ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦେଶର ତୈଳ ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସରମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ଏଲ୍ପିଜି ଯୋଗାଣକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ତଥା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, କରୋନା ମହାମାରୀ ତଥା ଲକ୍ଡାଉନ ପାଇଁ କେନ୍ଦ୍ର ସରକାର ଗରିବ ପରିବାରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ୮ କୋଟିରୁ ଅଧିକ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଆଗାମୀ ୩ ମାସ ପାଇଁ ମାଗଣାରେ ତିନୋଟି ଏଲ୍ପିଜି ସିଲିଣ୍ଡର ଯୋଗାଇ ଦିଆଯିବ । ଏହି ପଦକ୍ଷେପ ସ୍ୱରୂପ ଏପ୍ରିଲ ମାସର ପ୍ରଥମ ତିନି ସପ୍ତାହରେ ୪୦ଧ ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବିଶେଷ ଯୋଜନା ଅନୁସାରେ ଅଧକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ଜିଲ୍ଲା ନୋଡାଲ ଅଫିସରଙ୍କୁ ଆହ୍ୱାନ କରିଥିଲେ । ଗରିବଙ୍କ ଘରେ ଏଲପିଜି ପହଞ୍ଚାଇବା କାମରେ କିଛି ସାଲିସ୍ କରାଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ଅଧିକାରୀମାନଙ୍କୁ କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ନୋଡାଲ ଅଫିସରଙ୍କୁ କରୋନା ଭାଇରସରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ଏଲପିଜି ସିଲିଣ୍ଡର ନେଣଦେଣ ସମୟରେ ମଧ୍ୟ ସ୍ୱଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଫେସ୍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍, ହାତକୁ ସଫା ରଖିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ବିଷୟରେ ସଚେତନ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଚାରବିମର୍ଷ କରିଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ଶ୍ରୀ ପ୍ରଧାନ ଓ ଅନ୍ୟ ଅଫିସରମାନେ ବିହାର ସୁପୋଲଠାରେ ଏଲ୍ପିଜି ଡେଲିଭରି ବୟଙ୍କ ମୃତୁ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
Comments are closed, but trackbacks and pingbacks are open.