ଦିନକରେ ୮୩, ପଜିଟିଭ୍ ସଂଖ୍ୟା ୩୭୭

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସବୁ ରେକର୍ଡ ଆଜି ଭାଙ୍ଗିଛି । ଗୋଟିଏ ଦିନରେ ୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । କରୋନା ମାନଚିତ୍ରରେ ଅନୁଗୁଳ ସହ ବୌଦ୍ଧ ଜିଲ୍ଲା ଆଜି ଯୋଡି ହୋଇଛି । ଏକାଥରରେ ଅନୁଗୁଳରୁ ୧୫ ଆକ୍ରାନ୍ତ ହୋଇଛନ୍ତି । ଏ ପଟେ ବୌଦ୍ଧରୁ ମଧ୍ୟ ୩ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ଦୁଇ ଜିଲ୍ଲା ମିଶିବା ପରେ ୨୧ ଜିଲ୍ଲାକୁ ବ୍ୟାପିଛି ଭୟଙ୍କର ଭୂତାଣୁ । କରୋନା ଗଡ଼ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ୭ ଦିନରେ ଶୂନ୍ରୁ ଶହେ ହୋଇଛି ଆକ୍ରାନ୍ତ ସଂଖ୍ୟା । ଏ ପଟେ ଆଉ ଜଣଙ୍କ ଜୀବନ ଯାଇଛି କରୋନା ମହାମାରୀରେ । ଗଞ୍ଜାମର ଜଣେ ଆକ୍ରାନ୍ତଙ୍କ ଜୀବନ ଯିବା ପରେ ରାଜ୍ୟରେ କରୋନା ମୃତୁ୍ୟ ୩ ହୋଇଛି ।
ଗତକାଲି ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଥିଲା ୨୯୪ । ଆଜି ଏ ସଂଖ୍ୟା ବଢି ହୋଇଛି ୩୭୭ । ରବିବାର ପ୍ରଥମ ଅପଡେଟ୍ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୫୮ ଜଣଙ୍କ ସମ୍ପର୍କରେ ତଥ୍ୟ ଦେଇଥିଲା । ଅପଡେଟ୍ ପରେ ଅନୁଗୁଳବାସୀ ଛାନିଆ ହୋଇପଡିଥିଲେ । ଗତକାଲି ସଂକ୍ରମଣ ଶୂନ୍ୟ ଥିବା ଜିଲ୍ଲାରେ ଏକାଥରରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରେ ୧୨ ଜଣ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି । ୧୧ ଜଣ ସୁରଟ୍ ଫେରନ୍ତା, ଜଣେ ମହାରାଷ୍ଟ୍ର ଓ ଅନ୍ୟଜଣେ ଆକ୍ରାନ୍ତ ଭୁବନେଶ୍ୱର ଝାରପଡା ଅଞ୍ଚଳରୁ ଯାଇଛନ୍ତି । ଅନୁଗୁଳ ସହର ନିକଟସ୍ଥ ହେମସୁରପଡାର ଏହି ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାରେ ଏକରକମ ଭୟର ବାତାବରଣ ଖେଳିଯାଇଛି । ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ଘର ଛେଣ୍ଡିପଦା, ଆଠମଲ୍ଲିକ ଓ ଅନୁଗୁଳ ସହର ନିକଟରେ । ସନ୍ଧ୍ୟାରେ ତୃତୀୟ ଅପଡେଟ୍ ଦେଇ ବିଭାଗ ଆଉ ୨ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲା । ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫ ହୋଇଛି ।
ବୌଦ୍ଧ ଜିଲ୍ଲାରେ ପଞ୍ଝା ମାରି ଏକାଥରରେ ୩ ଜଣଙ୍କୁ ଆକ୍ରାନ୍ତ କରିଛି । ସନ୍ଧ୍ୟାରେ ବୌଦ୍ଧକୁ କରୋନା ବ୍ୟାପିଥିବା ସମ୍ପର୍କରେ ସୂଚନା ଦେଇଛି ବିଭାଗ । ଏ ପଟେ ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ସବୁଦିନ ଜିଲ୍ଲାର ଭିନ୍ନ ଭିନ୍ନ ବ୍ଲକ କରୋନା ଆଁରେ ପଶି ଚାଲିଛି । ଆଜି ଜିଲ୍ଲାରୁ ୩୬ ନୂଆ ପଜିଟିଭ୍ କେସ୍ ଆସିଛି । ଗଞ୍ଜାମରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨୫ ହୋଇଛି । ପ୍ରଥମ ଅପଡେଟ୍ରେ ୨୯ ଓ ପରେ ଆଉ ୭ ଜଣଙ୍କ ପଜିଟିଭ୍ ସମ୍ପର୍କରେ ସ୍ପଷ୍ଟ ହୋଇଥିଲା । ଏ ପଟେ କରୋନା ଆଜି ତୃତୀୟ ଶିକାର କରିଛି । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ୨ ଜଣଙ୍କ ଜୀବନ ଯାଇଥିଲା ।
ମୟୂରଭଞ୍ଜ ଜିଲ୍ଲା ଆଜି ବି ଖାତା ଖୋଲିଛି । ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୮ ହୋଇଛି । ତେବେ ଆଜି ଗଞ୍ଜାମ ଓ ମୟୂରଭଞ୍ଜରୁ ଚିହ୍ନଟ ହୋଇଥିବା ସବୁ ଆକ୍ରାନ୍ତଙ୍କ ସୁରଟ ଲିଙ୍କ୍ ରହିଛି । ଏ ସମସ୍ତ ଆକ୍ରାନ୍ତ ସୁରଟ୍ରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ ।
ଏ ପଟେ ବାଲେଶ୍ୱର ମଧ୍ୟ ସ୍ଥିତି ଚିନ୍ତାଜନକ ହେଲାଣି । ଆଜି ଜିଲ୍ଲାରୁ ଗୋଟିଏ ଦିନରେ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କିଛିଦିନ ହେଲା ନୂଆ ଆକ୍ରାନ୍ତ ଚିହ୍ନଟ ନହେବାରୁ ଆଶ୍ୱସ୍ତ ଥିବା ଜିଲ୍ଲାବାସୀଙ୍କ ଆଜି ପୁଣି ଟେନ୍ସନ ବଢିଛି । ଆଜିର ଚିହ୍ନଟଙ୍କ ମଧ୍ୟରେ ୧୦ ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ତେବେ ବାକି ୫ ଆକ୍ରାନ୍ତ କର୍ଣ୍ଣାଟକରୁ ନିକଟରେ ଫେରିଥିଲେ ।
ତେବେ ଦ୍ୱିତୀୟ ଅପଡେଟ୍ ଆସିବା ପରେ ଯାଜପୁର ଓ ଭଦ୍ରକରେ ଛନକା ପଶିଥିଲା । ଯାଜପୁରରୁ ଆଜି ପୁଣି ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ଘର ଧର୍ମଶାଳା ଓ ଯାଜପୁରରେ । ଯାଜପୁରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୦ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ସୁରଟରୁ ଫେରିଥିବା ବେଳେ ବାକି ଦୁଇ କଲିକତାରୁ ଫେରିଥିବା ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ । ଭଦ୍ରକରେ ୬ ଆକ୍ରାନ୍ତ ମଧ୍ୟରେ ବାସୁଦେବପୁର ଓ ଭଦ୍ରକ ପୌରାଞ୍ଚଳର ବାସିନ୍ଦା । ଜିଲ୍ଲାରେ ସଂଖ୍ୟା ୩୧କୁ ଛୁଇଁଛି । ଭଦ୍ରକର ସମସ୍ତ ଆକ୍ରାନ୍ତ କିନ୍ତୁ ସୁରଟ ଫେରନ୍ତା ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।
ମାସାଧିକ କାଳ ହେବ ପୁରୀରେ ଆଉ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ପୁରୀ ପିପିଲି ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଆଉ ନୂଆ କେସ୍ ଆସିନଥିଲା । ତେବେ ଆଜି ଦିନକରେ ପୁରୀ ସହରରୁ ହିଁ ୨ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରୁ ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୫୯,୭୮୦ ନମୁନା ପରୀକ୍ଷା ହୋଇଛି । ୩୦୬ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ପଟେ ଚିହ୍ନଟ ୩୭୪ ଜଣଙ୍କ ମଧ୍ୟରେ ୩୧୫ ଜଣ ପୁରୁଷ ହୋଇଥିବା ବେଳେ ୫୯ ଜଣ ହେଉଛନ୍ତି ମହିଳା ଆକ୍ରାନ୍ତ । ୧୫-୪୦ ବର୍ଷ ବୟସର ୬୧ .୨ ପ୍ରତିଶତ ଅର୍ଥାତ ୨୨୯ ରୋଗୀ ରହିଛନ୍ତି । ଆଜି ଚିହ୍ନଟ ୮୩ ପଜିଟିଭଙ୍କ ମଧ୍ୟରୁ ୮୨ ଜଣ ସରକାରୀ କ୍ୱାରେଣ୍ଟାଇନ କିମ୍ବା ହୋମକ୍ୱାରେଣ୍ଟାଇନରେ ଥିଲେ । ତେଣୁ ସେମାନଙ୍କଠାରୁ ଗୋÂୀ ସଂକ୍ରମଣର ଆଶଙ୍କା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons