ଡବଲ ବିପଦ ପାଇଁ ଡବଲ ମାସ୍କ ପିନ୍ଧନ୍ତୁ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟ ଏବେ ଡବଲ ବିପଦର ସମ୍ମୁଖୀନ । ଗୋଟିଏ ପଟେ ମହାମାରୀ କରୋନା । ଅନ୍ୟପଟେ ଏବେ ମାଡ଼ି ଆସୁଛି ‘ୟାସ୍’ । ତେଣୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ସାବଧାନ ରହନ୍ତୁ । କରୋନା ଓ ‘ୟାସ୍’ର ମୁକାବିଲା କରିବାକୁ ସରକାର ପୂର୍ଣ୍ଣ ପ୍ରସ୍ତୁତ । ଆପଣମାନେ ଡବଲ ବିପଦ ସମୟରେ ଡବଲ ମାସ୍କ ପିନ୍ଧନ୍ତୁ । ସ୍ଥାନାନ୍ତରରେ ପ୍ରଶାସନକୁ ସହଯୋଗ କରନ୍ତୁ । ରାଜ୍ୟବାସୀଙ୍କୁ ଆଜି ଏମିତି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଶାସନ କରୋନା ଯୋଗୁଁ ଚାପରେ ଅଛି । ତେଣୁ ଏ ସମୟରେ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣଙ୍କ ସହଯୋଗ ଜରୁରି । ତେବେ ସମସ୍ତଙ୍କ ସହଯୋଗରେ ଆମେ ଦୁଇଟି ଯାକ ଲଢେ଼ଇ ନିଶ୍ଚୟ ଜିତିବା ବୋଲି ବେଶ ଆତ୍ମବିଶ୍ୱାସର ସହ ନବୀନ କହିଛନ୍ତି ।
ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ନିହାତି ଜରୁରୀ । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ସେ ସତର୍କ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ତେଣୁ ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଜରୁରି । ଏହା ସହ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ବାରମ୍ବାର ଧୋଇବାକୁ ସେ ନିବେଦନ କରିଛନ୍ତି । ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି । ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୋଧରେ ଆମର ଲଢେଇ ଜାରି ରହିଛି । ବାତ୍ୟା ‘ୟାସ୍’ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଆସିଛି । ଏକ ସମୟରେ ଦୁଇ ଦୁଇଟି ବଡ ବିପଦ, ବାତ୍ୟା ଓ କୋଭିଡର ମୁକାବିଲା ଆମକୁ କରିବାକୁ ହେବ ।
ସେ କହିଲେ, ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ‘ଅମ୍ଫନ’ର ସାମ୍ନା କରିଥିଲେ । ସମସ୍ତଙ୍କ ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ । ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ । ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ ଶକ୍ତି ଗୋÂୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ବୋଲି କହିଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ, ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୋଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା । ବାତ୍ୟା ଆଶ୍ରୟସ୍ଥଳରେ ଓ ଘରେ ଦୁଇଟି ମାସ୍କ ପିନ୍ଧିବା ସହ ବାତ୍ୟା ଗଲା ପରେ ମଧ୍ୟ ଦୁଇଟି ମାସ୍କ ପିନ୍ଧିବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons