ଡାବୁ ପାଇଁ ଅପହରଣ ପରେ ହତ୍ୟା

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନ୍ୟୁଜ୍): ଗତ ୧୦ତାରିଖ ପୂର୍ବାହ୍ନରେ ଦୁର୍ଗାପାଲିସ୍ଥିତ ତେଲ ନଦୀରୁ ଶ୍ରୀକାନ୍ତ ନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୁଇଁନ୍ତଳା ପୁଲିସ ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି । ମୃତ ଶ୍ରୀକାନ୍ତଙ୍କ ଘରେ ଡାବୁ(ହନୁମାନ ପଇସା) ଥିବା ସନ୍ଦେହ କରି ତାକୁ ପାଇବା ପାଇଁ ବାହାଲବୁକା ଗ୍ରାମର ସମ୍ପର୍କିୟ ଭାଇ ସୁରେଶ ବାଗ ଷଡ଼ଯନ୍ତ୍ର କରିଥିଲେ । ପ୍ରଥମେ ଶ୍ରୀକାନ୍ତଙ୍କୁ ଅପହରଣ କରିଥିଲେ । କିନ୍ତୁ ଅପହରଣ ସମୟରେ ଶ୍ରୀକାନ୍ତର ମୃତ୍ୟୁ ହେବାପରେ ତାଙ୍କୁ ନଦୀରେ ଫିଙ୍ଗିଦେଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଭିନ୍ନଭିନ୍ନ ସ୍ଥାନରୁ ମୃତକଙ୍କ ସାମଗ୍ରୀ ଏବଂ ମୃତଦେହ ଉଦ୍ଧାର ହେବା ପରେ ପୁଲିସର ସନ୍ଦେହ ଦ୍ୱିଗୁଣିତ ହୋଇଥିଲା । ପ୍ରଥମେ ପୂର୍ବଶତ୍ରୁତା ଏବଂ ପରେ ମୃତକ ଶ୍ରୀକାନ୍ତଙ୍କ(ସିଡିଆର) ଫୋନ କଲ ରେକର୍ଡ଼ ଯାଞ୍ଚ କରିବା ପରେ ପୁଲିସ ସୁରେଶଙ୍କ ସଂପୃକ୍ତି ଥିବା ଜଣାପଡିଥିଲା । ସୁରେଶ ଦୋଷ ସ୍ୱୀକାର କରିବା ପରେ ତାର ସୂଚନାଆଧାରରେ ପୁଲିସ ଅନ୍ୟତମ ସହଯୋଗୀ ନରେଶ ନନ୍ଦ, ରିତେଶ ସେଠ ଏବଂ ମଦନ ନାଗଙ୍କୁ ଗିରଫ କରିଛି । ଏବେ ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମାନସ ହରପାଲ, ରୋହିତ ବାଗ, ଅଭି ତାଣ୍ଡି, ସକଲ ତାଣ୍ଡି, ସଞ୍ଜିବ ବାରିକ ଫେରାର ରହିଥିବା ସଦର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ।
ପୁଲିସ ସୂଚନାଅନୁସାରେ, ମୃତ ଶ୍ରୀକାନ୍ତଙ୍କ ଘରେ ଡାବୁ(ହନୁମାନ ପଇସା) ଅଛି ବୋଲି ସୁରେଶ କୌଣସି ସୂତ୍ରରୁ ଖବର ପାଇଥିଲା । ହନୁମାନ ପଇସାର ମୂଲ୍ୟ ଅଧିକ ହୋଇଥିବାରୁ ଲୋଭର ବଶବର୍ତ୍ତି ହୋଇ ତାକୁ ହାସଲ କରିବାକୁ ଚାହିଁଥିଲା । ଏଥିପାଇଁ ସୁରେଶ ଗ୍ରାମର ସଞ୍ଜିବ ବାରିକଙ୍କ ସହିତ ମିଶି ଶ୍ରୀକାନ୍ତଙ୍କୁ ଅପହରଣ କରି ଶ୍ରୀକାନ୍ତଙ୍କ ବଦଳରେ ପରିବାରବର୍ଗଙ୍କୁ ଡାବୁ ମାଗିବେ ବୋଲି ଯୋଜନା ହୋଇଥିଲା । ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ସେମାନେ ମାନସ ହରପାଲ, ରୋହିତ ବାଗ, ଅଭି ତାଣ୍ଡି, ସକଲ ତାଣ୍ଡି, ସଞ୍ଜିବ ବାରିକ ଏବଂ ଅଟୋ ଡ୍ରାଇଭର ମଦନଙ୍କ ସହାୟତା ନେଇଥିଲେ । ଘଟଣା ପୂର୍ବରୁ ସୁରେଶ ବଲାଙ୍ଗୀର ଆସି ସମସ୍ତଙ୍କୁ ଶ୍ରୀକାନ୍ତକୁ ଦୂରରୁ ଚିହ୍ନେଇଦେଇଥିଲେ । ଘଟଣା ଦିନ ଶ୍ରୀକାନ୍ତ ଘରକୁ ଫେରୁଥିବା ବେଳେ ଏକ ସ୍କୁଟିରେ ନରେଶ ଏବଂ ରିତେଶ ସହରରୁ ପିଛା କରି ଗାଁ ପର୍ଯ୍ୟନ୍ତ ଯାଇଥିବା ବେଳେ ସେମାନଙ୍କଠାରୁ ଖବର ପାଇ ଅଟୋରିକ୍ସାରେ ମାନସ, ରୋହିତ, ଅଭି, ସଞ୍ଜିବ, ସକଳ, ସୁରେଶ ଓ ମଦନ ମିଶି ବହଲପଦର ଛକରେ ଛପି ରହିଥିଲେ । ଶ୍ରୀକାନ୍ତ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କୁ ଜବରଦସ୍ତ ଗାଡ଼ିକୁ ଟେକିନେଇ ମୁହଁରେ ଅଠାର ଟ୍ୟାପ ମାରିଦେଇ ଜାମଗାଁ ରାସ୍ତା ଦେଇ ଦୁର୍ଗାପାଲି ନିକଟସ୍ଥ ଭଙ୍ଗାଘରକୁ ନେଇଯାଇଥିଲେ । ସେଠାରେ ଶ୍ରୀକାନ୍ତଙ୍କୁ ଅଟୋରିକ୍ସାରୁ ବାହାର କରି ତଳକୁ ଓହ୍ଲାଇବାରୁ ସେ ବେହୋସ ହୋଇଯାଇଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଅପହରଣକାରୀଙ୍କ ମଧ୍ୟରେ ଥିବା ସଞ୍ଜୀବ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ହୋଇଥିବାରୁ ସେ ଶ୍ରୀକାନ୍ତଙ୍କ ହାତ ନାଡ଼ି ଓ ନିଶ୍ୱାସ ପରୀକ୍ଷା କରି ଶ୍ରୀକାନ୍ତ ମରିଯାଇଛି ବୋଲି କହିବାରୁ ସମସ୍ତେ ମିଶି ଶ୍ରୀକାନ୍ତଙ୍କୁ ନଦୀପାଣିରେ ଫିଙ୍ଗିଦେଇଥିଲେ । ଏଥିସହ ମୃତକର ବାଇକକୁ ମଧ୍ୟ ବ୍ରିଜ ତଳକୁ ଫିଙ୍ଗିଦେଇଥିଲେ । ଏନେଇ ମୃତକଙ୍କ ଭାଇ ଡୋଲାମଣି ନନ୍ଦ ପୁଇଁନ୍ତଳା ଥାନାରେ ଅଭିଯୋଗ କଲାପରେ ପ୍ରଥମେ ପୁଲିସ କେସ ନଂ ୧୨୫ ଧାରା ୩୬୪ ଏବଂ ପରବର୍ତ୍ତି ସମୟରେ ୩୦୨/୧୨୦(ବି)/୨୦୧/୩୪ଆଇପିସିରେ ମାମଲା ରୁଜୁ କରି ଥାନାଧିକାରୀ ସଂଗ୍ରାମକେଶରୀ ପ;ନାୟକ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons