ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶ୍ୱ ମହାମାରୀ ‘କରୋନା ଭୂତାଣୁ’ ସଙ୍କଟକୁ ମିଳିମିଶି ସମ୍ମୁଖୀନ ହୁଅ । ଏହାକୁ ଡରି ନ ଯାଇ ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କର । ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଜରିଆରେ ଏଭଳି ଆହ୍ୱାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବର୍ତ୍ତମାନର ସ୍ଥିତିରେ ଲୋକମାନେ କରୋନା ଭୂତାଣକୁ ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି, ଆଜିର ଦିନରେ ସାରା ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ପହଞ୍ଚିଛି । କରୋନା ଭୂତାଣୁ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି । ଏହା ବିଶ୍ୱଯୁଦ୍ଧଠାରୁ ବି ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଣ୍ଣନା କରିଛନ୍ତି । କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଅନେକ ସକାରାତ୍ମକ ପଦକ୍ଷେପ ନେଉଛନ୍ତି । ଏଭଳି ସମୟରେ ସରକାରଙ୍କ ସହଯୋଗୀ ଭାବେ ଲୋକମାନଙ୍କୁ ବ୍ୟାପକ ସଚେତନ ହେବାକୁ ପଡ଼ିବ । ଯୁବପିଢ଼ି, ରାଜନୈତିକ କାର୍ଯ୍ୟକର୍ତ୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହି ଦାୟିତ୍ୱରୁ ମୁହଁ ନ ଫେରାଇ ସାମ୍ନା କରିବା ଦରକାର ।
ଓଡ଼ିଶା ସତେମ ଦେଶର ଅଧିକାଂଶ ସଂକ୍ରମିତ ବ୍ୟକ୍ତି ବିଦେଶରୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ସ୍ୱଦେଶ ଫେରିଛନ୍ତି । ଦେଶ ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସି ଆଉ କିଛି ସଂକ୍ରମିତ ହୋଇଛନ୍ତି । ଏପରି ପରିସ୍ଥିତିରେ ଓଡ଼ିଶାକୁ ଫେରୁଥିବା ବନ୍ଧୁମାନେ ସରକାରୀ ବ୍ୟବସ୍ଥା ଅନୁସାରେ ନିଜକୁ ପଞ୍ଜୀକୃତ କରିବା ଓ ଡାକ୍ତରୀ ପରାମର୍ଶ ଦ୍ୱାରା ସଂକ୍ରମଣ ଲକ୍ଷଣ ଥିଲେ ନିଜକୁ କ୍ୱାରାଣ୍ଟାଇନ୍ ବା ନିଜକୁ ଅନ୍ୟଠାରୁ ଦୂରେଇ ରଖିବା ଆବଶ୍ୟକ । ଏହାସହ ରିପୋର୍ଟ ପଜିଟିଭ ବାହାରିଲେ ଭୟଭୀତ ନ ହୋଇ ଡାକ୍ତର ଓ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ଜରୁରି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଧାର୍ମିକ ସ୍ଥାନ, ବିବାହ ଉତ୍ସବ ସମେତ ଭିଡ଼ ସ୍ଥାନଠାରୁ ସାମାଜିକ ଦୂରତା ରଖିବା ଆବଶ୍ୟକ । ଏହାସମେତ ଗରିବ ଲୋକମାନଙ୍କର ବିଶେଷ ଯତ୍ନ ନେବା ସମସ୍ତଙ୍କର ଦାୟିତ୍ୱ ।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆସନ୍ତା ରବିବାର ଦେଶର ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ଜନତା ‘ଜନତା କର୍ଫୁ୍ୟ’କୁ ସଫଳ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସମୟରେ ଦେଶର ଡାକ୍ତର, ନର୍ସମାନେ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ନିର୍ଭୀକ ଭାବେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସେମାନଙ୍କୁ ସଭିଏଁ ସହଯୋଗ କରିବା ଉଚିତ । ଡାକ୍ତରଖାନାରେ ଗହଳି ନ କରି ଘରେ ରହି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଆବେଦନ କ୍ରମେ ରବିବାର ସନ୍ଧ୍ୟା ୫ଟା ବେଳେ ୫ ମିନିଟ୍ ପାଇଁ ଚିକିତ୍ସକ, ପାରାମେଡିକାଲ ବ୍ୟକ୍ତିବିଶେଷଙ୍କୁ ହରିବୋଲ, କରତାଳି, ହୁଳହୁଳି ଓ ଶଙ୍ଖ ଫୁଙ୍କି କୃତଜ୍ଞତା ଜଣାଇବାକୁ ଦେଶବାସୀଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
ଓଡ଼ିଶାରେ କରୋନା ଭୂତାଣୁର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମହାମାରୀର ପ୍ରତିକାର ପାଇଁ ବେଶ ଉତ୍ତମ ପଦକ୍ଷେପ ନିଆଯାଇଛି । ସାର୍କ ରାଷ୍ଟ୍ରଗୁଡ଼ିକରେ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଇଛନ୍ତି । ଏଥିରେ ସମସ୍ତେ ସହଯୋଗୀ ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏଭଳି ସ୍ଥିତିରେ କୌଣସି ପ୍ରକାର ଭୟଭୀତ ନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରେ ଦେଶର ସମସ୍ତ ଜନସାଧାରଣ ମିଶି ରାଜ୍ୟ ଓ ଦେଶକୁ ଏହି ବିଶ୍ୱ ମହାମାରୀକୁ ଦୃଢ଼ତାର ସହ ସାମ୍ନା କରନ୍ତୁ । ସମସ୍ତଙ୍କ ମିଳିତ ଉଦ୍ୟମରେ ମାନବ ଜାତି ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Comments are closed, but trackbacks and pingbacks are open.