ପରିବାର ପ୍ରଶାସନର ଦ୍ୱାରସ୍ଥ
ମହାକାଳପଡ଼ା,(ବି.ବି.ନ୍ୟୁଜ୍): ଦାଦନ ଖଟିବାକୁ ଯାଇ ବନ୍ଧାପଡ଼ିଛି ମାନସିକ ଭିନ୍ନକ୍ଷମ ପୁଅ । ଫେବ୍ରୁଆରୀ ମାସରୁ ଯାଇଛି ଯେ କିଛି ଖବର ମିଳୁନି । ବେଙ୍ଗାଲୁରୁରେ କେମିତି ଅଛି, କ’ଣ କରୁଛି କିଛି ଖବର ନାହିଁ ପୁଅ ବାବଦରେ । ଏଣେ ମାସାଧିକ କାଳ ସ୍ଥାନୀୟ ପୁଲିସ ଅଧିକାରୀ, କେନ୍ଦ୍ରାପଡ଼ା ଏସ୍ଡିପିଓଙ୍କୁ ଜଣାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଦାଦନ ଖଟିବାକୁ ଯିବା ପୂର୍ବରୁ ଠିକାଦାରଙ୍କଠାରୁ ଆଣିଥିବା ଅଗ୍ରୀମ ଟଙ୍କା ବାବଦକୁ ଶ୍ରମଦାନ ନକଲେ ପୁଅର କିଡ୍ନୀ ବାହାର କରି ବିକିଦେବେ ବୋଲି ଧମକ ଦେଉଛନ୍ତି ଠିକାଦାର ଓ ତାଙ୍କ ଏଜେଣ୍ଟ୍ । ଏକଥା ଶୁଣି ଏବେ ଚିନ୍ତାରେ ପୂରା ପରିବାର । ମୁଣ୍ଡ ପିଟି କାନ୍ଦୁଥିବା ପରିବାର ଲୋକେ ଶେଷରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ।
ଜମ୍ୱୁ ସାମୁଦ୍ରିକ ଥାନା ଅଧୀନ ଜମ୍ୱୁ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗ୍ରାମର ପ୍ରଭାତ ମଣ୍ଡଳଙ୍କ ପତ୍ନୀ ସୁଷମା ଅଭିଯୋଗ କରିଛନ୍ତି, ତାଙ୍କ ପୁଅ ନିତାଇ ମଣ୍ଡଳ ମାନସିକ ଭିନ୍ନକ୍ଷମ । ରାଜନଗର ଗଜରାଜପୁରର ଠିକାଦାର ଅବିନାଶ ମଲିକ ଜମ୍ୱୁର ଏଜେଣ୍ଟ ଆଶୁ ମଣ୍ଡଳଙ୍କ ଜରିଆରେ ଜମ୍ୱୁର ୭ ଜଣ ଯୁବକଙ୍କୁ ନେଇ ଯାଇଥିଲେ ଦାଦନ ଖଟିବାକୁ । ନିତାଇଙ୍କୁ ସେ ଭୁଲାଇ, ଅଧିକ ମଜୁରିର ଲୋଭ ଦେଖାଇ ସାଙ୍ଗରେ ନେଇଯାଇଥିଲେ । ନିତାଇଙ୍କ ସହ ଜମ୍ୱୁର କେଶବ ଦାସ, ଅଭିରାମ ମିସ୍ତ୍ରୀ, ବିଶ୍ୱଜିତ ରାୟ, ସଞ୍ଜୀବ ରାୟ, ଚନ୍ଦନ ପାଇକ ଯାଇଥିଲେ ବେଙ୍ଗାଲୁରୁକୁ କାମ କରିବାକୁ । ସେମାନେ ସମସ୍ତେ ଫେବ୍ରୁଆରୀ ମାସରେ ବେଙ୍ଗାଲୁରୁ ଯିବାକୁ ଯାତ୍ରା କରିଥିଲେ ଘରୁ । ସମସ୍ତେ ଏକାଠି ଯାଇଥିବା ବେଳେ ଭୁବନେଶ୍ୱର ରେଳଷ୍ଟେସନ ପାଖରୁ ଏଜେଣ୍ଟ ଓ ଜଣେ ଯୁବକ ଫେରି ଆସିଥିଲେ । ପରେ ଠିକାଦାର ଅବିନାଶ ଓ ୫ ଜଣ ବେଙ୍ଗାଲୁରୁ ଯାଇଥିଲେ । ନିତାଇଙ୍କୁ ଛାଡ଼ି ୫ ଜଣଙ୍କ ମଧ୍ୟରୁ ଅନ୍ୟମାନେ ୩ ମାସ ପରେ ଫେରି ଆସିଥିଲେ । କେବଳ ରହିଯାଇଥିଲେ ନିତାଇ । ଯେଉଁମାନେ ବି ଫେରିଆସିଥିଲେ ସେଠାକାର ଅସ୍ୱାସ୍ଥ୍ୟକର ପରିବେଶ, ଖାଇବାକୁ ଠିକ୍ସେ ନଦିଆଯିବା, ଅନିୟମିତ ଦରମା ପ୍ରଦାନ ନେଇ ଅଭିଯୋଗ କରିଥିଲେ । କିଛିଦିନ ପରେ ନିତାଇଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ବି ସମ୍ଭବପର ହୋଇନଥିଲା । ମାନସିକ ଅସୁସ୍ଥତାରୁ ସେ ପ୍ରାୟ ୩ ମାସ ଧରି କଟକ ବଡ଼ ମେଡିକାଲ୍ରେ ଚିକିତ୍ସାଧୀନ ଥିଲେ ବେଙ୍ଗାଲୁରୁ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ । ସେଠାରେ ଥିବାବେଳେ ଯେତେବେଳେ ସେ ଘର ସହ କଥାବାର୍ତ୍ତା ହେଉଥିଲେ ତାଙ୍କ ଅସୁସ୍ଥତା ସମ୍ପର୍କରେ କହୁଥିଲେ । ପରେ ତାଙ୍କ ସହ ପରିବାର ଲୋକଙ୍କର ଆଉ ସମ୍ପର୍କ ରହିନଥିଲା । ଏଣେ ସେଠାରେ ନେଇ ପହଞ୍ଚାଇଥିବା ଠିକାଦାର ବି ଫୋନ୍ କଲେ ଧରିନଥିଲେ । ବରଂ ବେଙ୍ଗାଲୁରୁ ଯିବାବେଳକୁ ଅଗ୍ରୀମ ଟଙ୍କା ବାବଦକୁ ନଖଟିଲେ ଅବା ଅର୍ଥ ଫେରାଇବାକୁ ଅସମର୍ଥ ହେଲେ ପୁଅର କିଡ୍ନୀ କାଟି ବାହାର କରିନେଇ ସେ ବିକିଦେବେ ବୋଲି ପରୋକ୍ଷରେ ଧମକ ଦେଇଥିଲେ । ଜମ୍ୱୁ ଏଜେଣ୍ଟ ବି ଆଉ ଧରାଛୁଆଁ ଦେଇନଥିଲେ ।
ସୁଷମା ଏ ସଂକ୍ରାନ୍ତରେ ଜମ୍ୱୁ ସାମୁଦ୍ରିକ ପୁଲିସ, କେନ୍ଦ୍ରାପଡ଼ା ଏସ୍ଡିପିଓ, ଶ୍ରମ ଅଧିକାରୀଙ୍କୁ ମାସେ ହେଲା ଜଣାଇଥିଲେ ବି ସମସ୍ତେ ଚୁପ୍ । ଅଭିଯୋଗ ଗ୍ରହଣ କରି ହାତ ବାନ୍ଧି ବସି ଯାଇଛନ୍ତି । ଏ ସଂପର୍କରେ ଜମ୍ୱୁ ସାମୁଦ୍ରିକ ଥାନା ଅଧିକାରୀ ରାମ କୁମାର ମୁର୍ମୁ କହିଛନ୍ତି, ମୌଖିକ ଅଭିଯୋଗ ହୋଇଥିଲେ ବି ଲିଖିତ ଭାବେ କୌଣସି ରିପୋର୍ଟ ହୋଇନଥିଲା । ଏବେ ଲିଖିତ ଅଭିଯୋଗ ହୋଇଛି । ତଦନ୍ତ କରୁଛୁ । କେନ୍ଦ୍ରାପଡ଼ାର ସହକାରୀ ଶ୍ରମ ଅଧିକାରୀ ଭକ୍ତବନ୍ଧୁ ଆଚାର୍ଯ୍ୟ କହିଛନ୍ତି, ଅଭିଯୋଗ ପାଇବା ପରେ ଚେଷ୍ଟା ଚଳାଇଛୁ । ନିତାଇ କେମିତି ଭଲରେ ଘରକୁ ଫେରିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି । ଏପଟେ ବନ୍ଧା ପଡ଼ିଥିବା ପୁଅ କଥା ଭାବି ଭାବି ଚେତାଶୂନ୍ୟ ହୋଇପଡୁଛନ୍ତି ମା’ ସୁଷମା ମଣ୍ଡଳ ଓ ପରିବାର ଲୋକେ ।
Comments are closed, but trackbacks and pingbacks are open.