ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମିତ ସଂଖ୍ୟା ୩,୩୦୦ ପାର୍ କରିଛି । ସଦ୍ୟ ଘଟଣାକ୍ରମେ ଦିଲ୍ଲୀର ଆଜାଦପୁର ମଣ୍ଡିରେ କରୋନା ଭୂତାଣୁ ପହଞ୍ଚିଥିବା ଜଣାପଡ଼ିଛି । ମଣ୍ଡି ସହିତ ଜଡ଼ିତ ୧୧ ବେପାରୀ ସଂକ୍ରମିତ ହୋଇଛନ୍ତି । ଏମିତି କି ଆହୁରି ଅନେକ ଲୋକ ପଜିଟିଭ୍ ଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ଏମାନଙ୍କ ମଧ୍ୟରେ ଅନେକଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁ ନ ଥିବାରୁ ସମସ୍ତଙ୍କୁ ହସ୍ପିଟାଲ ପରିବର୍ତ୍ତେ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯିବ ।
ମଣ୍ଡିର ୧୧ ବେପାରୀଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏବେ ଏହି ୧୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜାଖୋଜି ଆରମ୍ଭ ହୋଇଯାଇଥିବା ଡିଏମ୍ (ଉତ୍ତର) ଦୀପକ ସିନେ୍ଦ କହିଛନ୍ତି । ତାଙ୍କ କହିବାନୁଯାୟୀ ଏହି ଲୋକମାନେ କେବଳ ମଣ୍ଡି ସହିତ ଜଡ଼ିତ ନ ଥାନ୍ତି । ଅନ୍ୟ ଅଞ୍ଚଳକୁ ମଧ୍ୟ ଯିବାଆସିବା କରିଥାନ୍ତି । ତେଣୁ ସଂକ୍ରମଣ ବ୍ୟାପିବାଟା ଥୟ ବୋଲି ଆଶଙ୍କା କରାଯାଉଛି ।
ଏସିଆର ସର୍ବବୃହତ ଫଳ ଓ ପନିପରିବା ମଣ୍ଡି କୁହାଯାଉଥିବା ଆଜାଦପୁରରେ କରୋନା ପହଞ୍ଚିବା ପରେ ବେପାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମଣ୍ଡିରେ ବୃହତ ସଂଖ୍ୟାର ବେପାରୀଙ୍କର କରୋନା ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ କିଛି ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜାଦପୁର ମଣ୍ଡି ଏପିଏମ୍ସି ସଦସ୍ୟ ଅନିଲ ମଲହୋତ୍ରାଙ୍କ କହିବାନୁଯାୟୀ ମଣ୍ଡିରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କଠାରେ ଭୂତାଣୁ ଠାବ କରାଯାଇଛି । କିନ୍ତୁ ସେମାନଙ୍କ ବାବଦ ରିପୋର୍ଟ ଅଧିକାରୀଙ୍କ ନିକଟରେ ନାହିଁ । ଏହି କାରଣରୁ ଏଠାରେ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ କେବଳ ୧୧ ଲୋକଙ୍କୁ କରୋନା ହୋଇଥିବା କୁହାଯାଉଛି । ଏହି ସଂଖ୍ୟା ଆହୁରି ଅଧିକ ହେବ । ମଣ୍ଡିକୁ ସ୍ୱାଭାବିକ ଭାବେ ପରିଚାଳନା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ନାହିଁ । ଏହାକୁ ନେଇ ବେପାରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେବା ସ୍ୱାଭାବିକ ବୋଲି ମଲହୋତ୍ରା ଦର୍ଶାଇଛନ୍ତି ।
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଥିଲେ, ଦିଲ୍ଲୀରେ ଦେଖିବାକୁ ମିଳୁଥିବା ଲକ୍ଷଣବିହୀନ କରୋନା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ ନାହିଁ । ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ କରାଯିବ । ୧୪ ଦିନ ରହିବା ପରେ ସ୍ଥିତି ଯାଞ୍ଚ କରାଯିବ । ଏବେ ସୁଦ୍ଧା ଦିଲ୍ଲୀରେ ୩,୩୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୫୪ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ୧,୦୭୮ ଜଣ ରୋଗୀ ଆରୋଗ୍ୟଲାଭ କରିସାରିଲେଣି । ରାଜଧାନୀରେ କରୋନାର ୧୦୦ ହଟ୍ସ୍ପଟ୍ ରହିଛି । ଅର୍ଥାତ୍ ଏହିସବୁ ଅଞ୍ଚଳରେ ଅଧିକ କରୋନା ମାମଲା ରହିଛି ।
Comments are closed, but trackbacks and pingbacks are open.