ତିର୍ତ୍ତୋଲରୁ ପ୍ରାଚୀନ ପଥର ମୂର୍ତ୍ତି ଉଦ୍ଧାର

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ତିର୍ତ୍ତୋଲର କୋଲ୍ଟା ଅଞ୍ଚଳରୁ ଏକ ପୁରାତନ ପ୍ରାଚୀନ ପଥର ଖୋଦେଇ ମୂର୍ତ୍ତି ଉଦ୍ଧାର କରାଯାଇଛି । ପୋଖରୀ ଖୋଳା ଯିବା ସମୟରେ ଏହି ମୂର୍ତ୍ତିର ସନ୍ଧାନ ମିଳିଥିଲା । ଯୋଦ୍ଧା ବେଶରେ ସଜ୍ଜିତ ଜଣେ ପୁରୁଷଙ୍କ ଚିତ୍ରକୁ ଏକ ବଡ଼ ଆକାରର ପଥରରେ ଖୋଦେଇ କରାଯାଇଛି । ପଥରର ଆକାର ୪ ଫୁଟ ଲମ୍ବା ଓ ୨ ଫୁଟ ଚଉଡ଼ା ହୋଇଥିବା ବେଳେ ଓଜନ ପାଖାପାଖି ଦୁଇ କୁଇଣ୍ଟାଲ୍ ରହିଛି । ଉକ୍ତ ପଥର ମୂର୍ତ୍ତିକୁ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଜବତ କରିବା ସହ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସ୍ପି ପ୍ରକାଶ ରଙ୍ଗରାଜଙ୍କୁ ଜଣାଇଛନ୍ତି । ଆସନ୍ତାକାଲି ଜିଲ୍ଲାପାଳ ଏହି ଅଞ୍ଚଳକୁ ପରିଦର୍ଶନରେ ଯିବା ସହ ପ୍ରାଚୀନ ପଥର ମୂର୍ତ୍ତି ବିଷୟରେ ଅଧିକ ଅନୁଧ୍ୟାନ କରିବେ ବୋଲି ଖବର ମିଳିଛି । ଏହାଛଡ଼ା ପ୍ରାଚୀନ ମୂର୍ତ୍ତି ମିଳିବା ପରେ ଆଜି ଜିଲ୍ଲାପାଳଙ୍କ ପକ୍ଷରୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଅବଗତ କରାଯାଇଛି ।
ପ୍ରାଚୀନ ମୂର୍ତ୍ତିଟି ଆନୁମାନିକ ୧୫୦୦ ଶତାଦ୍ଧୀ ସମୟର ଓ ମରାଠା ଶାସନ ଅମଳର ବୋଲି ଅନୁମାନ କରାଯାଉଛି । ମୂର୍ତ୍ତିରେ ଜଣେ ଯୋଦ୍ଧାଙ୍କ ଛବି ଥିବାରୁ ଏହି ଅଞ୍ଚଳରେ ମରାଠାଙ୍କ ଗଡ଼ ରହିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପ୍ରତ୍ନତତ୍ତ୍ୱ ବିଭାଗର ଅନୁସନ୍ଧାନ ପରେ ହିଁ ପ୍ରାଚୀନ ମୂର୍ତ୍ତି ବିଷୟରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଣେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ପ୍ରାଚୀନ ମୂର୍ତ୍ତିର ସନ୍ଧାନ ମିଳିବା ପରେ ଏହାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା ପ୍ରକାଶ ପାଇଛି । ଅବଶ୍ୟ ଯେହେତୁ ଲକ୍ଡାଉନ୍ ରହିଛି ସେହେତୁ ଘଟଣାସ୍ଥଳରେ ଭିଡ଼ ହୋଇନଥିଲା ।
ମିଳିଥିବା ଖବର ମୁତାବକ, ବିଶୁନ୍ପୁର ପଞ୍ଚାୟତର କୋଲ୍ଟା ଅଞ୍ଚଳରେ ରହିଛି ସେକ୍ ଅତାଇ ରସୁଲଙ୍କ ୫/୭ ଗୁଣ୍ଠର ଏକ ଜାଗା । ଉକ୍ତ ଜାଗାରେ ଦୁଇ ଦିନ ତଳେ ମାଛ ଚାଷ ପାଇଁ ଜେସିବିରେ ପୋଖରୀ ଖୋଳା ଚାଲିଥିବା ବେଳେ ଉକ୍ତ ପ୍ରାଚୀନ ମୂର୍ତ୍ତି ବାହାରିଥିଲା । ମୂର୍ତ୍ତି ବାହାରିବା ପରେ ପୋଖରୀ ଖୋଳା ବନ୍ଦ କରି ଦିଆଯାଇଥିଲା । ପାଖାପାଖି ୧୫ ଫୁଟ ଖନନ ପରେ ଏହି ପଥର ମୂର୍ତ୍ତି ବାହାରିଥିବା ଫାଣ୍ଡି ପୁଲିସ ସୂତ୍ରରୁ ପ୍ରକାଶ । ସ୍ଥାନୀୟ ଅଞ୍ଚଳ ଲୋକଙ୍କ କହିବା କଥା, ବହୁ ବର୍ଷ ତଳୁ ଏହା ମଣପୁର ମଠର ଜାଗା ଥିଲା । ସମ୍ଭବତଃ ଏହି ଜମିକୁ ବିକ୍ରି କରି ଦିଆଯାଇଥିଲା କିମ୍ବା ଯିଏ ଭୋଗ ଦଖଲରେ ରହିଥିଲେ ସେ ସେତେବେଳର ହାତପଟା ବଦଳରେ ଏହାର ମାଲିକାନାସ୍ୱତ୍ତ୍ୱ ପାଇଥିଲେ । ନିକଟ ଅତୀତରେ କିନ୍ତୁ ଏହି ଜାଗାକୁ କିଣିଥିଲେ ସେକ୍ ଅତାଇ ରସୁଲ । ଆଗରୁ ଦୀର୍ଘ ୩୦ ବର୍ଷ ଧରି ଏହି ଜାଗା ସେମିତି ପଡ଼ି ରହିଥିଲା । ଜାଗାଟି ଏକାଧିକ ଲୋକଙ୍କ ମାଲିକାନାକୁ ଆସିଥିଲେ ସୁଦ୍ଧା ତାକୁ ସେମାନେ ବିକ୍ରି କରି ଦେଉଥିଲେ । ଏହା ଚୋରି ମୂର୍ତ୍ତି ହୋଇପାରେ ବୋଲି ମଧ୍ୟ ସନେ୍ଦହ କରାଯାଉଛି । ପୂର୍ବରୁ ତାରପୁର ଅଞ୍ଚଳରୁ ପ୍ରାଚୀନ ଦେବଦେବୀଙ୍କ ମୂର୍ତ୍ତି ଚୋରି ଉଦ୍ୟମ କରାଯାଇଥିଲା । ସେହିପରି କଟକ ଜିଲ୍ଲାର ଅନ୍ୟ ଏକ ଗ୍ରାମାଞ୍ଚଳ ଥାନାରେ ଏଭଳି ଏକ ମୂର୍ତ୍ତି ଚୋର ର୍ୟାକେଟ୍ର ସନ୍ଧାନ ମିଳିଥିଲା । ଯେହେତୁ କୃଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳକୁ ତାରପୁରର ଦୂରତା ଅଧିକ ନୁହେଁ ତେଣୁ ମୂର୍ତ୍ତି ଚୋରମାନେ ଏହି ମୂର୍ତ୍ତିକୁ ପୋତି ଥାଇପାରନ୍ତି ବୋଲି ସନେ୍ଦହ କରାଯାଉଛି । ଦୁଇ ଦିନ ତଳୁ ମୂର୍ତ୍ତି ଉଦ୍ଧାର ସତ୍ତେ୍ୱ ଏହା ଲୋକଲୋଚନକୁ ଆସିପାରି ନ ଥିଲା । ଆଜି ଖବର ପାଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଅନିରୁଦ୍ଧ ନାୟକ ଘଟଣାସ୍ଥଳକୁ ଯାଇ ଛାନ୍ଭିନ୍ କରି ମୂର୍ତ୍ତିକୁ ଜବତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons