ନୂଆଦିଲ୍ଲୀ: ଦିଲ୍ଲୀର ପ୍ରତିଷ୍ଠିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯଦିଓ ଏଥିରେ କେହି ମୃତାହତ ହୋଇ ନାହାନ୍ତି ତଥାପି ବ୍ୟାପକ କ୍ଷୟକ୍ଷତି ଘଟିଛି । ୩୯ଟି ଦମକଳ ଗାଡ଼ି ପହଞ୍ôଚ ପ୍ରାୟ ଦେଢ଼ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି ।
ଅପରାହ୍ନ ୫ଟାରେ ଏମ୍ସର ପିସି ତଥା ଟିଚିଂ ବ୍ଲକର ଦ୍ୱିତୀୟ ମହଲାରେ ଥିବା ଲ୍ୟାବରେ ପ୍ରଥମେ ନିଆଁ ଲାଗିଥିଲା । ଚାହୁଁଚାହୁଁ ତାହା ପ୍ରଥମ ଓ ତୃତୀୟ ମହଲାକୁ ବ୍ୟାପିଯାଇଥିଲା । ପ୍ରଥମେ କଳା ଧୂଆଁ ବହୁ ଜୋର୍ରେ ବାହାରିଥିଲା । ପରେ ନିଆଁ ଜଳିବାକୁ ଲାଗିଲା । ଖବର ପାଇ ଅଗ୍ନିଶମ ବାହିନୀର ୨୨ ଗାଡ଼ି ଓ ୧୫୦ରୁ ଅଧିକ କର୍ମଚାରୀ ପହଞ୍ôଚ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ପରେ ଅଧିକ ସଂଖ୍ୟକ ଗାଡ଼ି ଓ କର୍ମଚାରୀ ପହଞ୍ôଚଥିଲେ । ସନ୍ଧ୍ୟା ୬ଟା ୨୫ରେ ନିଆଁକୁ ଆୟତ୍ତ କରାଯାଇଛି ଓ ବର୍ତ୍ତମାନ କୁଲିଂ ପ୍ରକ୍ରିୟା ଚାଲିଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି । ନିଆଁ ଲାଗିବା ପରେ ଲ୍ୟାବକୁ ବନ୍ଦ କରିଦିଆଯିବା ସହ ତା ନିକଟରେ ଥିବା ଆଶୁ ଚିକିତ୍ସା ବିଭାଗକୁ ବନ୍ଦ କରିଦିଆଯାଇଛି । ନିକଟସ୍ଥ ଏବି-୧ ଓ ଏବି-୭ ୱାର୍ଡରେ ଥିବା ରୋଗୀମାନଙ୍କୁ ରାଜେନ୍ଦ୍ର ପ୍ରସାଦ ସେଣ୍ଟର ଫର ଅପଥାଲମିକ ସାଇନ୍ସେସ ଓ ଅନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ରୋଗୀମାନେ ସୁରକ୍ଷିତ ଥିବା କୁହାଯାଇଛି ।
କୁହାଯାଉଛି କି ନିଆଁ ଲାଗିଥିବା ପିସି ବ୍ଲକ୍ରେ କୌଣସି ରୋଗୀ ନଥାନ୍ତି । ସେଠାରେ ରିସର୍ଚ୍ଚ ଲ୍ୟାବ ଓ ଡାକ୍ତର ରୁମ୍ ଆଦି ରହିଛି । କିନ୍ତୁ ତାହା ଆଶୁ ଚିକିତ୍ସା ୱାର୍ଡ ସହିତ ଲାଗିଛି । ସବୁଠାରୁ ବଡକଥା ହେଉଛି ଏମ୍ସରେ ବର୍ତ୍ତମାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ଚିକିତ୍ସାଧୀନ ଅଛନ୍ତି । ନିଆଁ ଲାଗିଥିବା ବ୍ଲକ୍ ଠାରୁ ୫୦୦ ମିଟର ଦୂର ଅନ୍ୟ ଏକ ବ୍ଲକ୍ର କାର୍ଡିଓ-ନ୍ୟୁରୋ ସେଣ୍ଟରର ଆଇସିୟୁରେ ସେ ଅଛନ୍ତି । ସେଠାକୁ ପ୍ରତିଦିନ ଭିଭିଆଇପିଙ୍କ ଯାତାୟାତ ଲାଗି ରହିଛି । ସେହିଭଳି ନିଆଁ ଲାଗିଥିବା ବ୍ଲକ୍ ନିକଟରେ ଥିବା ଅନ୍ୟ ବ୍ଲକ୍ରେ ମଧ୍ୟ ହଜାର ହଜାର ସଂଖ୍ୟକ ରୋଗୀ ଅଛନ୍ତି । ସେମାନେ ଦେଶର ବିଭିନ୍ନ ଭାଗରୁ ଆସି ଏଠାରେ ଚିକିତ୍ସିତ ହେଉଛନ୍ତି । ତେଣୁ ଏମ୍ସରେ ନିଆଁ ଲାଗିବା ଘଟଣା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହୋଇଛି । ଗତ ମାର୍ଚ୍ଚରେ ଏମ୍ସର ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା ।
Comments are closed, but trackbacks and pingbacks are open.