ନୂଆଦିଲ୍ଲୀ: ନାଗରିକତା ଅଧିକାର ସଂଶୋଧନ ଆଇନ(ସିଏଏ) ଏବଂ ଏନ୍ଆର୍ସିକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଚାଲିଥିବା ହିଂସ୍ର ପ୍ରଦର୍ଶନ ଲଗାତର ତୃତୀୟ ଦିନ ବି ଜାରି ରହିଛି । ଆଜି ମଧ୍ୟ କେତେକ ଅଞ୍ଚଳରେ ଉଗ୍ର ଭିଡ ଦ୍ୱାରା ପଥର ମାଡ଼ ଏବଂ ପ୍ରତିପକ୍ଷ ଗୋÂୀ ଉପରେ ଆକ୍ରମଣ କରାଯାଇଥିବାର ଖବର ମିଳିଛି ।
ଉତ୍ତର-ପୂର୍ବ ଦିଲ୍ଲୀ ଅନ୍ତର୍ଗତ ଚାନ୍ଦବାଗ, କରୱାଲ ନଗର, ଗୋକୁଲପୂରୀ, ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ଆନେ୍ଦାଳନକାରୀମାନେ ବ୍ୟାପକ ହିଂସାକାଣ୍ଡ ଭିଆଇଛନ୍ତି । ଆନେ୍ଦାଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ଜଣେ ହେଡ କନଷ୍ଟେବଳଙ୍କ ସମେତ ୧୩ ଜଣଙ୍କର ମୃତୁ୍ୟ ହୋଇଛି । ଏଥିରେ ୫୬ ପୁଲିସକର୍ମୀଙ୍କ ସହିତ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇ ଜଣ ଆଇପିଏସ ଅଧିକାରୀଙ୍କ ସମେତ ଅନେକ ସଂଖ୍ୟାରେ ପୁଲିସକର୍ମୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକ ଘର, ଦୋକାନ, ଗାଡ଼ି ଏବଂ ପେଟ୍ରୋଲ ପମ୍ପରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଥିଲାବେଳେ ନିଆଁ ଲିଭାଇବାକୁ ଆସିଥିବା ଦମକଳ ବିଭାଗ କର୍ମଚାରୀମାନଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । ଘରକୁ ଫେରୁଥିବା କିମ୍ବା ଅନ୍ୟ କୌଣସି କାମରେ ଯାଉଥିବା ସାଧାରଣ ଲୋକ ବି ଦଙ୍ଗାକାରୀଙ୍କ ଆକ୍ରମଣରୁ ବର୍ତ୍ତିନଥିଲେ । ନିହତଙ୍କ ମଧ୍ୟରେ ଜଣେ ଅଟୋ ଡ୍ରାଇଭର ଏବଂ ଜଣେ ମାର୍କେଟିଂ ଏକଜିକୁ୍ୟଟିଭ ସାମିଲ ଥିବାରୁ ଏହା ସ୍ପଷ୍ଟ ହୋଇଛି । ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବିକ୍ଷୋଭକାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମ ସଂସ୍ଥାର ଦୁଇ ଜଣ ସାମ୍ବାଦିକଙ୍କୁ ବିକ୍ଷୋଭକାରୀ ଆକ୍ରମଣ କରିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥିତି ଉପରେ କାବୁ ଆଣିବାକୁ ୪ଟି ସ୍ଥାନରେ କର୍ଫୁ୍ୟ ଏବଂ ୧୦ଟି ସ୍ଥାନରେ ମାସକ ପାଇଁ ୧୪୪ ଧାରା ଜାରି କରାଯାଇଛି । ହିଂସାପ୍ରବଣ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ବି ମୁତୟନ କରାଯାଇଛି । ଖାଲି ସେତିକି ନୁହେଁ, ହିଂସାପ୍ରବଣ ଅଞ୍ଚଳରେ ଦେଖିବା ମାତ୍ରକେ ଗୁଳି କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ତା’ ସହିତ ୧୯୮୫ ମସିହା ବ୍ୟାଚ୍ ଆଇପିଏସ ଅଧିକାରୀ ଏସ ଏନ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ କମିଶନର( ଆଇନ ଏବଂ ଶୃଙ୍ଖଳା) ଭାବେ ନିଯୁକ୍ତି ଦିଆଯାଇଛି । ଏବେ ସିଆରପିଏଫରେ ଡିଜି ଟ୍ରେନିଂ ଭାବେ କାମ କରୁଥିବା ଶ୍ରୀବାସ୍ତବଙ୍କୁ ତୁରନ୍ତ ନୂଆ ଦାୟିତ୍ୱ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଆନେ୍ଦାଳନକାରୀମାନେ ମେଟ୍ରୋ ଷ୍ଟେସନରେ ପଶି ଭଙ୍ଗାରୁଜା କରିବାରୁ ଜାଫରାବାଦ, ମୌଜପୁର, ଗୋକୁଲପୁରୀ, ଜୌହରୀ ଏବଂ ଶିବ ବିହାର ମେଟ୍ରୋ ଷ୍ଟେସନକୁ ଲଗାତର ଦ୍ୱିତୀୟ ଦିନ ପାଇଁ ବନ୍ଦ କରି ଦିଆଯାଇଛି । କେତେକ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି । ହିଂସାର କାରଣ ସମ୍ପର୍କରେ ଉଲ୍ଲେଖ କରି ଦିଲ୍ଲୀ ପୁଲିସ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛି ।
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ୧୪ ଘଣ୍ଟା ମଧ୍ୟରେ ଏହାକୁ ନେଇ ଶାହ ୨-୨ଟି ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି । ଶାହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ବୈଠକ କରିଛନ୍ତି । କେଜରିୱାଲ ଏବଂ ଶାହଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ପୁଲିସ କମିଶନର ଅମୂଲ୍ୟ ପ;ନାୟକ, ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସୁବାଷ ଚୋପ୍ରା ଏବଂ ବିଜେପି ନେତା ମନୋଜ ତିୱାରୀ ପ୍ରମୁଖ ସାମିଲ ହୋଇଥିଲେ । ସ୍ଥାନୀୟ ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ କେଜରିୱାଲ ଶାହଙ୍କ ସହ ବୈଠକରେ ସାମିଲ ହୋଇଥିଲେ ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ ଶେଷ ହେବା ପରେ କେଜରିୱାଲ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ବୈଠକ ଖୁବ୍ ସକାରାତ୍ମକ ରହିଥିଲା । ପ୍ରମୁଖ ଆନେ୍ଦାଳନସ୍ଥଳୀଗୁଡିକରେ ପ୍ରାୟ ୧୦୦୦ ସଶସ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି ବୈଠକରେ ନଷ୍ପତ୍ତି ନିଆଯାଇଛି । ସୋସିଆଲ ମିଡିଆରେ ଗୁଜବ ପ୍ରଚାର ଏଭଳି ହିଂସାର ଅନ୍ୟତମ କାରଣ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରକାଶ କରିଛି ।
ଦିଲ୍ଲୀ ହିଂସା ମାମଲା ସୁପ୍ରିମକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି । ହିଂସାକାଣ୍ଡ ଭିଆଇଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ପୂର୍ବତନ ମୁଖ୍ୟ ସୂଚନା କମିଶନର ୱଜାହତ ହବିବୁଲ୍ଲା ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ଏହାର ତ+ାଳ ଶୁଣାଣି ପାଇଁ ଦାବି କରିଛନ୍ତି । ଜଷ୍ଟିସ ଏସ୍କେ କୌଲ ଏବଂ କେଏମ୍ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରିବେ । ଅନ୍ୟପକ୍ଷରେ ହିଂସାର ନ୍ୟାୟିକ ତଦନ୍ତ କରିବାକୁ ଏସ୍ଆଇଟି ଗଠନ କରିବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇଛି । ଦିଲ୍ଲୀ ହାଇକୋର୍ଟ ବୁଧବାର ଏହାର ଶୁଣାଣି କରିବେ । କିଛି ନେତାଙ୍କ ଉତ୍ତେଜନାସୃଷ୍ଟିକାରୀ ଭାଷଣ ଆନେ୍ଦାଳନର ମୁଖ୍ୟ କାରଣ ବୋଲି ଏହି ପିଟିସନରେ ଉଲ୍ଲେଖ କରାଯାଇଛି ।
Comments are closed, but trackbacks and pingbacks are open.