ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ଥମୁନି କରୋନା ମୃତୁ୍ୟ । ତିନିଦିନ ପରେ ପଜିଟିଭ୍ଙ୍କ ସଂଖ୍ୟା ୫ଶହ ତଳକୁ ଖସିଥିବାବେଳେ ଗୋଟିଏ ଦିନରେ ୭ ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ମହିଳା । ୬ ଜଣଙ୍କ କରୋନାଜନିତ ମୃତୁ୍ୟ ଘଟିଥିବା ବେଳେ ଜଣେ ଗର୍ଭବତୀ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ପ୍ରାଣ ହରାଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ମୃତୁ୍ୟ ସଂଖ୍ୟା ୮୫ ହୋଇଛି । ଏଥିରୁ ୭୯ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତୁ୍ୟର କାରଣ କରୋନା ହୋଇଥିବା ବେଳେ ଅବଶିଷ୍ଟ ୬ ପଜିଟିଭ୍ ଅନ୍ୟ ରୋଗ ତଥା ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ଜୀବନ ହରାଇଥିବା ସୂଚନା ଦିଆଯାଇଛି । ସେପଟେ ଆଉ ୪୮୪ ନୂଆ ପଜିଟିଭ୍ ଚିହ୍ନଟ ପରେ ଏହି ସଂଖ୍ୟା ୮୬୭୮ରେ ପହଞ୍ଚିଛି । ଏଥିରେ ରହିଛନ୍ତି ୪୨ ଯୋଦ୍ଧା, ୩ ପ୍ରବାସୀ ଓ ୪୩୯ ଜଣ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ । ବ୍ରହ୍ମପୁରରୁ ସର୍ବାଧିକ ୬୮ ଜଣ ସଂକ୍ରମିତ ଠାବ ହୋଇଛନ୍ତି । ଅପରପକ୍ଷରେ ଶୁକ୍ରବାର ଜିଲ୍ଲାର ଆଉ ୪୩୨ ଜଣ ପଜିଟିଭ୍ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ମେଡିକାଲ୍ରୁ ଆରୋଗ୍ୟ ହୋଇ ଫେରିଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ୫୮୩୬ରେ ପହଞ୍ଚିଛି । ଜିଲ୍ଲାରେ ଆଉ ୨୭୫୭ ଜଣ ପଜିଟିଭ୍ ହସ୍ପିଟାଲ୍ ତଥା କେୟାର୍ ସେଣ୍ଟର୍, କେୟାର୍ ହୋମ୍ରେ ଚିକିତ୍ସାଧୀନ ଅଛନ୍ତି ।
ଆଜି ରାଜ୍ୟରେ ମୋଟ ୧୧ ଜଣ କୋଭିଡ୍ ସଂକ୍ରମିତଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ୭ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଜଣେ ୬୩ ବର୍ଷୀୟ ବୃଦ୍ଧ, ଦୁଇ ଜଣ ୬୦ ବର୍ଷୀୟ ବୃଦ୍ଧ, ୫୫ ବର୍ଷ ବୟସ୍କ ଜଣେ ପୁରୁଷ ଯେ’କି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ, ଜଣେ ୬୪ ବର୍ଷୀୟ ବୃଦ୍ଧ ଯେ’କି କିଡ୍ନୀ ରୋଗାକ୍ରାନ୍ତ ଥିଲେ, ୫୧ ବର୍ଷୀୟ ଜଣେ ମହିଳା ସଂକ୍ରମିତଙ୍କ ଜୀବନ ଯାଇଛି । ଆଉ ଜଣେ ୨୩ବର୍ଷ ବୟସ୍କ ସଂକ୍ରମିତ ମହିଳା ଗର୍ଭାବସ୍ଥାର ଜଟିଳତା (ଏକ୍ଲାମ୍ପସିଆ ଅଫ୍ ପ୍ରେଗ୍ନାନ୍ସି) ହେତୁ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ଏଯାବତ୍ ମୃତକଙ୍କ ମଧ୍ୟରେ ରହିଛନ୍ତି ୧୧ ମହିଳା (୨ ବୃଦ୍ଧା) ଏବଂ ୭୪ ପୁରୁଷ (୩୧ ବୃଦ୍ଧ) । ଉଲ୍ଲେଖଯୋଗ୍ୟ ଯେ, ୩୦ବର୍ଷ ବା ତା’ ଠାରୁ କମ୍ ବୟସ ବର୍ଗର ୪ ଜଣ ସଂକ୍ରମିତଙ୍କ ଇତିମଧ୍ୟରେ ମୃତୁ୍ୟ ଘଟିଲାଣି । ଜୁଲାଇ ୧୩ରେ ୧୭ ବର୍ଷ ବୟସ୍କ ଜଣେ ନାବାଳକ ଏବଂ ଆଜି ୨୩ ବର୍ଷୀୟା ଜଣେ ଗର୍ଭବତୀଙ୍କ ମୃତୁ୍ୟ ଘଟିଥିବା ବେଳେ ଜୁଲାଇ ୪ରେ ୨୭ ବର୍ଷୀୟ ଓ ଜୁଲାଇ ୨୫ରେ ଜଣେ ୩୦ ବର୍ଷୀୟ ସଂକ୍ରମିତଙ୍କ ଜୀବନ ଯାଇଛି ।
ମୃତକଙ୍କ ମଧ୍ୟରେ ସରକାରୀ ଭାବେ ଘୋଷିତ ୧୩ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ହିଞ୍ଜିଳିକାଟୁ ମୁ୍ୟନିସିପାଲିଟିର ଟିକସ ସଂଗ୍ରାହକ ଧନୁର୍ଦ୍ଧର ସ୍ୱାଇଁ ଏବଂ ବେଲଗୁଣ୍ଠା ବ୍ଲକ୍ ଧୁମୁଛାଇ ସରପଞ୍ଚ ମନୋଜ କୁମାର ପ୍ରଧାନଙ୍କୁ ରବିବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବିଧିବଦ୍ଧ ଭାବେ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯାଇଛି । ମହାମାରୀ ମୁକାବିଲାରେ ଏମାନଙ୍କ ନିÂାପର ପରିଶ୍ରମ ଓ କର୍ତ୍ତବ୍ୟପରାୟଣତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ନିଜ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପୂର୍ବରୁ ଧରାକୋଟ ବ୍ଲକ୍ କନିÂ ଯନ୍ତ୍ରୀ ପି. ସୁରେଶ କୁମାର, ଆସିକା ବ୍ଲକ୍ର ଶିକ୍ଷକ ଏସ୍. ଶଙ୍କର ପାଢ଼ୀ, କବିସୂର୍ଯ୍ୟନଗର ବ୍ଲକ୍ର ଶିକ୍ଷକ ସୀମାଞ୍ଚଳ ଶତପଥୀ, ବୁଗୁଡ଼ା ବ୍ଲକ୍ର ଅଙ୍ଗନବାଡି କର୍ମୀ ଭାରତୀ ସ୍ୱାଇଁ, ଆସିକା ଥାନାର କନ୍ଷ୍ଟେବଳ ଗୋଲକ ନାୟକ, ଆସିକା ବ୍ଲକ୍ର ଶିକ୍ଷକ ଗୌରହରି ବେହେରା, ସାନଖେମୁଣ୍ଡି ବ୍ଲକ୍ରେ କାର୍ଯ୍ୟରତ ଅଙ୍ଗନବାଡ଼ି ସୁପର୍ଭାଇଜର୍ କେ. ଅଶାନ୍ତ ପାତ୍ର, ବ୍ରହ୍ମପୁର ମହାନଗର ନିଗମର ସହକାରୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ନାୟକଙ୍କୁ ଜିଲ୍ଲା ପ୍ରଶାସନ ବିଧିବଦ୍ଧ ଭାବେ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛି । ଏହାବାଦ୍ ଦିଗପହଣ୍ଡି ଥାନାର ଜଣେ ହୋମ୍ଗାର୍ଡ, ଭଞ୍ଜନଗର କୋର୍ଟର ଜଣେ ଏଏସ୍ଆଇ ଏବଂ ଅନ୍ୟ ଜଣେ କୋଭିଡ୍ ଯୋଦ୍ଧାଙ୍କର ମଧ୍ୟ ମୃତୁ୍ୟ ଘଟିଛି । ଜିଲ୍ଲାରେ କରୋନା ମୁକାବିଲାରେ ନିୟୋଜିତ ଆହୁରି ଅନେକ ଶିକ୍ଷକଙ୍କ ଜୀବନ ଯାଇଥିବା ଶିକ୍ଷକ ସଂଘ ତରଫରୁ ଅଭିଯୋଗ ହେଉଛି ।
ଅପରପକ୍ଷରେ ପଜିଟିଭ୍ ଚିହ୍ନଟ ୧୧୫୦ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରୁ ପ୍ରାୟ ୬୯୦ ଜଣ ଏବେ ସୁସ୍ଥ ହୋଇ ପୁଣି ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି ତଥା ମହାମାରୀ ମୁକାବିଲାରେ ପୁଣି ନିଜକୁ ସାମିଲ୍ କରିଲେଣି । ୧୩ଜଣଙ୍କ ମୃତୁ୍ୟ ବ୍ୟତୀତ ଆଉ ୪୪୭ ଜଣ ଯୋଦ୍ଧା ଏବେ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ରଙ୍ଗେଇଲୁଣ୍ଡା ବିଡିଓ, କୁକୁଡ଼ାଖଣ୍ଡି ବିଡିଓ ଓ ଛତ୍ରପୁର ଏସ୍ଡିପିଓଙ୍କ ଭଳି ବହୁ ଅଧିକାରୀଙ୍କ ପରେ ଏବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ମଧ୍ୟ କରୋନାରୁ ମୁକ୍ତହୋଇ ନିଜ ଡୁ୍ୟଟିରେ ଯୋଗଦେଇଥିବା ରବିବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରିଛି । ଉଲ୍ଲେଖଯୋଗ୍ୟ ଯେ, କେବଳ ଚଳିତ ମାସରେ ହିଁ ଗଞ୍ଜାମରେ ୭୨୬୮ ଜଣ ପଜିଟିଭ୍ ଠାବ ହୋଇଥିବା ବେଳେ ୭୦ଜଣଙ୍କ ଜୀବନ ଗଲାଣି । ସେହିପରି ୫୦୧୨ ଜଣ ଜୁଲାଇ ମାସରେ ସୁସ୍ଥ ହୋଇ ଘରକୁ ଫେରିଲେଣି ।


Comments are closed, but trackbacks and pingbacks are open.