ବଲାଙ୍ଗୀର,(ବି.ବି.ନୁ୍ୟଜ୍): ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥର ବଇରାସର ନିକଟରେ ଆଜି ସକାଳେ ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଏକ ଟ୍ରକରେ ବୋଲେରୋ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବୋଲେରୋଗରେ ଥିବା ୩ ଜଣ ଯାତ୍ରୀଙ୍କ ମୃତୁ୍ୟ ଘଟିଥିବା ବେଳେ ୯ଜଣ ଆହତ ହୋଇଛନ୍ତି ।

ମୃତକମାନେ ହେଲେ ପାଟଣାଗଡ଼ ଥାନା ଘୁମେର ଗାଁର ତେଜ ବାଗ, ଶକୁନ୍ତଳା ସାହୁ ଏବଂ ଗେରଡ଼ା ଗାଁର ପବିତ୍ର ସାହୁ । ସେହିପରି ଆହତଙ୍କ ମଧ୍ୟରେ ତମିଆ ଗାଁର କୃଷ୍ଣ ପୁଟେଲ(୨୫), ମୀନା ପୁଟେଲ(୧୦), ରୁକ୍ମଣୀ ପୁଟେଲ(୫୨), କୈଳାସ ପୁଟେଲ(୨୨), ପିଙ୍କି ପୁଟେଲ(୨୨), ଘୁମେର ଗାଁର ହରେକୃଷ୍ଣ ସାହୁ(୨୮), ସମାରୁ ସାହୁ(୪୫), ଶକୁନ୍ତଳା ସାହୁ(୪୦), କବି ସାହୁ(୩୦) ଏବଂ ରମ୍ଭା ସାହୁ(୨୫) ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦଲାଲ ତେଜ ବାଗ ଏବଂ ଜଣେ ଶ୍ରମିକ ଶକୁନ୍ତଳାଙ୍କ ମୃତୁ୍ୟ ହୋଇଥିବା ବେଳେ ତରଭା ଡାକ୍ତରଖାନାରେ ପବିତ୍ର ସାହୁଙ୍କ ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକେ ପୁଲିସ ସହାୟତାରେ ସମସ୍ତଙ୍କୁ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆହତମାନେ ଦୀର୍ଘସମୟ ପର୍ଯ୍ୟନ୍ତ ପୁରୀକୁ ତୀର୍ଥଯାତ୍ରାରେ ଯାଉଥିବା ପ୍ରକାଶ କରିଥିଲେ । ତେବେ ବାସ୍ତବରେ ସେମାନେ କଟକ ଜିଲ୍ଲା ଫୁଲନଖରାସ୍ଥିତ ଏକ ଇଟାଭାଟିକୁ କାମ କରିବାକୁ ଯାଉଥିବା ଆହତ ହରେକୃଷ୍ଣ ସାହୁ କହିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲା । ସେପଟେ ଘଟଣାସ୍ଥଳରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ସମସ୍ତଙ୍କୁ ବୁଝାସୁଝା କରିବା ପରେ ଆନେ୍ଦାଳନ ଥମିଥିଲା ।
ଆହତଙ୍କଠାରୁ ମିଳିଥିବା ସୂଚନାଅନୁସାରେ, ରାତି ୩ଟାରୁ ଦଲାଲ ତେଜ ବାଗ ପାଟଣାଗଡ଼ ଥାନା ଅନ୍ତର୍ଗତ ଗେରଡ଼ା, ଘୁମେର ଏବଂ ତମିଆଁ ଗାଁର ୧୩ଜଣ ଶ୍ରମିକଙ୍କୁ ଏକ ବୋଲେରୋ ଗାଡ଼ିରେ ନେଇ କଟକ ଅଭିମୁଖେ ଯାଉଥିଲେ । ହେଲେ ବଇରାସର ନିକଟରେ ରାସ୍ତା କଡ଼ରେ ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ ବୋଝେଇ ଟ୍ରକରେ ପିଟି ହୋଇଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇ ସେଠାରେ ପଡ଼ିରହିଥିଲେ । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଆହତଙ୍କୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ଆଣାଯାଇଥିଲା । ଆହତଙ୍କୁ କୁଆଡେ଼ ଯାଉଥିଲ ବୋଲି ପ୍ରଶ୍ନ କରିବାରୁ ସେମାନେ ତୀର୍ଥଯାତ୍ରାରେ ଯାଉଥିବା କହିଥିଲେ । ପରେ ସେମାନଙ୍କ ମଧ୍ୟରୁ କେତେଜଣ ଆହତ କାମଧନ୍ଦା ନମିଳିବାରୁ କଟକ ଫୁଲନଖରାସ୍ଥିତ ଏକ ଇଟାଭାଟିରେ କାମ କରିବାକୁ ଯାଉଥିବା ପ୍ରକାଶ କରିଥିଲେ । ସେଠାରେ ୨/୩ମାସ ଇଟା ବୋହିଥାନ୍ତେ ବୋଲି କହିଛନ୍ତି । ଏନେଇ ପୁଇଁନ୍ତଳା ଥାନା ଅଧିକାରୀ ବି.ରୁଦ୍ରିଆଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ସେମାନେ କୁଆଡେ଼ ଯାଉଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତଥାପି ଏନେଇ ତଦନ୍ତ ଚାଲିଛି, ଆହତମାନେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । କ୍ଷତିପୂରଣ ପାଇଁ ରାସ୍ତାରୋକ କରିଥିବାରୁ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି କହିଥିଲେ ।
Comments are closed, but trackbacks and pingbacks are open.