ନୀଳଗିରି,(ବି.ବି.ନୁ୍ୟଜ୍): ହାତୀ ଆକ୍ରମଣରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନସ୍ଥ ଗରଡିହି ପଞ୍ଚାୟତର ଚିକିତ୍ସାଧୀନ ଜଣେ ୱାର୍ଡ ସଭ୍ୟଙ୍କ ମୃତୁ୍ୟ ଘଟିଛି । ୧୨ ଦିନ ଧରି ମେଡିକାଲରେ ଜୀବନ ସହିତ ସଂଘର୍ଷ କରିବା ପରେ ଆଜି ସେ ଆଖି ବୁଜି ଦେଇଥିଲେ । ମୃତ ୱାର୍ଡସଭ୍ୟ ହେଉଛନ୍ତି ଚାଇଁଦର ଗ୍ରାମର ସୁଦାମ ସିଂ । ତେବେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଆଜି ଶତାଧିକ ଗ୍ରାମବାସୀ ଶବ ରଖି କୁଲଡିହା ରେଞ୍ଜ୍ ଅଫିସ ସମ୍ମୁଖରେ ଧାରଣାରେ ଦେଇଥିଲେ । ଘଟଣାରୁ ପ୍ରକାଶ, ବିଭିନ୍ନ ମେଡିକାଲରେ ୧୨ ଦିନ କାଳ ଜୀବନ ସହିତ ସଂଘର୍ଷ କରିବା ପରେ ଆଜି କଟକ ବଡ଼ମେଡିକାଲରେ ତାଙ୍କର ମୃତୁ୍ୟ ଘଟିଥିଲା । ଶବ ଗାଁରେ ପହଞ୍ଚିବା ପରେ ଲୋକେ ତାତି ଉଠିଥିଲେ । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ସହାୟତା ପ୍ରଦାନ ଦାବିରେ କୁଲଡିହା ରେଞ୍ଜ୍ ଅଫିସ ଆଗରେ ଶବ ରଖି ଶତାଧିକ ଗ୍ରାମବାସୀ ଧାରଣା ଦେଇ ରେଞ୍ଜରଙ୍କୁ ଘେରିଥିଲେ । ଶବ ଉପରେ ପରିବାର ଲୋକେ ଏବଂ ସମ୍ପର୍କୀୟ ମୁଣ୍ଡ କଚାଡି କାନ୍ଦିବାରୁ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଏହାପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ତୁରନ୍ତ କ୍ଷତି ପୂରଣ ଦିଆଯିବ ବୋଲି କୁଲଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଧାରଣାରେ ପରିବାର ସଦସ୍ୟଙ୍କ ସମେତ ସିପିଏମ ନେତା ଯୋଗାନନ୍ଦ ଦାସ, ସୁରେଶ ନାୟକ, ରଥ ସିଂ, ଲକ୍ଷ୍ମୀ ସାହୁ, ଗରଡିହି ସମିତି ସଭ୍ୟ ଭାଗୀରଥି ସିଂ, ସୁରେନ୍ଦ୍ର ଖିଲାର, ବୈଦ୍ୟନାଥ ସିଂ, ରାଜେଶ ନାୟକ, ତ୍ରିଲୋଚନ ବେହେରା, ଉପେନ୍ଦ୍ର ଦାସ ପ୍ରମୁଖ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ଚାଇଁଦର ଗ୍ରାମର ଛାଟିଆ ସିଂଙ୍କ ପୁଅ ୱାର୍ଡସଭ୍ୟ ସୁଦାମ ଟିଆକଟା ନିକଟରେ ଗତ ୧୫ ତାରିଖ ଛେଳି ଚରାଉଥିଲେ । ଏତିକିବେଳେ ଗୋଟିଏ ହାତୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ପ୍ରାଣ ବିକଳରେ ଦୌଡିବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀଟି ଶୁଣ୍ଢ ବୁଲାଇ ଦେବାରୁ କଚାଡି ହୋଇ ସେ ଏକ ଖାଲରେ ପଡି ଯାଇଥିଲେ । ବହୁ ସମୟ ଧରି ଦନ୍ତାଟି ତାଙ୍କୁ ଛାଡି ଯାଇ ନଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
Comments are closed, but trackbacks and pingbacks are open.