କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ରେଳ ବିଭାଗ ଜମି ଛାଡ଼ୁ ନଥିବାରୁ କୋରାପୁଟ ଜାତୀୟ ରାଜପଥ ବାଇପାସ ନିର୍ମାଣରେ ବିଳମ୍ବ ଘଟୁଛି । ବାଇପାସ ସମସ୍ୟା ସମ୍ପର୍କରେ ଶୁକ୍ରବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଆରଏମ ଅନୁପକୁମାର ଶତପଥୀଙ୍କ ସହ ସ୍ଥାନୀୟ ସର୍କିଟ ହାଉସରେ ଆଲୋଚନା କରିଛନ୍ତି । ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପାଇପାସ ନିର୍ମାଣ ଆଶା ଉଜ୍ଜୀବିତ ହୋଇଛି ।
ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଗତକାଲି କୋରାପୁଟ ସହରର ନାଗରିକମାନେ ବାଇପାସ ନିର୍ମାଣରେ ରେଳ ଜମି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ସମାଜସେବୀ ଶରତ ପଟ୍ଟନାୟକ, ବିଦ୍ୟାଧର ଚୌଧୁରୀଙ୍କ ସହିତ ସାମ୍ବାଦିକମାନେ ମଧ୍ୟ ବାଇପାସ୍ ସମସ୍ୟା ନେଇ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋରାପୁଟ ସର୍କିଟ ହାଉସରେ ଏ ସମ୍ପର୍କରେ ରେଳମନ୍ତ୍ରୀ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ଡ଼କାଇ ଆଲୋଚନା କରିଥିଲେ । ବାଇପାସ ନିର୍ମାଣ ପାଇଁ ଜମି ପ୍ରତିବନ୍ଧକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଜମି କିଭଳି ହସ୍ତାନ୍ତର ହେବ ସେନେଇ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ସୂଚନା ଥାଉକି ବିଶାଖାପାଟଣା ଓ ରାୟପୁର ମଧ୍ୟରେ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ ହେଉଛି କୋରାପୁଟ ଜିଲ୍ଲାର ଲାଇଫ୍ ଲାଇନ୍ । ଏହି ଜାତୀୟ ରାଜପଥରେ କୋରାପୁଟ ସହର ବାଇପାସ ରାସ୍ତା ପାଇଁ ୬ବର୍ଷ ତଳେ ମଞ୍ଜୁରି ମିଳିଥିଲେ ମଧ୍ୟ ରେଳ ବିଭାଗର ଅସହଯୋଗ ପାଇଁ ରାସ୍ତାକାମ ଆରମ୍ଭ ହୋଇ ପାରୁନାହିଁ । କୋରାପୁଟ ସହର ଭିତରେ ଜାତୀୟ ରାଜପଥ ଯାଇଛି । ସହର ରାସ୍ତା ସଙ୍କୋଚିତ ଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ରହିଛି । ତେଣୁ ବାଇପାସ ନିର୍ମାଣ ପାଇଁ ଦୀର୍ଘବର୍ଷ ହେଲା ଅଞ୍ଚଳବାସୀ ଦାବି କରିଆସୁଛନ୍ତି । ପ୍ରକଳ୍ପ ତ୍ୱାରାନ୍ୱିିତ ପାଇଁ ଜୁଲାଇରେ କୋରାପୁଟ ଜିଲ୍ଲାପାଳ ରେଳବିଭାଗ ପୂର୍ବତଟ ଜୋନାଲ ମୁଖ୍ୟ ମ୍ୟାନେଜରଙ୍କୁ ଚିଠି ଲେଖିଥିଲେ । କିନ୍ତୁ ରେଳ ବିଭାଗର ବିରୋଧ ଯୋଗୁ ବାଇପାସ୍ କାମ ଆଗେଇ ପାରି ନାହିଁ । ଜାତୀୟ ରାଜପଥ ବାଇପାସ ନିର୍ମାଣ ନିମନ୍ତେ ଘରୋଇ ଜମି ଅଧିଗ୍ରହଣ ପାଇଁ ସମସ୍ୟା ନାହିଁ । ରେଳ ବିଭାଗ ଜମିକୁ ନେଇ ସମସ୍ୟା ଥିବାବେଳେ ଏବେ ମନ୍ତ୍ରୀଙ୍କ ଆଲୋଚନା ପରେ ନିର୍ମାଣ ନେଇ ଆଶା ଦେଖାଦେଇଛି । ଏହି ବାଇପାସ ରାସ୍ତା କୋରାପୁଟ ସହର ସଦର ଥାନା ନିକଟ ରେଲୱେ ଓଭର ବ୍ରିଜ୍ ପାଖରୁ ବାହାରି ଷ୍ଟେସନ ରାସ୍ତା, ଷ୍ଟାଡ଼ିୟମ ପଛପଟ ଦେଇ ସାଢେ଼ ୩ କିମି ପାରି ହୋଇ ରୋଶନ ପେଟ୍ରୋଲ ପମ୍ପ ନିକଟରେ ସଂଯୋଗ ପାଇଁ ଯୋଜନା ରହିଛି । ରାସ୍ତା ୬୦ ମିଟର ଓସାର ହେବ । ଏଥିପାଇଁ ୩ଟି ମୌଜାର ୨୯ ଏକର ୧୯ ସେଣ୍ଟ ଘରୋଇ ଜମି ଅଧିଗ୍ରହଣ ହେବ । ବଳକା ସରକାରୀ ଜମି ୨୫ ଏକର ୨୧ ସେଣ୍ଟ ମଧ୍ୟରେ ରେଳ ବିଭାଗର ସାଢେ଼ ୪ ଏକର ଜମି ରହିଛି ।


Comments are closed, but trackbacks and pingbacks are open.