ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଏମିତି କୌଣସି ଦିନ ନାହିଁ, ଯେଉଁଦିନ ନବରଙ୍ଗପୁର ଜିଲ୍ଲାରେ ଜନନୀ ଯାତନା ନାହିଁ । ରାସ୍ତା ପାଇଁ ଅନେକ ସମୟରେ ବାଜି ଲାଗୁଛି ଗର୍ଭବତୀଙ୍କ ଜୀବନ । କିଏ ଡାକ୍ତରଖାନାରେ ପହଂଚିପାରୁଛି ତ ଆଉ କିଏ ଅଧା ରାସ୍ତାରେ ପ୍ରସବ କରୁଛି । ମାଇଲ୍ ମାଇଲ ରାସ୍ତା ଭାରରେ ବୁହା ହେଉଛନ୍ତି ଗର୍ଭବତୀ । ଏହାର ପୁନରାବୃତ୍ତି ଘଟିଛି ଚନ୍ଦାହାଣ୍ଡି ବ୍ଲକ୍ ପାଟଖଲିଆ ପଂଚାୟତର ଗଉରଝରିଆ ଅଂଚଳରେ । ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଛଟପଟ ହେଉଥିବା ଅବସ୍ଥାରେ ଖଟିଆରେ ବୁହାଯାଇଛି ୫ କିଲୋମିଟର । ଡାକ୍ତରଖାନାରେ ପହଂଚିବା ଆଗରୁ ନାଳ ନିକଟରେ ଏକ କନ୍ୟା ସନ୍ତାନକୁ ପ୍ରସବ କରିଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ ଓ ଗ୍ରାମବାସୀଙ୍କ ମାନବିକତା ଯୋଗୁ ବଞ୍ଚିଯାଇଛି ତାଙ୍କ ଜୀବନ । ଗୁରୁତର ଅବସ୍ଥାରେ ପ୍ରସୂତିଙ୍କୁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ଗଉରଝରିଗାଁ ପୋଡମୁଣ୍ଡିପଡାର ମହେଶ୍ୱର ସାନ୍ତାଙ୍କ ସ୍ତ୍ରୀ ନବୀନା ସାନ୍ତାଙ୍କ ପ୍ରସବକାଳୀନ ବେଦନା ଆରମ୍ଭ ହୋଇଯାଇଥିଲା । ଖବରପାଇ ପହଂଚିଥିଲେ ଆଶାକର୍ମୀ ଜେମାମଣି ଧୁରୁଆ । ସଙ୍ଗେ ସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଏହାପରେ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଗାଁଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅଟକି ଯାଇଥିଲା । ରାସ୍ତା ଖରାପ ଥିବାରୁ ଆଉ ଗଡିପାରି ନଥିଲା ଆମ୍ବୁଲାନ୍ସର ଚକ । ଅନ୍ୟପକ୍ଷରେ ନବୀନାଙ୍କ ଅବସ୍ଥା ଗୁରୁତରଥିବା ଜାଣି ଏକ ନାଳକଡରେ ଆମ୍ବୁଲାନ୍ସ ଛାଡି ଗାଁରେ ପହଂଚିଥିଲେ ଡ୍ରାଇଭର ଟୁନା ଚୌହାନ । ସେତେବେଳକୁ ନବୀନାଙ୍କ ଗର୍ଭଯନ୍ତ୍ରଣା ବଢି ଚାଲିଥିଲା । ଅନ୍ୟ ଉପାୟ ନପାଇ ଡ୍ରାଇଭର ଟୁନା ଗ୍ରାମବାସୀ ଓ ଆଶା କର୍ମୀଙ୍କ ସହାୟତାରେ ଏକ ଖଟିଆ ଭାର କରିଥିଲେ । ସେଥିରେ ନବୀନାଙ୍କୁ ଶୁଆଇ ୫ କିଲୋମିଟର ରାସ୍ତା ବୋହିଥିଲେ । ନାଳ ପାରି କରିବା ପରେ ଆଉ ଡାକ୍ତରଖାନା ଯିବା ସମ୍ଭବ ହୋଇନଥିଲା । ଆମ୍ବୁଲାନ୍ସରେ ବସିବା କ୍ଷଣି ନବୀନାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇଥିଲା । ଆମ୍ବୁଲାନ୍ସରୁ ତାଙ୍କୁ ତଳକୁ ଅଣାଯାଇଥିଲା । ମାତ୍ର କିଛି ସମୟ ପରେ ସେହିଠାରେ ହିଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ନବୀନା । ପ୍ରସବ ପରେ ଉଭୟ ମାଆ ଓ ଶିଶୁଙ୍କୁ ଡାକ୍ତରଖାନା ନେବା ଲାଗି ରାଜି ହୋଇନଥିଲେ ପରିବାର ଲୋକେ । ଟୁନା ଓ ଜେମାମଣି ସେମାନଙ୍କୁ ବୁଝାସୁଝା କରି ଡାକ୍ତରଖାନା ନେଇଥିଲେ । ଶିଶୁକନ୍ୟାଟି ସୁସ୍ଥ ଥିବା ବେଳେ ମା’ର ଅବସ୍ଥା ଗୁରୁତର ରହିଥିଲା । ହିମୋଗ୍ଲୋବିନ୍ ପରିମାଣ ୫କୁ ଖସି ଆସିଥିବା ବେଳେ ଏନିମିଆରେ ଆକ୍ରାନ୍ତ ଥିଲେ ନବୀନା । ଡାକ୍ତର ମନୀଷ କୁମାର ପୁରୋହିତଙ୍କ ପରାମର୍ଶକ୍ରମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟିଚାଲିଛି । ଦିନକୁ ଦିନ ବଢୁଛି ଜନନୀ ଯନ୍ତ୍ରଣା । ଏଥିଲାଗି ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ଅବହେଳାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ । ରାସ୍ତା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ ତାହା କେଉଁ ବାଟରେ ଖର୍ଚ୍ଚ ହେଉଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ୧୦୨ ଆମ୍ବୁଲାନ୍ସ ଡ୍ରାଇଭର ଟୁନା ଓ ଆଶାକର୍ମୀ ଜେମାମଣିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ କହିଛନ୍ତି, ଗଉରଝରିଆ ଗାଁକୁ ରାସ୍ତା ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ । ଏଥିସହ ଅସୁସ୍ଥ ନବୀନାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେବେ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.