ନୂଆଦିଲ୍ଲୀ: ଶନିବାର ଭାରତ ତା’ର ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ । ଏଥିପାଇଁ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀର ଲାଲକିଲ୍ଲାରେ ମୁଖ୍ୟ ଉତ୍ସବ ଆୟୋଜନ କରାଯିବ । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଦ୍ୱାରା ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଦିଲ୍ଲୀ ପୁଲିସ କହିଛି କି ଏଥିପାଇଁ ଅନ୍ୟ ସୁରକ୍ଷା ଏଜେନ୍ସି ଯେପରିକି ଏନଏସଜି, ଏସପିଜି ଏବଂ ଆଇଟିବିପି ସହ ସମନ୍ୱୟ ରକ୍ଷା କରାଯାଉଛି । ଯେକୌଣସି ପ୍ରକାର ବିପଦକୁ ପ୍ରତିହତ କରିବା ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ମିଳିତ ଭାବେ କାମ କରିବେ । ସ୍ୱାଟ୍ ଟିମ୍ ଏବଂ ପରାକ୍ରମ ଭ୍ୟାନକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ନିୟୋଜିତ କରାଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ କରାଯିବା ସହିତ ଫେସ୍ ରେକଗନିସନ ସିଷ୍ଟମ୍କୁ ବି କାର୍ଯ୍ୟକ୍ଷମ କରାଯାଇଛି । ସେହିପରି ଉତ୍ସବ ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଦିଶାନିଦେ୍ର୍ଧଶର ପାଳନ କରାଯିବ । ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁଖ୍ୟ ଉତ୍ସବକୁ ପ୍ରାୟ ୪,୦୦୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ କରୋନା ସଂକ୍ରମଣ ଏଡାଇବା ପାଇଁ ବସିବା ବ୍ୟବସ୍ଥାରେ ଏଥରକ କିଛି ପରିବର୍ତ୍ତନ କରାଯାଇଛି । ସମସ୍ତଙ୍କ ଭିତରେ ଦୁଇ ଫୁଟର ଦୂରତା ବଜାୟ ରଖାଯାଇ ବସିବା ବ୍ୟବସ୍ଥା କରାଯାଇଛି । ସମସ୍ତ ଅତିଥିଙ୍କୁ ମାସ୍କ ପିନ୍ଧି ଆସିବାକୁ କୁହାଯିବା ସହିତ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ବି ରଖାଯାଇଛି । ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ବି କରାଯାଇଛି । ଅଧିକ ସଂଖ୍ୟାରେ ମେଟାଲ ଡିଟେକ୍ଟର ଲଗାଯାଇଛି ଯାହାଦ୍ୱାରା କୌଣସି ସ୍ଥାନରେ ଯାଞ୍ଚ ବେଳେ ଗହଳି ହେବ ନାହିଁ ।
ଦେଶର ୭୪ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଲାଲକିଲ୍ଲୀରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ମୋଦି ‘ ଏକ ଦେଶ, ଏକ ହେଲ୍ଥ କାର୍ଡ’ ନୀତି ସମ୍ପର୍କରେ କିଛି ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।
ଏହି ସ୍କିମରେ ଦେଶର ପ୍ରତ୍ୟେକ ନାଗରିକଙ୍କ ମେଡିକାଲ ରେକର୍ଡକୁ ଡିଜିଟାଲ ଫରମାଟରେ ସଂରକ୍ଷିତ ରଖାଯିବାର ଯୋଜନା କରାଯାଇଛି । ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କୁ ଗୋଟିଏ ସ୍ୱତନ୍ତ୍ର ଆଇଡି ଦିଆଯିବ । ଆଧାର କାର୍ଡ ଢାଞ୍ଚାରେ ଏଭଳି ହେଲ୍ଥ କାର୍ଡ ପ୍ରସ୍ତୁତ କରାଯିବ । ଉକ୍ତ କାର୍ଡରେ ସଂପୃକ୍ତ ବ୍ୟକ୍ତିଙ୍କ ସମସ୍ତ ପ୍ରକାର ମେଡିକାଲ ପରୀକ୍ଷା ଏବଂ ଚିକିତ୍ସା ସମ୍ପର୍କିତ ତଥ୍ୟ ମହଜୁଦ ରହିବ । ଦେଶର ସମସ୍ତ ହସ୍ପିଟାଲ ଏବଂ ଡାକ୍ତରଙ୍କୁ ଗୋଟିଏ ସେଣ୍ଟ୍ରାଲ ସର୍ଭର ସହିତ ସଂଯୁକ୍ତ କରାଯିବ । ଏହାଯୋଗୁ ଫାଇଦା ଏଇଆ ହେବ ଯେ ଜଣେ ବ୍ୟକ୍ତିଙ୍କୁ ଆଉ ନିଜର ସବୁ ମେଡିକାଲ ରେକର୍ଡ ଧରି ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ସେ କେବଳ ଡାକ୍ତରଙ୍କୁ ନିଜର ହେଲ୍ଥ କାର୍ଡ ଆଇଡି କହିଦେଲେ ସେ ସର୍ଭରରୁ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସବୁ ରେକର୍ଡ ପାଇଯିବେ । ଏହି ସେଣ୍ଟ୍ରାଲ ସର୍ଭର ସହିତ ସମସ୍ତ ମେଡିସିନ ଷ୍ଟୋର ଏବଂ ସ୍ୱାସ୍ଥ୍ୟ ବୀମା ଯୋଗାଉଥିବା କଂପାନିଙ୍କୁ ବି ଯୋଡାଯିବାର ଯୋଜନା ରହିଛି । ତେବେ ନାଗରିକଙ୍କ ପାଇଁ ଏହି ଯୋଜନାରେ ସାମିଲ ହେବା ବାଧ୍ୟତାମୂଳକ କରାଯିବ ନାହିଁ । ଜଣେ ଚାହିଁଲେ ନିଜକୁ ଏହି ସ୍କିମରୁ ବାଦ୍ ଦେଇପାରିବ ।
ସରକାର ପର୍ଯ୍ୟାୟ କ୍ରମେ ଏହି ଯୋଜନା ଲାଗୁ କରିବେ । ପ୍ରଥମ ପର୍ଯ୍ୟାୟ ପାଇଁ ସରକାର ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
Comments are closed, but trackbacks and pingbacks are open.