ଭୁବନ,(ବି.ବି.ନୁ୍ୟଜ୍): ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ନିହତ । ଭୁବନ ଥାନା ଇଲାକା ଭୂଷଳ ପଞ୍ଚାୟତ କିଙ୍ଗୋଳ ଗ୍ରାମରେ ରବିବାର ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ହେଲେ କିଙ୍ଗୋଳ ଦଳିତ ସାହିର ଅଭିମନୁ୍ୟ ମଲ୍ଲିକଙ୍କ ପତ୍ନୀ ମିଲି ମଲ୍ଲିକ(୩୨) । ମିଲିଙ୍କ ୫ ବର୍ଷର ଶିଶୁ କନ୍ୟା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ୍ ଅଭିଯୁକ୍ତ ଦିଅର ରବୀନ୍ଦ୍ରକୁ ଅଟକ ରଖି ତଦନ୍ତ ଚଳାଇଛି ।
ପୁଲିସ୍ ସୂଚନା ମୁତାବକ, ରବିବାର ରାତି ପ୍ରାୟ ସାଢେ଼ ୧୦ଟା ବେଳେ ଏହି ବର୍ବରୋଚିତ ହତ୍ୟାକାଣ୍ଡ ଘଟିଥିଲା । ସ୍ୱାମୀ ଅଭିମନୁ୍ୟ ଓ ଶ୍ୱଶୁର ରାତି୍ର ଭୋଜନ ପରେ ଚାଷଜମିକୁ ଯାଇଥିଲେ । ସ୍ୱାମୀ ଓ ଶ୍ୱଶୁର ଯିବା ପରେ ମିଲି ଓ ତାଙ୍କ ୫ ବର୍ଷର ଝିଅ ଶୋଇବାକୁ ଯାଇଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ରବୀନ୍ଦ୍ର ଶୋଇବା ଘରେ ପଶି ମିଲିଙ୍କ ବେକକୁ ଟାଙ୍ଗିଆରେ ହାଣି ପକାଇଥିଲା । ଝିଅ ଉପରେ ମଧ୍ୟ ଟାଙ୍ଗିଆ ଚୋଟ ପଡ଼ିଥିଲା । ମିଲିଙ୍କ ଚିକ୍ରାର ଶୁଣି ସାହି ପଡ଼ିଶା ଲୋକ ପଳାଇ ଆସିଥିଲେ । ରବୀନ୍ଦ୍ରକୁ କାବୁ କରିବା ସହ ମା’ ଓ ଝିଅଙ୍କୁ ଉଦ୍ଧାର କରିଥିଲେ । ସ୍ୱାମୀ ଅଭିମନୁ୍ୟ ଓ ଶ୍ୱଶୁର ଘରେ ପହଞ୍ଚି ତୁରନ୍ତ ଉଭୟଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ମିଲିଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖବରପାଇ ଭୁବନ ଥାନା ଆଇଆଇସି ଜିତେନ୍ଦ୍ର କୁମାର ସାହୁ ଓ ଏଏସ୍ଆଇ ରମେଶ ଚନ୍ଦ୍ର ସ୍ୱାଇଁ ମେଡିକାଲ୍ରେ ପହଞ୍ଚି ଶବ ଜବତ କରିଥିଲେ । ଅଭିଯୁକ୍ତ ରବୀନ୍ଦ୍ରକୁ ଅଟକ ରଖି ଏ ସଂକ୍ରାନ୍ତରେ କେସ୍ ନମ୍ବର ୨୩୫/୨୦୨୦ରେ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ରବୀନ୍ଦ୍ରକୁ ତାଙ୍କ ପତ୍ନୀ ଛାଡ଼ି ପଳାଇଥିବାରୁ ସେ ମାନସିକ ଭାରସାମ୍ୟ ହରାଇଥିଲେ । ଭାରସାମ୍ୟ ହରାଇ ସେ ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି ।


Comments are closed, but trackbacks and pingbacks are open.