ଦିଲ୍ଲୀପଙ୍କ ତୁଣ୍ଡରେ ନବୀନଙ୍କ ପ୍ରଶଂସା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖୋଲା ମଞ୍ଚରୁ ଖୋଲା ପ୍ରଶଂସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସାରେ ପୋତି ପକାଇଛନ୍ତି ରାଜ୍ୟ ରାଜନୀତିର ହେଭିୱେଟ୍ ଦିଲ୍ଲୀପ ରାୟ । ଯେଉଁ ବିମାନବନ୍ଦର ଯାଆନ୍ତୁ, ଯେଉଁ ମାଗାଜିନ୍ ଖୋଲନ୍ତୁ ଓଡ଼ିଶା ସଂପର୍କରେ ନିଶ୍ଚୟ ବିଜ୍ଞାପନ କିମ୍ବା ଖବର ଦେଖିବାକୁ ପାଇବେ । ବିଶ୍ୱକପ୍ ହକିରୁ ଆରମ୍ଭ କରି ଇକୋ ରିଟ୍ରିଟ୍ ଭଳି ଆନ୍ତର୍ଜାତିକ ଫେଷ୍ଟିଭାଲ ଆୟୋଜନ କରି ନବୀନ ବିଶ୍ୱ ଦରବାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ଗୋପାଳପୁର ବେଳାଭୂମି ମହୋତ୍ସବ ମଞ୍ଚରୁ ଦିଲ୍ଲୀପଙ୍କ ତୁଣ୍ଡରେ ନବୀନଙ୍କ ପ୍ରଶଂସା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଶ୍ରୀ ରାୟ ଏବେ ହୁଏତ ଦିଗ ବଦଳାଇବା ମୁଡ୍ରେ ଥାଇପାରନ୍ତି ବୋଲି ରାଜନୈତିକ ମହଲ କହୁଛି ।
ଉତ୍ସବରେ ଯୋଗଦେଇ ଦିଲ୍ଲୀପ କହିଲେ, ବିଶ୍ୱକପ୍ ହକିକୁ ଅନ୍ୟ ରାଜ୍ୟ ନେବାକୁ ଚାହୁଁଥିଲେ । ମାତ୍ର ଏହାକୁ ନବୀନ ବାବୁ ଓଡ଼ିଶାକୁ ଆଣିପାରିଲେ । ଦ୍ୱିତୀୟ ଥର ଓଡ଼ିଶା ବିଶ୍ୱକପ୍ ହକି ପାଇବା ଆମ ପାଇଁ ଗୌରବର କଥା । ୨୦୨୩ ବିଶ୍ୱକପ୍ ହକିର ଆୟୋଜନ ଓଡ଼ିଶାକୁ ପର୍ଯ୍ୟଟନ ଓ କ୍ରୀଡ଼ାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବେଶ୍ ଲାଭ ଦେବ । ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ମଧ୍ୟ ଶ୍ରୀ ରାୟ ତାରିଫ୍ କରିଛନ୍ତି । ପୁରୀ, ଲିଙ୍ଗରାଜ ଓ କୋଣାର୍କ ମନ୍ଦିରର ବିକାଶ ଆମ ପର୍ଯ୍ୟଟନ ଶିଳ୍ପ ପାଇଁ ଲାଭଜନକ ହେବ । ଜଗନ୍ନାଥ ମନ୍ଦିର ପାଇଁ ତାଙ୍କ ଯୋଜନାକୁ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀମାନେ କେବେ ଭୁଲି ପାରିବେ ନାହିଁ । ଓଡ଼ିଶାର ପର୍ଯ୍ୟଟନ ନୀତିରେ ମଧ୍ୟ ମୁଖ୍ୟମନ୍ତ୍ରୀ ବହୁତ କିଛି ପ୍ରୋତ୍ସାହନ ରଖିଛନ୍ତି । ଏଥିପାଇଁ ମୁଁ ନବୀନ ବାବୁ ଓ ଓଡ଼ିଶା ସରକାରଙ୍କୁ ନିଶ୍ଚୟ ଧନ୍ୟବାଦ ଦେବି ବୋଲି ଶ୍ରୀ ରାୟ ଖୋଲାଖୋଲି କହିଥିଲେ । ଏପରିକି ବିଜେଡି ଗଠନ ଓ ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ସଂପର୍କର ସେ ଖୁଲାସା କରିଥିଲେ । ନବୀନ ପ୍ରଥମ ଥର ଆସ୍କା ଲୋକସଭାରୁ ଭୋଟ ଲଢ଼ୁଥିଲା ବେଳେ ତାଙ୍କର ଗୋପାଳପୁର ପାମ୍ ବିଚ୍ ହୋଟେଲରେ ଅବସ୍ଥାନ କରୁଥିଲେ । ସେଇଠାରୁ ଭୋଟ ରଣକୌଶଳ ତିଆରି ହେଉଥିଲା ବୋଲି ଶ୍ରୀ ରାୟ କହିଥିଲେ ।
ଦିଲ୍ଲୀପଙ୍କ ଏ ମନଖୋଲା ପ୍ରଶଂସାକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ଦାନା ଧରିଛି । ଭୋଟ ୧୯ ପୂର୍ବରୁ ଶ୍ରୀ ରାୟ ନବୀନ ନିବାସ ଆସିବା ହଟଚମଟ ସୃଷ୍ଟି କରିଥିଲା । ବିଜେପି ଛାଡ଼ିଥିବା ଏ ପୋଖତ ରାଜନେତା ନବୀନଙ୍କୁ ଏଭଳି ପ୍ରଶଂସାର କାରଣ କ’ଣ ତାହା ଏବେ ଅସମାହିତ ପ୍ରଶ୍ନ । ବିଜେପିକୁ ବାଏ ବାଏ କହିଥିବା ଶ୍ରୀ ରାୟ ଆଉ ବିଜେପିକୁ ନ ଫେରି ହୁଏତ ବିଜେଡି କ୍ୟାମ୍ପକୁ ଆସିପାରନ୍ତି । ଆଗକୁ ରାଜ୍ୟସଭା ଭୋଟ୍ ଥିବାରୁ ଦିଲ୍ଲୀପ ବିଜେଡି ଶିବିରକୁ ଆଉଜିବା କିଛି ଅସମ୍ଭବ ନୁହଁ ବୋଲି ରାଜନୈତିକ ପଣ୍ଡିତ ଯୁକ୍ତି କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons