ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ରବିବାର ରାତିରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଗୁଣଦେଇ ଗ୍ରାମ ରାସ୍ତା ପାଶ୍ୱର୍ ଡ୍ରେନ୍ ମଧ୍ୟରେ ଏକ ହାତୀଛୁଆ ଫସି ଯାଇଥିଲା । ଆଜି ସକାଳେ ଗ୍ରାମବାସୀ ଦେଖି ବନ କର୍ମଚାରୀଙ୍କୁ ଖବର ଦେବା ପରେ ବହୁ କଷ୍ଟରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା । ଡ୍ରେନ୍ରୁ ମୁକୁଳିବାକୁ ହାତୀଛୁଆ ଓ ମା’ ହାତୀ ବହୁ କସରତ୍ କରି ବିଫଳ ହୋଇଥିଲେ ।
ସୂଚନା ଅନୁଯାୟୀ, ରବିବାର ରାତିରେ ନିକଟସ୍ଥ ଜଙ୍ଗଲରେ ଥିବା ହାତୀପଲ ୫୫ ନଂ ଜାତୀୟ ରାଜପଥ ପାର ହୋଇ ଗୁଣଦେଇ ଗ୍ରାମ ପାଶ୍ୱର୍ ଅଂଚଳକୁ ଯାଇଥିଲେ । ହାତୀପଲରେ ଥିବା ଏକ ଛୁଆହାତୀ ରାସ୍ତା ପାଶ୍ୱର୍ରେ ନିର୍ମିତ ଡ୍ରେନ୍ରେ ପଡ଼ିଯାଇଥିଲା, ବହୁ ଉଦ୍ୟମ ସତ୍ତେ୍ୱ ବାହାରି ପାରିନଥିଲା । ମା’ହାତୀ ମଧ୍ୟ ତାକୁ ବାହାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ହାତୀପଲ ସେଠାରୁ ଚାଲି ଯାଇଥିବା ବେଳେ ମା’ହାତୀ କିନ୍ତୁ ଛୁଆକୁ ଜଗି ରହିଥିଲା । ସକାଳେ ଗ୍ରାମବାସୀ ଏହା ଦେଖି ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ହାତୀଛୁଆକୁ ଦେଖିବାକୁ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ତେବେ ମା’ହାତୀ ଜଗି ରହିଥିବାରୁ ପାଖକୁ ଯାଇ ତାକୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ବନ କର୍ମଚାରୀମାନେ ମା’ହାତୀକୁ ଘଉଡ଼ାଇବା ପରେ ଡ୍ରେନ୍ ମଧ୍ୟରେ ବାଲିବସ୍ତା ପକାଇ ରାସ୍ତା ତିଆରି କରିଥିଲେ । ପରେ ହାତୀଛୁଆଟି ସେହି ବାଲିବସ୍ତାରେ ଉଠି ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା ।
Comments are closed, but trackbacks and pingbacks are open.