ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନି

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ‘ବାହାର ପାଣି, ବାହାର ଖାଦ୍ୟ ଆମକୁ ମନା । ଅକାରଣେ ବାହାରେ ବୁଲିବା ବି । ହେଲେ ଆମକୁ ଏସବୁ କରିବା ପାଇଁ ଏବେ ଏକପ୍ରକାର ବାଧ୍ୟ କରାଯାଉଛି । ଏଭଳି କଲେ ଶରୀରରେ ପ୍ରତିରୋପଣ କରାଯାଇଥିବା କିଡ୍ନୀ ଅଚଳ ବା ସଂକ୍ରମିତ (ରିଜେକ୍ଟ) ହୋଇଯାଇପାରେ ବୋଲି ଡାକ୍ତର ଚେତାଇ ଦେଇଛନ୍ତି । ତଥାପି ଆମେ ଉପାୟଶୂନ୍ୟ ।’
-କିଡ୍ନୀ ପ୍ରତିରୋପଣ ପରେ ଫଲୋ-ଅପ୍ ଚିକିତ୍ସା ପାଇଁ ଏସ୍ସିବିକୁ ଆସିଥିବା ୪୦ରୁ ଉଦ୍ଧ୍ୱର୍ ରୋଗୀଙ୍କର ଏହା ହେଉଛି କ୍ଷୋଭଭରା କଥା । ଯାହା ଆଜି ପ୍ରତିବାଦର ରୂପ ନେଇଥିଲା ଏସ୍ସିବି କ୍ୟାମ୍ପସ୍ରେ । କିଡ୍ନୀ ପ୍ରତିରୋପଣ ହୋଇଥିବା ବହୁ ରୋଗୀ ଆଜି ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଏକଜୁଟ୍ ହୋଇ, ଫଲୋ-ଅପ୍ ଚିକିତ୍ସା ପାଇଁ ପ୍ରତି ସପ୍ତାହରେ ଆସି ଖରା ଓ ଭୋକ ଉପାସରେ କିପରି ଦହଗଞ୍ଜ ହେଉଛନ୍ତି ତାହା ଦର୍ଶାଇ କ୍ଷୋଭ ପ୍ରକାଶ କରିଥିଲେ । ଡାକ୍ତରମାନେ ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନଥିବା ବେଳେ ସେମାନଙ୍କୁ ବିକଳ୍ପ କମ୍ପୋଜିସନ୍ ଔଷଧ ନେବାକୁ କିପରି ବାଧ୍ୟ କରାଯାଉଛି ସେନେଇ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନଙ୍କ ପ୍ରତି କରାଯାଉଥିବା ଅବିଚାର ଓ ଅବହେଳାର ପ୍ରତିବାଦ କରିଥିଲେ । ସେମାନଙ୍କ ମୁଖ୍ୟ ଅଭିଯୋଗ ହେଲା, ଡାକ୍ତର ଯେଉଁ ଔଷଧ ଲେଖୁଛନ୍ତି ସେ ଔଷଧ ନିରାମୟ କେନ୍ଦ୍ରରେ ମିଳୁନି । ଔଷଧ ପାଇଁ ଏସ୍ସିବିକୁ ଆସି ପ୍ରତି ସପ୍ତାହରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ହୀନସ୍ତା ଭୋଗିବାକୁ ପଡୁଛି । ମୁଣ୍ଡଫଟା ଖରାରେ ଭୋକ ଉପାସରେ ସେମାନଙ୍କ ଦିନ କଟୁଛି । ଯାହା ସେମାନଙ୍କୁ ଅଧିକ ଅସୁସ୍ଥ କରୁଛି ।
ସେମାନଙ୍କ ଭିତରୁ କିଏ ବାଲେଶ୍ୱରରୁ ତ’ ଆଉ କିଏ ଖୋର୍ଦ୍ଧାରୁ, ପୁଣି କିଏ ଭୁବନେଶ୍ୱରରୁ ଆସିଥିଲେ । ସେମାନଙ୍କ ସମସ୍ୟାର ସମାଧାନ ବାଟ ନ ବାହାରିବା ପର୍ଯ୍ୟନ୍ତ ଏଠାରୁ ଉଠିବାର ପ୍ରଶ୍ନ ଉଠୁନାହିଁ ବୋଲି କିଡ୍ନୀ ପ୍ରତିରୋପଣ ହୋଇଥିବା ରୋଗୀମାନେ ଅଡି ବସିଥିଲେ । ପରେ ଏହି ଘଟଣାକୁ ନେଇ ଏସ୍ସିବି ଅଧୀକ୍ଷକଙ୍କ ଚାମ୍ବର୍ରେ ଏକ ଜରୁରିକାଳୀନ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ବରିÂ ପ୍ରଫେସର ଡାକ୍ତର ଇନ୍ଦୁଭୁଷଣ କର ଓ ଷ୍ଟୋର ମେଡିକାଲ ଅଫିସର ଡାକ୍ତର ଏସ୍.ସି. ସିଂ ପ୍ରମୁଖ ବୈଠକରେ ରୋଗୀମାନଙ୍କ ସମସ୍ୟା ଆଲୋଚନା କରିବା ପରେ ସମାଧାନର ପ୍ରତିଶ୍ରୁତି ଦିଆଯାଇଥିଲା । ସେମାନଙ୍କୁ ଡାକ୍ତର ଲେଖି ଦେଇଥିବା ଔଷଧ ବଦଳାଯିବ ନାହିଁ ବୋଲି ଅଧ୍ୟକ୍ଷ ଓ ଅଧୀକ୍ଷକ ପ୍ରତିଶ୍ରୁତି ଦେବା ପରେ ରୋଗୀମାନେ ପ୍ରତିବାଦସ୍ଥଳରୁ ଉଠିଥିଲେ ।
ଅଧୀକ୍ଷକଙ୍କ ଚାମ୍ବର୍ ଆଗରେ ବସିଥିବା କିଡ୍ନୀ ରୋଗୀମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଆସିଥିବା ତ୍ରିନାଥ ସାହୁ(୪୮) କହନ୍ତି, ୨୦୧୫ରେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା । କିଡ୍ନୀ ପ୍ରତିରୋପଣ ପରେ ତାଙ୍କୁ ସିରେଲ୍ମୋସ୍ ଓ ରେନୋଡଫ୍-୩୬୦ ଔଷଧ ନିୟମିତ ଭାବେ ଖାଇବାକୁ କୁହାଯାଇଥିଲା । ହେଲେ ଏବେ ନିରାମୟ କେନ୍ଦ୍ରରେ ଏହି ଦୁଇଟି ମେଡିସିନ୍ ବଦଳରେ ଅନ୍ୟ ମେଡିସିନ୍ ଖାଇବାକୁ ଦିଆଯାଉଛି । ବାଲେଶ୍ୱରରୁ ଆସିଥିବା ରବି କୁମାର ପଣ୍ଡା(୨୮) କହନ୍ତି, ୨୦୧୭ରେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଛି । ଏବେ ଡାକ୍ତର ଯେଉଁ ଔଷଧ ଲେଖୁଛନ୍ତି ସେ ଔଷଧ ନିରାମୟ କେନ୍ଦ୍ରରେ ମିଳୁନାହିଁ । ବଡ ଦୁଃଖ ଓ କଷ୍ଟରେ ବାଲେଶ୍ୱରରୁ ପ୍ରତି ସୋମବାର ଏଠାକୁ ଆସି ନିରାଶ ହୋଇ ଫେରିବାକୁ ପଡୁଛି । ପରିସ୍ରା ଲାଗିଲେ ପଲିଥିନ୍ ଜରିରେ ପରିସ୍ରା କରି ବାହାରେ ଫିଙ୍ଗୁଛି । କାରଣ ଖୋଲା ଜାଗାରେ ପରିସ୍ରା କଲେ କିମ୍ବା ଅନ୍ୟ ଟଏଲେଟ୍ ବ୍ୟବହାର କଲେ ସଂକ୍ରମଣର ଆଶଙ୍କା ରହିଥିବା ସେ କହିଛନ୍ତି । ଖୋର୍ଦ୍ଧାରୁ ଆସିଥିବା ଅଶୋକ ପ;ନାୟକ(୪୮) ଓ ଯାଜପୁରରୁ ଆସିଥିବା ସମୀର ମହାନ୍ତି(୩୨)ଙ୍କ ଅଭିଯୋଗ ହେଉଛି, ଡାକ୍ତର ଯେଉଁ ଔଷଧ ଲେଖୁଛନ୍ତି ସେ ଔଷଧ ନିରାମୟ କେନ୍ଦ୍ରରେ ମିଳୁନି । ନିରାମୟ କେନ୍ଦ୍ର କହୁଛି ଆମ ପାଖରେ ଡାକ୍ତର ଲେଖିଥିବା ନିର୍ଦ୍ଧିଷ୍ଟ ଔଷଧ ନାହିଁ । କିନ୍ତୁ ତାର ବିକଳ୍ପ କମ୍ପୋଜିସନ୍ ଔଷଧ ଅଛି । ତାହାକୁ ନିଅ । ନିରାମୟ କେନ୍ଦ୍ରର ଔଷଧ ଖାଇବା ପରେ ଅନେକ ରୋଗୀ ଅସୁସ୍ଥ ହୋଇ ପୁନର୍ବାର ମେଡିକାଲରେ ଭର୍ତ୍ତି ହେଉଥିବା ସେମାନେ କହିଛନ୍ତି । ଯାଜପୁରରୁ ନିଜର ୩୨ ବର୍ଷ ବୟସର ଝିଅକୁ ନେଇ ଆସିଥିବା ଉଦ୍ଧବ ଚରଣ ନାୟକ କହନ୍ତି, ଗତବର୍ଷ ଜୁଲାଇ ୨୫ ତାରିଖରେ ତାଙ୍କ ଝିଅର କିଡ୍ନୀ ପ୍ରତିରୋପଣ କରାଯାଇଥିଲା । ହେଲେ ନିରାମୟ କେନ୍ଦ୍ରରେ ଔଷଧ ବଦଳାଯିବା ପରେ ତାଙ୍କ ଝିଅର ଦେହ ଅଧିକ ଖରାପ ହୋଇଯାଇଥିବା ସେ କହିଛନ୍ତି । ଔଷଧ ବଦଳାଯିବା ପରେ କମ୍ପାନୀ ବଦଳି ଯାଉଥିବାରୁ ଔଷଧର ଟ୍ୟାଗ୍ ଲେବଲ୍ ଟେଷ୍ଟ କରାଯାଇପାରୁ ନାହିଁ । ଯାହାଫଳରେ ରୋଗୀର ଶରୀରରେ ରୋଗ ପ୍ରତିରୋଧକାରୀ ଶକ୍ତି କେତେ ଅଛି ଓ କେଉଁ ଔଷଧ ରୋଗୀର ଶରୀର ସହିତ ଖାପ ଖାଇବ ତାହା ଜଣା ନପଡିବାରୁ ରୋଗୀମାନେ ଅସୁସ୍ଥ ହୋଇପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡା. ହୋତା ରୋଗୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏ ସମସ୍ୟାର ସମାଧାନ ପାଇଁ ଆଜି ଆଲୋଚନା କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons