ପୁରୀ, (ବି.ବି.ନୁ୍ୟଜ): ଅନୁଭୂତି ନାହିଁ । ପେଷା ମଧ୍ୟ ନୁହେଁ । ହେଲେ ଚଳିତ ବର୍ଷ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରାଯିବା ଅନେକ ଯୁବପୀଢ଼ିଙ୍କୁ ଦୁଃଖ ଦେଇଛି । ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇ ଠିଆ ହୋଇଥିବା କରୋନା ମହାମାରୀର ତୁରନ୍ତ ବିନାଶ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ନିବେଦନ କରି ପୁରୀର ଜଣେ ଯୁବକ ପୁରୁଣା ଖବରକାଗଜ ବ୍ୟବହାର କରି ତିନି ଠାକୁରଙ୍କ ନାଗାର୍ଜୁନ ବେଶ କରିଥିବା ବେଳେ ଅନ୍ୟ ଜଣେ ଦିଆସିଲି କାଠିରେ ତିଆରି କରିଛନ୍ତି କ୍ଷୁଦ୍ର ଶ୍ରୀଜଗନ୍ନାଥ ନାଗାର୍ଜୁନ ବେଶ ମୂର୍ତ୍ତି । ଦିଆସିଲି କାଠିରେ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ମୂର୍ତ୍ତି ତିଆରି କରିଥିବା ଯୁବକ ଜଣକ ପୁରୀ କୁମ୍ଭାରପଡ଼ା ବାସିନ୍ଦା ତଥା ଯୁକ୍ତ ୩ରେ ପଢ଼ୁଥିବା ଶାଶ୍ୱତ ରଞ୍ଜନ ସାହୁ । ପ୍ରାୟ ୩ ହଜାର ୬୩୫ ଖଣ୍ଡ ଡିଆସିଲି କାଠି ବ୍ୟବହାର କରି ୨୬ ଇଞ୍ଚ ପ୍ରସ୍ଥ ଓ ୨୯ ଇଞ୍ଚ ଲମ୍ବ ମୂର୍ତ୍ତି ସେ ତିଆରି କରିଛନ୍ତି । ଯେଉଁଥିପାଇଁ ତାଙ୍କୁ ୧୧ ଦିନ ସମୟ ଲାଗିଛି । ଚଳିତବର୍ଷ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବା ତାଙ୍କୁ ବ୍ୟଥିତ କରି ଏଭଳି ନିଆରା ମୂର୍ତ୍ତି ତିଆରି କରିବାରେ ପ୍ରେରଣା ଦେଇଥିବା ସେ କହିଛନ୍ତି । ନାଗାର୍ଜୁନ ବେଶ ସମୟରେ ମହାପ୍ରଭୁ ଧାରଣ କରୁଥିବା ଖଣ୍ଡା, ବାଘ ନଖ, ମାଳି, ନାକୁଆସି, ଛୁରୀ ପ୍ରଭୃତିକୁ ମଧ୍ୟ ସେ ଦିଆସିଲିରେ ତିଆରି କରିଛନ୍ତି । ଏହି ମୂର୍ତ୍ତିକୁ ସେ ୫ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ଦେବା ନିମନ୍ତେ ମନସ୍ଥ କରିଥିବା ଜଣାଇଛନ୍ତି । ପୂର୍ବରୁ ସେ ଦିଆସିଲି କାଠିରେ କ୍ଷୁଦ୍ର ଶ୍ରୀ ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ । ଗତ ମାସରେ ଏହି ମୂର୍ତ୍ତି ନିର୍ମାଣ ନେଇ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସାର୍ଟିଫିକେଟ ହାସଲ କରିଥିଲେ ।
ସେହିପରି ପୁରୀ ଅମଲା କ୍ଲବ ଗଳି କୁମୁଟିସାହିର ସୂର୍ଯ୍ୟକାନ୍ତ ଦାସ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ସୁଭଦ୍ରାଙ୍କ ନାଗାର୍ଜୁନ ବେଶ ମୂର୍ତ୍ତିକୁ ପୁରୁଣା ଖବରକାଗଜରେ ତିଆରି କରିଛନ୍ତି । ମୂର୍ତ୍ତିଗୁଡ଼ିକୁ ପ୍ରାକୃତିକ ରଙ୍ଗ ଦେଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଉଚ୍ଚତା ୧୬ ଇଞ୍ଚ ଓ ଓସାର ୧୦ ଇଞ୍ଚ, ଶ୍ରୀବଳଭଦ୍ରଙ୍କ ଉଚ୍ଚତା ୧୫ ଇଞ୍ଚ ଓ ୧୦ ଇଞ୍ଚ ଓ ସୁଭଦ୍ରାଙ୍କ ଉଚ୍ଚତା ୮ ଇଞ୍ଚ- ଓସାର ୩.୫ ଇଞ୍ଚ । ମହାପ୍ରଭୁଙ୍କ ନିକଟରେ ସେ ଏହି କଳାକୃତିକୁ ସମର୍ପଣ କରି ନିଜର ଭକ୍ତି ଜଣାଇଛନ୍ତି ଓ କରୋନା ମହାମାରୀ ତୁରନ୍ତ ବିନାଶ ପାଇଁ ନିବେଦନ କରିଥିବା ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.