁ କିଛିଟା ଖର୍ଚ୍ଚ ହେଉଛି ପରିବାର ଚଳାଇବାରେ । ସିଂହଭାଗ ଅର୍ଥ ରଖାଯାଉଛି ବିଷ୍ଣୁଙ୍କ ଚିକିତ୍ସା ଲାଗି ।
ଗୋଟିଏପଟେ ବିଷ୍ଣୁଙ୍କ ରୋଗ ଯନ୍ତ୍ରଣା ବଢିବାରେ ଲାଗିଛି । ଅନ୍ୟପଟେ ସଂଗ୍ରହ ହୋଇପାରୁନି ଆବଶ୍ୟକ ଅର୍ଥ । ଏଭଳି ସ୍ଥିତିରେ ପ୍ରଶାସନିକ କଳ ତୁରନ୍ତ ସହାୟତାର ହାତ ବଢାଇବା ଦରକାର । ବିଷ୍ଣୁଙ୍କୁ ଅବିଳମ୍ବେ ମେଡିକାଲ୍ରେ ଭର୍ତ୍ତି କରି ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ପରିବାର ସହ ଗାଁ ଲୋକେ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆବଶ୍ୟକ ସହାୟତା ଯୋଗାଇବା ଲାଗି ଅନୁରୋଧ କରାଯାଇଛି ।
Comments are closed, but trackbacks and pingbacks are open.