ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟୁଇନ୍ସିଟିର ନୂଆ ଟ୍ରାଫିକ୍ ଡିସିପି ଭାବେ ଆଜିଠୁ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ୍ର ଆଇପିଏସ୍ ସୌମ୍ୟା ମିଶ୍ର । ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଜି ତାଙ୍କୁ ଉଭୟ ସହରର ଟ୍ରାଫିକ୍ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । କରୋନା ପରିସ୍ଥିତି ସହ ଖାପ ଖୁଆଇ ନୂଆ ମୋଟରଯାନ ଆଇନ୍କୁ କଡ଼ାକଡ଼ି ପାଳନ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ୍ ହେବ ।
ପୁଲିସ ସେବା ଭବନରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସୌମ୍ୟା ଏଜି ଛକସ୍ଥିତ ଟ୍ରାଫିକ୍ ଥାନା-୧କୁ ଯାଇଥିଲେ । ସେଠାରେ ଟ୍ରା୍ରଫିକ୍ ଏସିପି ସ୍ୱସ୍ତିକ ପଣ୍ଡା ଓ ଥାନା ଅଧିକାରୀ ସୁରେନ୍ଦ୍ରନାଥ ବଳଙ୍କୁ ଭେଟିଥିଲେ । ଏହାପରେ ଚନ୍ଦ୍ରଶେଖରପୁର ଥାନାସ୍ଥିତ ଟ୍ରାଫିକ୍ ଥାନା-୨କୁ ଯାଇ ଇନ୍ସପେକ୍ଟର କୁମାରୀ ଅଞ୍ଜଳିଙ୍କ ସହ ସେ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ସୌମ୍ୟା କହିଛନ୍ତି, କଟକ ଓ ଭୁବନେଶ୍ୱର ଭଳି ବ୍ୟସ୍ତବହୁଳ ସହରରେ ଟ୍ରାଫିକ ନିୟନ୍ତ୍ରଣ ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ପାଲଟିବ । ଏହାବାଦ୍ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଲାଗୁ କରିବା ଓ ଦୁର୍ଘଟଣା ହାର କମାଇବାକୁ ମଧ୍ୟ ଫୋକ୍ସ ଦେବାକୁ ପଡ଼ିବ । ସୌମ୍ୟା ହେଉଛନ୍ତି ୨୦୧୪ ବ୍ୟାଚ୍ର ଆଇପିଏସ୍ । ଏହା ପୂର୍ବରୁ ସେ ସୁନ୍ଦରଗଡ ଏସ୍ପି ଥିଲେ ।
Comments are closed, but trackbacks and pingbacks are open.