ଥଇଥାନ ହେବେ ୯୬ ପରିବାର

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ): ପାତ୍ରପୁର ତହସିଲ ଆଙ୍କୁଲି ପଞ୍ଚାୟତର ବାଘଲଟି ଜଳଭଣ୍ଡାର ଘେର ମଧ୍ୟରେ ଥିବା ଏଲଗଲ, ବେହେରାପୁଟୁ, ସିରିସିଗଣ୍ଡ, ମାଡୁଆଗୁମା ଏବଂ ଝରବାଡ଼ ଆଦିବାସୀବହୁଳ ଗାଁକୁ ରବିବାର ରାଜସ୍ୱ ବିଭାଗ କର୍ମଚାରୀ ଗସ୍ତ କରିଛନ୍ତି । ଗ୍ରାମବାସୀଙ୍କ ବିସ୍ଥାପନ ଓ ଥଇଥାନ ସମସ୍ୟା ନେଇ ସର୍ଭେ କରିବା ସହ ଗାଁ ଲୋକଙ୍କ ସାଙ୍ଗରେ ଆଲୋଚନା କରିଥିଲେ । ପ୍ରାୟ ୯୬ ପରିବାର ସୁରକ୍ଷିତ ସ୍ଥାନକୁ ବିସ୍ଥାପନ ପାଇଁ ଚିହ୍ନଟ ହୋଇଛନ୍ତି । ବାଘଲଟି ଜଳଭଣ୍ଡାରରୁ ଏକ କାଠ ଡଙ୍ଗାରେ ଯାଇ ଗ୍ରାମବାସୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ ରାଜସ୍ୱ ବିଭାଗ କର୍ମଚାରୀ । କେତେ ପରିବାର ରହୁଛନ୍ତି, ପରିବାରର ମୋଟ ସଦସ୍ୟ ସଂଖ୍ୟା କେତେ, ସେମାନଙ୍କ ନିଜସ୍ୱ ଜମି ଅଛି କି ନାହିଁ ଏବଂ ସେମାନଙ୍କ ଜୀବନଜୀବିକା କେମିତି ସେ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ଫେରିଛି ଏହି ଟିମ୍ ।
ବାଘଲଟି ଜଳଘେରି ମଧ୍ୟରେ ଥିବା ଏହି ଅପହଞ୍ଚ ଆଦିବାସୀ ଗାଁ ଗୁଡ଼ିକରେ ଫନି ଓ ତିତ୍ଲି ଭଳି ବନ୍ୟା ବାତ୍ୟା ସମୟରେ ବେଶ୍ କ୍ଷୟକ୍ଷତି ହୋଇଥିଲା । ଗାଁ ଲୋକଙ୍କୁ ବହୁ ଅସୁବିଧା ହୋଇଥିଲା । ବାରମ୍ବାର ଗାଁରେ ପାଣି ପଶି ଜୀବନ ଜୀବିକା ସମସ୍ୟା ଉପୁଜିଥିଲା । ଏଣୁ ସମସ୍ତ ୫ ଖଣ୍ଡ ଗ୍ରାମର ଆଦିବାସୀ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଥଇଥାନ କରିବା ପାଇଁ ପ୍ରଶାସନକୁ ଅଗବତ କରାଇଥିଲେ । ନିକଟରେ କୋଭିଡ୍ ମହାମାରୀ ସତ୍ତେ୍ୱ ଆକସ୍ମିକ ବର୍ଷା ଆଶଙ୍କାରେ ଏହି ଆଦିବାସୀ ଗାଁର ଲୋକଙ୍କୁ ରାତିଅଧିଆ ଅଣାଯାଇ ତାଡ଼କାସାହିସ୍ଥିତ ଆଦିବାସୀ ହଷ୍ଟେଲରେ ରଖାଯାଇଥିଲା । ସେତେବେଳେ ଥଇଥାନ ପ୍ରସଙ୍ଗ ନେଇ ଆଦିବାସୀମାନେ ପାତ୍ରପୁର ବିଡିଓ ଏବଂ ତହସିଲଦାରଙ୍କ ସହ ପାଟିତୁଣ୍ଡ କରିଥିଲେ । କିଛି ଦିନ ପରେ ପାତ୍ରପୁର ବ୍ଲକ୍ କାର୍ଯ୍ୟାଳୟରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଦିବାସୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇ ସ୍ଥାନାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବାକୁ ଆଶ୍ୱାସନା ଦିଆଯାଇଥିଲା ।
ସେହିକ୍ରମରେ ରବିବାର ସର୍ଭେ କରାଯାଇଛି । ମାଡୁଆଗୁମା ଗ୍ରାମବାସୀ ବିସ୍ଥାପନ ପାଇଁ ଅନିଚ୍ଛା ପ୍ରକାଶ କରିଥିବା ବେଳେ ଅନ୍ୟ ୪ଟି ଗ୍ରାମରୁ ପ୍ରାୟ ୯୬ ପରିବାର ବିସ୍ଥାପନ ପାଇଁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପାତ୍ରପୁର ତହସିଲ ତରଫରୁ କ୍ଷୀରସିନ୍ଧୁ ବେହେରା, ସତ୍ୟବାଦୀ ବେହେରା, ବଳରାମ ପ୍ରଧାନ, ଶ୍ରୀନିବାସ ବେହେରା, ଭାସ୍କର ବେହେରା, ଇତିମୟ ବେହେରା, ମହେଶ୍ୱର ମଲ୍ଲିକ, ପ୍ରିୟରଞ୍ଜନ ଓଡ଼ିଆ, ହେମନ୍ତ ପଣ୍ଡା, ହେମନ୍ତ ଭୂୟାଁ ଓ ତ୍ରିପତି ପଟ୍ଟନାୟକ ପ୍ରମୁଖ ଡ଼ଙ୍ଗାରେ ଜଳଭଣ୍ଡାର ପାର କରିଥିଲେ । ସେଠାରୁ ପାହାଡିଆ ରାସ୍ତାରେ ପ୍ରାୟ ଅଢେଇ କିଲୋମିଟର ଚାଲି ଚାଲି ୫ ଆଦିବାସୀ ଗାଁରେ ପହଞ୍ଚି ସର୍ଭେ କରିଥିଲେ । ପ୍ରଶାସନର ଏହି ପଦକ୍ଷେପକୁ ପୂର୍ବତନ ସରପଞ୍ଚ ଶିବରରାମ ପ୍ରଧାନ ଓ ଆଦିବାସୀ ନେତା ଲକ୍ଷ୍ମୀକାନ୍ତ ବିଶୋଇ ସ୍ୱାଗତ କରିବା ସହ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ବିସ୍ଥାପନ ହେଲେ ହିଁ ଏହି ଗ୍ରାମବାସୀଙ୍କ ବିକାଶ ସମ୍ଭବ ବୋଲି ଉଭୟେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons