ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ରେ ରାଜଧାନୀରେ ଲୁଟ୍ପାଟ କରି କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଥିବା ୨ଟି ଗ୍ୟାଙ୍ଗ୍ର ୩ ଦୁର୍ଦ୍ଧାନ୍ତ ଲୁଟେରାଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ସ୍ପେଶାଲ ସ୍କ୍ୱାଡ୍ ଓ ଖଣ୍ଡଗିରି ଥାନା ପୁଲିସ ୮ ଜଣଙ୍କୁ ଧରି ସେମାନଙ୍କ ଠାରୁ ୭୦ଟି ଦାମୀ ମୋବାଇଲ ଫୋନ୍, ୨୩ଟି ଲାପ୍ଟପ, ୯ଟି ବାଇକ୍ ଓ ୨ଟି ଏଲ୍ଇଡି ଟିଭି ଜବତ କରିଛନ୍ତି । ଗିରଫ ୩ ଲୁଟେରା ହେଲେ ବରମୁଣ୍ଡା ପାଲାମଣ୍ଡପ ସାହିର ମଣ୍ଟୁ ପାଇକରାୟ(୩୮), ମଞ୍ଚେଶ୍ୱର ଚକେଇସିଆଣି ସୋମନାଥ ନଗରର ବଣ୍ଟି ଓରଫ ରଞ୍ଜନ ଶତପଥି(୨୦) ଓ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ମସ୍ଜିଦ କଲୋନୀର ସଞ୍ଜି ଓରଫ ସଞ୍ଜୟ ବେହେରା(୨୩) ।
ଏମାନଙ୍କ ଠାରୁ ଚୋରି ସାମଗ୍ରୀ ରଖିଥିବା ୫ ଜଣ ହେଲେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ମହାବୀରନଗରର ଜିତୁ ଓରଫ ଚନ୍ଦନ କୁମାର ପ୍ରଧାନ(୨୭), ଖୋର୍ଦ୍ଧା ଗୁରୁଜଙ୍ଗ ଟାଙ୍ଗୀସାହିର ସୋନୁ ଓରଫ ଭାଗବତ ପ୍ରସାଦ ମହାପାତ୍ର(୩୨), ପୁରୀ ନିମାପଡ଼ା ଥାନା ହାଟସାହି ମୁସଲିମ୍ ବସ୍ତିର ସେଖ୍ ଜାଭେଦ୍(୩୭), ପୁରୀ ପାଣିଛତ୍ରର ଅଳିଆ ଓରଫ ଆଲୋକ ବେହେରା(୨୮) ଓ ପୁରୀ ନିମାପଡ଼ା ଚଅଁରପଦାର ପ୍ରଦୀପ କୁମାର ଦାସ(୩୩) । ବିଶେଷକରି ଏହି ୨ ଗ୍ୟାଙ୍ଗ୍ ଖାରବେଳନଗର, ଖଣ୍ଡଗିରି, ଜଟଣୀ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଚୋରି ଓ ଲୁଟ୍ପାଟ କରିଥିବା ଜଣାପଡ଼ିଛି ।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ କହିଛନ୍ତି, ଗତ କିଛି ମାସ ହେବ ରାଜଧାନୀରେ ଚୋରି ଓ ଲୁଟ୍ପାଟ ବଢ଼ି ଚାଲିଥିଲା । ଧରା ପଡ଼ିଥିବା ୨ଟି ଗ୍ୟାଙ୍ଗ୍ରୁ ଗୋଟିଏ ଗ୍ୟାଙ୍ଗ୍ ହାଇୱେରେ ବାଇକ୍ ଚାଳକଙ୍କୁ ହଣାହଣି କରି ମୋବାଇଲ୍, ଟଙ୍କା ଓ ବାଇକ୍ ଲୁଟୁଥିଲେ । ଅନ୍ୟ ଗୋଟିଏ ଗ୍ୟାଙ୍ଗ୍ ଦେହରେ ତେଲ ବୋଳି ହୋଇ ରାଜଧାନୀର ଗଳିକନ୍ଦିରେ ଲୋକଙ୍କ ଘରେ ଓ ହଷ୍ଟେଲରେ ପଶି ଚୋରି କରୁଥିଲେ । ତେଣୁ ଏମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ସମେତ କିଛି ବଛାବଛା ଅଫିସରଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ଶେଷରେ ଗୋଟିଏ ଗ୍ୟାଙ୍ଗ୍ ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରା ପଡ଼ିଥିବା ବେଳେ ଅନ୍ୟ ଏକ ଗ୍ୟାଙ୍ଗ୍କୁ ଖଣ୍ଡଗିରି ଥାନା ପୁଲିସ ଧରିଛି । ଏହି ଗ୍ୟାଙ୍ଗ୍ରେ ଆଉ କିଛି ସଦସ୍ୟ ଏବେ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଏହି ୨ ଗ୍ୟାଙ୍ଗ୍ ୪୦ ହଜାର ଟଙ୍କାର ଲାପ୍ଟପକୁ ୨୦ ହଜାର, ୨୦ ହଜାର ଟଙ୍କାର ମୋବାଇଲକୁ ୧୦ ହଜାର ଓ ବାଇକ୍ ଗୁଡ଼ିକୁ ୨୦ରୁ ୩୦ ହଜାର ଟଙ୍କାରେ ବିକି ଦେଉଥିଲେ । ତେଣୁ କୌଣସି ସେକେଣ୍ଡ୍ ହ୍ୟାଣ୍ଡ୍ ସାମଗ୍ରୀ ନ କିଣିବା ପାଇଁ ଡିସିପି ଶ୍ରୀ ଦାଶ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଜବତ ହୋଇଥିବା ଲ୍ୟାପଟପ ଓ ମୋବାଇଲକୁ ଉପଯୁକ୍ତ ପ୍ରମାଣ ଆଧାରରେ ଲୋକଙ୍କୁ ଫେରାଇ ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି ।
Comments are closed, but trackbacks and pingbacks are open.