ଦିନକୁ ହେବ ୧୫ହଜାର ପରୀକ୍ଷା:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକଡାଉନ୍ କଟକଣାରେ ପେଷି ହୋଇଛି ଜୀବନ । ବନ୍ଧା ପଡ଼ିଛି ଜୀବିକା । କରୋନା ପାଇଁ ଦେଢ଼ ମାସ ହେବ ରାଜ୍ୟରେ ଏକରକମ ଗୃହବନ୍ଦୀ ଅବସ୍ଥା । ମାତ୍ର ଏଭଳି ସ୍ଥିତିରେ ପରିବର୍ତ୍ତନ ଆସିବ । କେବଳ ରେଡ୍ ଜୋନକୁ ଛାଡ଼ି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଜୀବନଯାତ୍ରା ସ୍ୱାଭାବିକ ସ୍ଥିତିକୁ ଫେରିବ । କୃଷି, ଶିଳ୍ପ ସହ ଶ୍ରମଭିତ୍ତିକ କାର୍ଯ୍ୟକୁ ତ୍ୱରିତ କରାଯିବ । ଜୀବନର ସୁରକ୍ଷା ପାଇଁ କରୋନା ମୁକାବିଲାକୁ ଯେତିକି ଅଗ୍ରାଧିକାର ଦିଆଯିବ, ଜୀବିବାକୁ ମଧ୍ୟ ସେତିକି ଫୋକସ୍ କରାଯିବ । କେବଳ ଜୀବନର ସୁରକ୍ଷା ପାଇଁ ଜୀବିକା ଯେପରି ବୁଡ଼ି ନଯାଏ ତାକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟରେ ଏବେ ରାଜଧାନୀ ଭୁବନେଶ୍ୱରକୁ ମିଶାଇ ୪ଟି ରେଡଜୋନ୍ ଥିଲା ବେଳେ ୧୬ଟି ଗ୍ରୀନ୍ ଏବଂ ୧୧ଟି ଅରେଞ୍ଜ ଜୋନ୍ ରହିଛି । ଗ୍ରୀନ୍ ଜୋନରେ ସ୍ଥିତି କିଭଳି ସ୍ୱାଭାବିକ ହେବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ଜୋନରେ କୃଷି କାର୍ଯ୍ୟ, ପରିବହନ ସ୍ୱାଭାବିକ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟାର ସମାଧାନ ପାଇଁ ନୀତି ପ୍ରଣୟନ, ଚାଷୀ ଓ ଏସଏଚଜିମାନଙ୍କୁ ଅଧିକ ଋଣ ଲଗାଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ଆଗାମୀ ଖରିଫ ଋତୁ ପାଇଁ ବିହନ ଓ ଅନ୍ୟାନ୍ୟ କୃଷି ଉପକରଣ ଯେପରି ଚାଷୀମାନେ ସୁବିଧାରେ ପାଇପାରିବେ ତା ଉପରେ ଧ୍ୟାନ ରହିବ । ରାଜ୍ୟର ଅର୍ଥନୀତିକୁ ଅଧିକ ରୁଗ୍ଣ ହେବାକୁ ନଦେଇ ଏବେଠାରୁ ସରକାରୀସ୍ତରରୁ ସବୁପ୍ରକାର ସହଯୋଗ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇବାକୁ ଚଳିତ ବର୍ଷ ମନରେଗାରେ ଏକ ଲକ୍ଷ ପୋଖରୀ ନିର୍ମାଣ କରାଯିବ । କରୋନା ଲକଡାଉନରୁ ରାଜ୍ୟରେ ଶିଳ୍ପ ସହ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ସମସ୍ୟା ସଂପର୍କରେ ସରକାର ଚାମ୍ବର ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ ଆଣ୍ଡ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରି ତ୍ୱରିତ ପଦକ୍ଷେପ ନେବେ । ଜାପାନ୍, କୋରିଆ ଏବଂ ଆମେରିକାରୁ ଯେପରି ଅଧିକ ପୁଞ୍ଜି ରାଜ୍ୟକୁ ଆସିପାରିବ ସେଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ଏ ନେଇ ବିଭାଗୀୟ ଅଧିକାରୀମାନେ ତ୍ୱରିତ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟରେ ଧାନ ଅମଳ ଏବେ ୪୦ଧରେ ପହଞ୍ଚିଥିଲା ବେଳେ ୬ ରୁ ଧାନ ସଂଗ୍ରହ ଆରମ୍ଭ ହେବ । ମୁଗ, ବିରି ଆଦି ରବି ଫସଲ ଆସନ୍ତା ୭ରୁ ଆରମ୍ଭ କରିବେ ସରକାର । ଏଥିପାଇଁ ଚାଷୀଙ୍କ ପଞ୍ଜୀକରଣ କରାଯାଇଛି । ଖରିଫ ଋତୁରେ ଅଣଧାନ ଚାଷକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ଏ ଦିଗରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଉର୍ତ୍ସଗୀକୃତ ଭାବେ କାମ କରୁଥିବା ପ୍ରଶାସନ, ପୁଲିସ୍, ଶିକ୍ଷକ, ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ଓ ପୌର ସଂସ୍ଥାର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଆମେ ଏଯାଏ ହାସଲ କରିଥିବା ସଫଳତାରେ ଆତ୍ମସନ୍ତୋଷ ଲାଭ ନକରି ଆଗାମୀ ଦିନର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବାକୁ ନବୀନ ପରାମର୍ଶ ଦେଇଛନ୍ତି ।
ରାଜ୍ୟକୁ ଆଗକୁ ବହୁସଂଖ୍ୟାରେ ପ୍ରବାସୀ ଓଡ଼ିଆ ଫେରିବେ । ତେଣୁ ରାଜ୍ୟରେ ଦୈନିକ ପରୀକ୍ଷାକୁ ୧୫ ହଜାରରେ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏବେ ରାଜ୍ୟରେ ଦିନକୁ ୩୫୦୦ କରୋନା ପରୀକ୍ଷା କରାଯାଉଛି । ଆଗାମୀ ଦିନରେ ବାରିପଦା, ବାଲେଶ୍ୱର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ କରୋନା ପରୀକ୍ଷା ପାଇଁ ସୁବିଧା କରାଯାଉଛି । ସୁରତରୁ ଓଡ଼ିଶାକୁ ବସରେ ଯାତ୍ରୀମାନେ ଫେରିବା ବାଟରେ ବହୁ ସମସ୍ୟା ଉପୁଜୁଛି । ରାସ୍ତା ଦୁର୍ଘଟଣା ଘଟୁଛି । ତେଣୁ ଏଣିକି କେବଳ ଟ୍ରେନରେ ସୁରତରୁ ପ୍ରବାସୀ ଓଡ଼ିଆ ଫେରିବାକୁ ସରକାର ଅନୁମତି ଦେବେ । ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାରେ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଥିବାରୁ ଏ ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବେ ସରକାର ।
ଆଗାମୀ ଦିନରେ ବିଦେଶରୁ ମଧ୍ୟ ଓଡ଼ିଆ ଭାଇ ଭଉଣୀ ଫେରିବେ । ଓଡ଼ିଶା ଫେରିବା ପୂର୍ବରୁ ସେମାନଙ୍କ ପଞ୍ଜୀକରଣ, ପରୀକ୍ଷଣ ଓ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯିବ । ଏବେ ବାହାରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୦ ହଜାର ୭୫୧ ଅସ୍ଥାୟୀ ଚିକିତ୍ସା ଶିବିରରେ ୪.୬୮ ଲକ୍ଷ ଲୋକଙ୍କର ରହିବା ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୧୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ୩୨ ହଜାର ୫୨୪ ଜଣ ରହିବା ବ୍ୟବସ୍ଥା କରାଯାଇଛି । ରାଜ୍ୟର ୧୬ ଜିଲ୍ଲାରେ ଏବେ କରୋନା ସଂକ୍ରମଣ ରହିଛି । ୬୨ ଜୋନକୁ ସଂକ୍ରମିତ ଅଞ୍ଚଳ ଘୋଷଣା କରାଯାଇଥିଲା ବେଳେ ୪୭ଟି ସକ୍ରିୟ ଜୋନ୍ ରହିଛି । କୋଭିଡ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ କାର୍ଯ୍ୟ ସନ୍ତୋଷଜନକ ଥିବା ବେଳେ ମିଶନ ଶକ୍ତିର ମହିଳାମାନେ ରନ୍ଧା ଖାଦ୍ୟ ଯୋଗାଉଥିବାରୁ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ଅଢେ଼ଇ ଲକ୍ଷ ପରିବାରର ସମସ୍ୟାର ସମାଧାନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଅଧିକରୁ ଅଧିକ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଫୋକସ୍ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons