ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱରେ ଯେତିକି ଜୀବନ ନେଇଥିବା କୁହାଯାଉଛି, ପ୍ରକୃତରେ ତାହାଠାରୁ ଢେର୍ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଦେଢ଼ କୋଟିରୁ ଅଧିକ ହେବ । ଦୁଇବର୍ଷ ମଧ୍ୟରେ ଦର୍ଶାଯାଇଥିବା କୋଭିଡ ମୃତୁ୍ୟ ତୁଳନାରେ ଏହା ଦୁଇଗୁଣା ଅଧିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚ୍ଓ) ଏହାର ସଦ୍ୟ ରିପୋର୍ଟରେ ଏଭଳି ଦାବି କରିଛି । ସେହିଭଳି ଭାରତରେ କୋଭିଡ ମୃତୁ୍ୟ ବିଶ୍ୱରେ ସର୍ବାଧିକ । ଏଠାରେ ଘାତକ ଭୂତାଣୁ ୪୭ ଲକ୍ଷଙ୍କ ଜୀବନ ନେଇଥିବା ସଂଗଠନ କହିଛି । ଅନ୍ୟପକ୍ଷରେ ଭାରତ ଏହା ଉପରେ ପ୍ରଶ୍ନ ଉଠାଇବା ସହ ଯୁକ୍ତି ଉପସ୍ଥାପନ କରିଛି ।
ଡବ୍ଲୁ୍ୟଏଚ୍ଓ କହିଛି ଯେ ଅଧିକାଂଶ ଦେଶ ପ୍ରକୃତ କରୋନାଜନିତ ମୃତୁ୍ୟ ସଂଖ୍ୟାକୁ ଲୁଚାଇଛନ୍ତି କିମ୍ବା ଠିକ୍ ଭାବେ ଆକଳନ କରିପାରି ନାହାନ୍ତି । କିଛି ଦେଶ ଏହି ସଂଖ୍ୟାକୁ ଏବେ ସଂଶୋଧନ କରୁଛନ୍ତି । ୱାର୍ଲଡୋମିଟର୍ ରିପୋର୍ଟରେ ବିଶ୍ୱ କରୋନା ମୃତୁ୍ୟ ସଂଖ୍ୟା ୬୨.୭୦ ଲକ୍ଷ ଦର୍ଶାଯାଇଥିବା ବେଳେ ସରକାରୀ ସୂତ୍ର ଏହାକୁ ୫୪ ଲକ୍ଷ ଦର୍ଶାଉଛି । କିନ୍ତୁ ଏହି ତଥ୍ୟଗୁଡ଼ିକୁ ଡବ୍ଲୁ୍ୟଏଚ୍ଓ କାଟ୍ କରିଦେଇଛି । ଭାରତରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୫,୨୩,୯୭୫ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କହୁଛି । ଯେବେ କି ଏହା ପାଖାପାଖି ୧୦ ଗୁଣା ଅଧିକ ବୋଲି ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହା କହିଛି ଯେ ବିଶ୍ୱର ମୋଟ କରୋନା ମୃତୁ୍ୟରେ ଭାରତ ଏକତୃତୀୟାଂଶ ଭାଗୀଦାର ।
ଡବ୍ଲୁ୍ୟଏଚ୍ଓର ଏଭଳି ରିପୋର୍ଟରେ ଭାରତ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଆପତ୍ତି ଉଠାଇଛି । ଅତ୍ୟଧିକ କୋଭିଡ୍ ମୃତୁ୍ୟ ଆକଳନ ପାଇଁ ଡବ୍ଲୁ୍ୟଏଚ୍ଓ ଆପଣାଇଥିବା ଗାଣିତିକ ସୂତ୍ର ଉପରେ ଅଙ୍ଗୁଳି ଉଠାଇଛି । ଯେଉଁଭଳି ଉପାୟରେ ତଥ୍ୟ ସଂଗ୍ରହ କରାଯାଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି । ଡବ୍ଲୁ୍ୟଏଚ୍ଓକୁ ଭାରତ କହିଛି ଯେ ଭାରତୀୟ ମହା ରେଜିଷ୍ଟ୍ରାର୍ (ଆର୍ଜିଆଇ) ଦ୍ୱାରା ସିଭିଲ୍ ରେଜିଷ୍ଟେ୍ରସନ୍ ବ୍ୟବସ୍ଥା (ସିଆର୍ଏସ୍) ଜରିଆରେ ପ୍ରାମାଣିକ ତଥ୍ୟ ଉପଲବ୍ଧ ରହିଛି । ତେଣୁ ଭାରତର ଅତ୍ୟଧିକ କୋଭିଡ ମୃତୁ୍ୟ ଆକଳନ ଲାଗି ଗାଣିତିକ ମଡେଲ୍ ବ୍ୟବହାର ହେବା ଅନୁଚିତ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି କହିଛି ଯେ ଭାରତରେ ଜନ୍ମ-ମୃତୁ୍ୟ ପଞ୍ଜିକରଣ ମାତ୍ରା ବେଶ୍ ଅଧିକ । ଏହାକୁ ଦଶନ୍ଧି ଦଶନ୍ଧି ଧରି ବୈଧାନିକ ଢାଞ୍ଚା ଯଥା ‘ଜନ୍ମ ଓ ମୃତୁ୍ୟ ପଞ୍ଜିକରଣ ଆଇନ, ୧୯୬୯’ ଦ୍ୱାରା ପରିଚାଳନା କରାଯାଉଛି । ଆର୍ଜିଆଇ ଦ୍ୱାରା ପ୍ରତିବର୍ଷ ପଞ୍ଜିକରଣ ତଥ୍ୟ ଜାରି କରାଯାଉଛି, ଯାହାକୁ ଦେଶବିଦେଶର ଗବେଷକ, ନୀତି ନିର୍ଦ୍ଧାରଣକାରୀ ଏବଂ ବୈଜ୍ଞାନିକ ସମୂହ ବିଶ୍ୱାସର ସହ ବ୍ୟବହାର କରିଆସୁଛନ୍ତି ।
ଏତଦ୍ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଦିଆଯାଉଥିବା ରିପୋର୍ଟକୁ ଆଧାର କରି ଆର୍ଜିଆଇ ପ୍ରତିବର୍ଷ ଜାତୀୟ ରିପୋର୍ଟ ଜାରି କରିଥାଏ । ୨୦୧୯ ପାଇଁ ଜାତୀୟ ରିପୋର୍ଟ ୨୦୨୧ ଜୁନ୍ ଓ ୨୦୨୦ ପାଇଁ ୨୦୨୨ ମେ ୩ରେ ପ୍ରକାଶ ପାଇଥିଲା । ଭାରତ ଏହି ତଥ୍ୟଗୁଡ଼ିକୁ ଦୃଢ଼ତାର ସହ ବିଶ୍ୱାସ କରିଆସୁଛି ଏବଂ ଏହା ବେଶ୍ ଯଥାର୍ଥ ।
ଡବ୍ଲୁ୍ୟଏଚ୍ଓ ନିଜ ରିପୋର୍ଟରେ ଦର୍ଶାଇଥିବା କୋଭିଡ ମୃତୁ୍ୟରେ ସେହି ଲୋକମାନଙ୍କୁ ମଧ୍ୟ ସାମିଲ କରିଛି, ଯେଉଁମାନେ ସଂକ୍ରମିତ ହେବା ପରେ ହସ୍ପିଟାଲ ଯାଇ ନ ପାରି ପ୍ରାଣ ହରାଇଥିଲେ । କୋଭିଡ ବିଶ୍ୱରେ ସିଧାସଳଖ ୯୫ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଡବ୍ଲୁ୍ୟଏଚ୍ଓ ଦାବି କରିଛି ।
ଡବ୍ଲୁ୍ୟଏଚ୍ଓ ଆହୁରି କହିଛି ଯେ ଇଜିପ୍ଟରେ ଯେତିକି କୋଭିଡ ମୃତୁ୍ୟ ହୋଇଥିବା ନେଇ ସରକାର ଆକଳନ କରିଛନ୍ତି, ତାହାଠାରୁ ୧୧.୬ ଗୁଣା ଅଧିକ ମୃତୁ୍ୟ ହୋଇଛି । ସେହିଭଳି ଭାରତରେ ୯.୯ ଗୁଣା, ପାକିସ୍ତାନରେ ୮, ଇଣ୍ଡୋନେସିଆରେ ୭.୧, ବାଂଲାଦେଶରେ ୫ ଗୁଣା ଅଧିକ କରୋନାଜନିତ ମୃତୁ୍ୟ ହୋଇଛି । ବଲିଭିଆରେ ୪.୫ ଗୁଣା ଅଧିକ ମୃତୁ୍ୟ ହୋଇଥିବା ବେଳେ ସର୍ବିୟାରେ ୪.୪, କାଜାଖସ୍ତାନରେ ୪.୨, ଫିଲିପାଇନ୍ସରେ ୩.୬ ଓ ରୁଷରେ ୩.୫ ଗୁଣା ଅଧିକ କରୋନା ମୃତୁ୍ୟ ହୋଇଛି ।
ଏ ବାବଦରେ ଡବ୍ଲୁ୍ୟଏଚ୍ଓ ଡାଟା ବିଭାଗର ଡା. ସମୀରା ଆସ୍ମା କହିଛନ୍ତି, କରୋନା ମୃତୁ୍ୟ ପାଇଁ ନୀତି ନିର୍ଦ୍ଧାରକମାନେ ଉତ୍ତରଦାୟୀ ରହିବା ଆବଶ୍ୟକ । ଯଦି ଆମେ ମୃତୁ୍ୟ ସଂଖ୍ୟାକୁ ଠିକ୍ ଭାବେ ହିସାବ ନ କରିବା, ପରବର୍ତ୍ତୀ ସମୟରେ ପ୍ରସ୍ତୁତ ରହିପାରିବା ନାହିଁ । ଚୀନ୍ ଏ ବାବଦରେ ଅଧିକ ସଜାଗ ରହିଛି । ଅଷ୍ଟେ୍ରଲିଆ, ଜାପାନ ଓ ନରୱେ ଭଳି ଦେଶରେ ଅଧିକ ଲୋକ ସଂକ୍ରମିତ ହୋଇଥିଲେ ହେଁ ମୃତୁ୍ୟ ସଂଖ୍ୟା କମ୍ ରହିଛି । ଆଫ୍ରିକାରେ ୫୪ ରାଷ୍ଟ୍ର ମଧ୍ୟରୁ ୪୧ ଦେଶରେ ଭରସାଯୋଗ୍ୟ ପରିସଂଖ୍ୟାନ ବ୍ୟବସ୍ଥା ନାହିଁ ।
ୱାର୍ଲଡୋମିଟର ତଥ୍ୟ ମୁତାବକ, ମହାମାରୀ ଆରମ୍ଭ ପରଠାରୁ ବିଶ୍ୱରେ ୫୧.୫୫ କୋଟିରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ୬୨.୭୦ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି । ଆମେରିକାରେ ସର୍ବାଧିକ ୧୦.୨୩ ଲକ୍ଷ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ବ୍ରାଜିଲରେ ୬.୬୩ ଲକ୍ଷ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ଭାରତରେ ଏହି ସଂଖ୍ୟା ୫.୨୩ ଲକ୍ଷ ରହିଛି । ସେହିଭଳି ରୁଷରେ ୩.୭୬ ଲକ୍ଷ, ମେକ୍ସିକୋରେ ୩.୨୪ ଲକ୍ଷ, ପେରୁରେ ୨.୧୨ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କୋଭିଡ ମୃତୁ୍ୟ ଦୃଷ୍ଟିରୁ ଭାରତ ତୃତୀୟ ସ୍ଥାନରେ ଥିବା ବେଳେ ମୋଟ ସଂକ୍ରମଣ ମାମଲାରେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ।
Comments are closed, but trackbacks and pingbacks are open.