
ଢେଙ୍କାନାଳ,(ବି.ବି.ନୁ୍ୟଜ): ସମ୍ପ୍ରତି ସାରା ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ସେହିପରି ବିଭିନ୍ନ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଛାଡିବା ପାଇଁ ମଧ୍ୟ କୁହାସରିଛି । ତେବେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଯୁକ୍ତ ଦୁଇ ତୃତୀୟ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖିବାକୁ କଲେଜ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାନଯିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସ୍ରେ ଆନେ୍ଦାଳନ କରିଥିଲେ । ତୃତୀୟ ବର୍ଷ ଛାତ୍ର ତଥା ଏବିଭିପି ରାଜ୍ୟ ସହସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତିଯେ, ଆସନ୍ତା ୧୯ରେ କଲେଜରେ ଅଫଲାଇନରେ ପରୀକ୍ଷା ହେବା ପାଇଁ ପୂର୍ବରୁ ଘାଷଣା କରାଯାଇଥିଲା । ସରକାର ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଏଥି ପାଇଁ ଆମ କଲେଜ ତରଫରୁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ଏପଟେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଛାଡିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଗୁରୁବାର ଏ ନେଇ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଆଜି କୌଣସି ନିଦେ୍ର୍ଧଶନାମା ଜାରୀ କରାଯାଇନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି ବୋଲି ଅରିଜିତ କହିଥିଲେ । ଦୀର୍ଘସମୟ ଧରି ଧାରଣାରେ ବସିବା ପରେ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଅଧ୍ୟକ୍ଷା ରଶ୍ମୀ ମିଶ୍ରଙ୍କୁ ଭେଟି ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ୧୯ରେ ହେବାକୁ ଥିବା ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କଲେଜ ପକ୍ଷରୁ ଜଣାଯାଇଛି ।
Comments are closed, but trackbacks and pingbacks are open.