
ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ବ୍ଲକ ଅନ୍ତର୍ଗତ ୨୩ ପଞ୍ଚାୟତରେ ଏମ୍ଜିଏନ୍ଆରଇଜିଏ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ୨୦୧୬-୧୭ରେ ଏହି ଯୋଜନାରେ ହିତାଧିକାରୀଙ୍କୁ ନଳକୂପ, ଡଗ୍ୱେଲ୍ ଖନନ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଆଜିଯାଏ ସମୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇନାହିଁ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରି ବାବଦକୁ ମାତ୍ର ଅଳ୍ପ କିଛି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବାକି ଟଙ୍କା ପାଇଁ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନି । ଅନ୍ୟପଟେ ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ପ୍ରଶାସନକୁ ଦୋଷ ଦିଆଯାଇଛି । ସଠିକ୍ ସମୟରେ ବିଲ୍ ବାବଦକୁ ଫାଇଲ୍ ଆସି ନଥିବାରୁ ପ୍ରକଳ୍ପକୁ ବନ୍ଦ କରିଦିଆଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ଏନେଇ କୌଣସି ଫାଇଲ୍ ବର୍ତ୍ତମାନ ବ୍ଲକ କାର୍ଯ୍ୟାଳୟରେ ଉପଲବ୍ଧ ନଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା ନେଇ ଚର୍ଚ୍ଚା ହେଉଛି ।
ସୂଚନା ଥାଉକି, ମାଳି ବେଲଗାଁ ପଞ୍ଚାୟତର ସରପଞ୍ଚଙ୍କ ନିଦେ୍ର୍ଧଶରେ କମାର ବେଲଗାଁ ଗ୍ରାମର ତିଳକ ତଳନାୟକ ଡଗ୍ୱେଲ୍ ଖନନ କରିଥିଲେ । କାର୍ଯ୍ୟର କୋଡ୍ ଥିଲା ୨୪୦୧ ଓ ବ୍ୟୟ ଅଟକଳ ମୂଲ୍ୟ ଥିଲା ୧,୨୦,୦୦୦ ଟଙ୍କା । ସେଥିରୁ ଶ୍ରମିକଙ୍କ ମଜୁରି ବାବଦକୁ ୪୮୦୦୦ ଓ ସାମଗ୍ରୀ ବାବଦକୁ ୭୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଥିଲା । ତିଳକ ଧାର କରଜ କରି ଉକ୍ତ କାର୍ଯ୍ୟ ଶେଷ କଲେ । କିନ୍ତୁ ତାଙ୍କୁ କେବଳ ଶ୍ରମିକଙ୍କ ମଜୁରି ବାବଦକୁ ମାତ୍ର ୧୩୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ଟଙ୍କା ଆଜିଯାଏ ତାଙ୍କୁ ମିଳି ନଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଥୁବା ପଞ୍ଚାୟତ ସାତସେମିଳି ଗାଁର ଲବକୁଶ ପୂଜାରୀ ସରପଞ୍ଚଙ୍କ ପରାମର୍ଶକ୍ରମେ ନିଜ ଜମିରେ ୨୦୧୬-୧୭ ବର୍ଷରେ ଏକ ନଳକୂପ ଖୋଳିଥିଲେ । ଏଥି ନିମନ୍ତେ ଏମ୍ଜିଏନ୍ଆରଜିଏ ଯୋଜନାରେ ବ୍ୟୟ ଅଟକଳ ଥିଲା ଏକ ଲକ୍ଷ ଟଙ୍କା । କାମ ଶେଷ କରିବା ପରେ ଲବକୁଶଙ୍କୁ ମାତ୍ର ୧୭୦୦୦ ଟଙ୍କା ମିଳିଥିଲା । ବ୍ଲକରେ ସମସ୍ତ ପଞ୍ଚାୟତରେ ବହୁ ହିତାଧିକାରୀ ଏମ୍ଜିଏନ୍ଆରଜିଏ ଯୋଜନାରେ କାମ କରିଥିବା ବେଳେ ତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ମିଳି ନଥିବା ଅଭିଯୋଗ ହେଉଛି । ବ୍ଲକ ଓ ପଞ୍ଚାୟତ ପ୍ରଶାସନର ଅବହେଳା ପାଇଁ ହିତାଧିକାରୀମାନେ ଟଙ୍କା ନପାଇ ହଇରାଣ ହେଉଛନ୍ତି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।


Comments are closed, but trackbacks and pingbacks are open.