ତାଳଚେର, ଢେଙ୍କାନାଳ ଏବଂ ପାରାଦୀପ କୋଭିଡ୍‌ ହସ୍ପିଟାଲ୍‌ ସ୍ଥିତି ପରଖିଲେ ୫ଟି ସଚିବ ଏବଂ ଉନ୍ନୟନ କମିଶନର

Get real time updates directly on you device, subscribe now.

ତାଳଚେର : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ଟି କୋଭିଡ୍‌ ହସ୍ପିଟାଲ କାର୍ୟ୍ୟକ୍ଷମ ହେଲାଣି । ଆସନ୍ତା ୨୦ ତାରିଖରେ ଆଉ ୧୧ଟି ହସ୍ପିଟାଲରେ କରୋନା ଚିକିତ୍ସା କେନ୍ଦ୍ର ଉପଲବ୍ଧ ହେବ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳଚେର, ଢେଙ୍କାନାଳ ଏବଂ ପାରାଦୀପ ଗସ୍ତ କରି ନିର୍ମାଣାଧୀନ କୋଭିଡ୍‌ ହସ୍ପିଟାଲର ସ୍ଥିତି ପରଖିବା ସହ ସମୀକ୍ଷା କରିଛନ୍ତି ।
ଶ୍ରୀ ପାଣ୍ଡିଆନ୍‌ ଓ ଶ୍ରୀ ମହାପାତ୍ର ପ୍ରଥମେ ଅନୁଗୁଳ ଜିଲ୍ଲା ତାଳଚେର ଡେରାସ୍ଥିତ ଏମ୍‌ସିଏଲ୍‌ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ୍‌ ହସ୍ପିଟାଲ୍‌ ପରିସରରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେଉଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ । ୬ଟି ଆଇସିୟୁ ଓ ୧୫୦ଟି ଆଇସୋଲେସନ୍‌ ବେଡ଼୍‌ ବିଶିଷ୍ଟ ଏହି ନୂତନ ହସ୍ପିଟାଲ୍‌ର ଶଯ୍ୟା, ଭେଣ୍ଟିଲେଟର, ମନିଟର, ଅମ୍ଳଜାନ ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଶ୍ରୀ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ । ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କରୋନା ପଜିଟିଭ୍‌ ନଥିଲେ ମଧ୍ୟ ଅଧିକ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ପାଣ୍ଡିଆନ୍‌ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ କୁମାର ବେହେରା, ଏମ୍‌ସିଏଲ୍‌ ସେଣ୍ଟ୍ରାଲ୍‌ ହସ୍ପିଟାଲର ସିଏମ୍‌ଏସ୍‌ ଡାକ୍ତର ମନୋଜ କୁମାର ବେହେରା, ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକ ଏମ୍‌ଜି ବ୍ରହ୍ମପୁରକରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଏମ୍‌ସିଏଲ୍‌ର ଆର୍ଥିକ ସହାୟତା, ଜିଲ୍ଲା ପ୍ରଶାସନ ସହଯୋଗରେ ସମ୍‌ ହସ୍ପିଟାଲ୍‌ ଏହି କୋଭିଡ୍‌-୧୯ ସ୍ୱତନ୍ତ୍ର ହସ୍ପିଟାଲ୍‌ର ପରିଚାଳନା ଦାୟିତ୍ୱ ନେଇଛି । ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହସ୍ପିଟାଲ୍‌ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି ।ପରେ ଶ୍ରୀ ପାଣ୍ଡିଆନ ଓ ଶ୍ରୀ ମହାପାତ୍ର ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ନୂତନ କରି କାର୍ୟ୍ୟକ୍ଷମ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହ ହସ୍ପିଟାଲର ଆନୁସଙ୍ଗିକ ଭିତ୍ତିଭୂମି ଯାଞ୍ଚ କରିଥିଲେ ।
ଶୁକ୍ରବାର ପୂର୍ବାହ୍ଣ ୧୦ଟା ୪୦ରେ ଉଭୟ ହେଲିକପ୍ଟର ଯୋଗେ ଆସି ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ ପରିସରରେ ଓହ୍ଲାଇଥିଲେ । ସେଠାରୁ ସିଧା ବାଜିଚୌକଠାରେ ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ନବନିର୍ମିତ ଜିଲ୍ଲାର କୋଭିଡ୍‌ ହସ୍ପିଟାଲରେ ପରିଦର୍ଶନରେ ଯାଇ ଚିକିତ୍ସା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ଗତ ୧୩ ତାରିଖଠାରୁ ଜିଲ୍ଲାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ୍‌ କାର୍ୟ୍ୟକ୍ଷମ ହୋଇଛି । ସେଥିରୁ ୬୦ ଶଯ୍ୟା ବିଶିଷ୍ଟ ଅକ୍ସିଜେନ୍‌ ସୁବିଧା ଓ ୪୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍‌ ୱାର୍ଡ ଓ ୬ଟି ସେମି ଆଇସିୟୁ (ହାଇ ଡିପେଣ୍ଟାଣ୍ଟ୍‌ ୟୁନିଟ୍‌) ରହିଛି । ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ପରିଚାଳନା ହେବାକୁ ଥିବା ଏହି ହସ୍‌ପିଟାଲକୁ ଓଡ଼ିଶା ଖଣି ନିଗମ ଆର୍ôଥକ ଅନୁଦାନ ପ୍ରଦାନ କରିଛି । ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ ହସ୍ପିଟାଲ ପ୍ରଶାସନିକ ମୁଖ୍ୟ ହିସାବରେ ନିୟୋଜିତ ରହିଥିବା ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାସ କୋଭିଡ୍‌ ହସ୍‌ପିଟାଲର ମେଡିକାଲ ଅଫିସର ଦାୟିତ୍ୱରେ ଅଛନ୍ତି ।
ଏଠାରେ କାର୍ୟ୍ୟ କରିବାକୁ ଥିବା ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କ ପାଇଁ ହସ୍ପିଟାଲ ପରିସର ସମେତ ବିଭିନ୍ନ ସ୍ଥାନରେ ରହିବାର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ଅଧିକାରୀ ଦ୍ୱୟ ଉପରୋକ୍ତ ବିଷୟ ପ୍ରଶାସନ ନିକଟରୁ ଅବଗତ ହେବାପରେ କୋଭିଡ୍‌ ହସ୍‌ପିଟାଲ ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାହାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ, ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ର, ଅତିରିକ୍ତ ଚିକିତ୍ସାଧିକାରୀ ଜନସ୍ୱାସ୍ଥ୍ୟ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳ କୋଭିଡ ହସ୍ପିଟାଲ ପରିଦର୍ଶନ ପରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଏବଂ ଉନ୍ନୟନ କମିସନର ସୁରେଶ ମହାପାତ୍ର ପାରାଦୀପ ଯାଇଥିଲେ । ମାତ୍ର ଅଧଘଣ୍ଟାର ରହଣୀରେ ଶ୍ରୀ ପାଣ୍ଡିଆନ ମେରାଇନ୍‌ ରୋଡ୍‌ସି୍ଥତ ବିଜୁ ଯାତ୍ରୀ ନିବାସରେ ନିର୍ମାଣାଧୀନ ଜଗତସିଂହପୁର ଜିଲ୍ଲାର ପ୍ରଥମ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟର ଏବଂ ଷଣ୍ଡକୁଦସ୍ଥିତ କୋଷ୍ଟଗାର୍ଡ କଲୋନିରେ ଥିବା କ୍ୟାମ୍ପ୍‌ ବୁଲି ଦେଖିଥିଲେ ।
ପ୍ରଥମେ ଶ୍ରୀ ପାଣ୍ଡିଆନ ମେରାଇନ୍‌ ରୋଡ୍‌ସ୍ଥିତ ବିଜୁ ଯାତ୍ରୀ ନିବାସରେ ନିର୍ମାଣାଧୀନ ଜିଲ୍ଲାର ପ୍ରଥମ କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟର ବୁଲି ଦେଖିଥିଲେ । ଆସନ୍ତା ୨୦ ତାରିଖରେ ଏହାର ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ହେବାକୁ ଥିବାରୁ ଏହାର କାର୍ୟ୍ୟ କିଭଳି ଚାଲିଛି ବୁଲି ଦେଖିଥିଲେ । ଏହି ହେଲ୍‌ଥ କେୟାର ସେଣ୍ଟରରେ ପ୍ରଥମ ପର୍ୟ୍ୟାୟରେ ୫୦ଟି ଶଯ୍ୟାର ବନ୍ଦୋବସ୍ତ କରାଯାଇଥିବା ବେଳେ ୫ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି ।
ଉଦ୍‌ଘାଟନ ପୂର୍ବରୁ ଏହାର କାର୍ୟ୍ୟ କିପରି ସରିବ ସେ ନେଇ ଶ୍ରୀ ପାଣ୍ଡିିଆନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ଷଣ୍ଡକୁଦସ୍ଥିତ କୋଷ୍ଟଗାର୍ଡ କଲୋନିରେ ଥିବା କ୍ୟାମ୍ପ୍‌ ବୁଲି ଦେଖିଥିଲେ । ସେଠାରେ ପଶ୍ଚିମବଙ୍ଗ, ବିହାର ଓ ବାଲେଶ୍ୱର ଅଞ୍ଚଳରୁ ପ୍ରାୟ ୮୧ ଜଣ ନିର୍ମାଣ ଶ୍ରମିକ ରହିଛନ୍ତି । ଲକ୍‌ଡାଉନ୍‌ ଦିନଠାରୁ ହିଁ ଶ୍ରମିକଙ୍କୁ ଦିନକୁ ଦୁଇ ଓଳା ଖାଦ୍ୟ ସହିତ ରାସନ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଅନୁଧ୍ୟାନ କରାଯାଉଛି । ପ୍ରଶାସନର ଏଭଳି କାର୍ୟ୍ୟକୁ ଶ୍ରୀ ପାଣ୍ଡିଆନ୍‌ ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତ ସମୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁଚରଣ ଧୀର ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ବିଜୁ ଯାତ୍ରୀ ନିବାସରେ ହେଉଥିବା କୋଭିଡ୍‌ ହେଲ୍‌ଥ କେୟାର ସେଣ୍ଟରର ନିର୍ମାଣ ପାଇଁ ପାରାଦୀପ ବନ୍ଦର ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏପରିକି ଏନେଇ ଏକ ତ୍ରିପାକ୍ଷିକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ପାରାଦୀପରେ ବିଭିନ୍ନ ରାଜ୍ୟ ତଥା ବିଦେଶୀ ଲୋକ ରହୁଥିବାରୁ ଏଠାରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଆଖପାଖ ଜିଲ୍ଲା ଗୁଡ଼ିକରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଜଗତସିଂହପୁରରେ ଜଣେ ହେଲେ ରୋଗୀ ଏଯାବତ୍‌ ଚିହ୍ନଟ ହୋଇ ନାହାନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ମଧ୍ୟ କଡ଼ା ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons