ଦିଲ୍ଲୀ ଦଙ୍ଗା ଅଣାୟତ୍ତ, ୨୭ ମୃତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀର କେତେକ ଅଞ୍ଚଳରେ ଦେଖାଦେଇଥିବା ଭୀଷଣ ଦଙ୍ଗାରେ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇ ୨୭ରେ ପହଞ୍ଚôଛି । ମୃତକଙ୍କ ମଧ୍ୟରେ ଜଣେ ହେଡ୍-କନଷ୍ଟେବଲ ଏବଂ ଜଣେ ଯୁବ ଆଇବି (ଇଣ୍ଟେଲିଜେନ୍ସ ବୁ୍ୟରୋ)ଅଧିକାରୀ ଅନ୍ତର୍ଭୁକ୍ତ । ହସ୍ପିଟାଲକୁ ଯେତେ ଜଣଙ୍କ ମୃତଦେହ ଅଣାଯାଇଛି, ସେମାନଙ୍କ ଭିତରୁ ୩୦%ଙ୍କ ଦେହରେ ଗୁଳି କ୍ଷତ ଚିହ୍ନ ରହିଛି । ଦଙ୍ଗାର ପ୍ରଥମ ଦିନରେ ଜଣେ ହେଡ୍-କନଷ୍ଟେବଲଙ୍କର ପଥର ମାଡ଼ ଯୋଗୁ ମୃତୁ୍ୟ ହୋଇଥିଲା । ପରେ ଚାନ୍ଦବାଗ ଅଞ୍ଚଳରୁ ଅଙ୍କିତ ଶର୍ମା ନାମକ ୨୬ ବର୍ଷୀୟ ଆଇବି ଅଧିକାରୀଙ୍କ ମୃତଦେହ ମିଳିଛି । ଦଙ୍ଗାକାରୀମାନେ ତାଙ୍କୁ ମାରି ଏକ ଡ୍ରେନ ଭିତରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ପଥର ମାଡ଼ ଯୋଗୁ ତାଙ୍କର ମୃତୁ୍ୟ ହୋଇଥିବାର କୁହାଯାଉଛି । ତେବେ ସେ ଏକ ସରକାରୀ ବିଭାଗରେ ଡ୍ରାଇଭର ଥାଇ ଗୁଇନ୍ଦାଗିରି କରୁଥିବା ବେଳେ ଦଙ୍ଗାକାରୀ ତାଙ୍କୁ କେମିତି ଚିହ୍ନିଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି । କେତେକ ମହଲରୁ ଦାବି କରାଯାଉଛି ଯେ ଦଙ୍ଗାକୁ ଉସୁକାଉଥିବା ଏକ ବିଦେଶୀ ଗୁଇନ୍ଦା ସଂସ୍ଥା ତାଙ୍କର ପରିଚୟ ସମ୍ପର୍କରେ ବିକ୍ଷୋଭକାରୀଙ୍କୁ ତଥ୍ୟ ପ୍ରଦାନ କରିଛି ।
ଦିଲ୍ଲୀ ଦଙ୍ଗା ମାମଲା ଆଜି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବି ଉଠିଛି । ସୁପ୍ରିମକୋର୍ଟ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ ନକରି ହାଇକୋର୍ଟ ଏହା ଉପରେ ଶୁଣାଣି କରିବେ ବୋଲି କହିଥିଲେ । ତେବେ ପୁଲିସକୁ ନିଜର କାର୍ଯ୍ୟ ସଂପାଦନ କରିବା ପାଇଁ ସ୍ୱାଧୀନତା ଦିଆଯାଇଥିଲେ ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀ ହାଇକୋର୍ଟ କିନ୍ତୁ ଏହି ମାମଲାର ଶୁଣାଣି କରି ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଥିବା ତିନି ଜଣ ବିଜେପି ନେତାଙ୍କ ବିରୋଧରେ ଏଫଆଇଆର ଦାୟର କରିବା ଉପରେ ବିଚାର କରିବାକୁ ପୁଲିସକୁ କହିଛନ୍ତି । ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୁଲିସ ଚାହିଁଲେ ଏଭଳି ବୟାନ ଦେଇଥିବା ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ବି ମାମଲା ଦାୟର କରିପାରିବ । ଦିଲ୍ଲୀରେ ୧୯୮୪ ମସିହା ଦଙ୍ଗା ଭଳି ସ୍ଥିତି ଉପୁଜିବାକୁ ଦିଆଯିବ ନାହିଁ । ହାଇକୋର୍ଟ ଗୁରୁବାର ପୁଣି ଏହି ମାମଲାରେ ଶୁଣାଣି କରିବାର ସମ୍ଭାବନା ରହିଛି ।
ଚାରିି ଦିନ ଧରି ଦିଲ୍ଲୀର କେତେକ ଭାଗରେ ଦଙ୍ଗା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । କେତେକ ଅଞ୍ଚଳରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ସେମାନଙ୍କ ଘର, ଦୋକାନ ଏବଂ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି । ହିଂସାକାଣ୍ଡ ଯୋଗୁ ୫୦ରୁ ଉଦ୍ଧ୍ୱର୍ ପୁଲିସଙ୍କ ସହ ୨୦୦ ଲୋକ ଆହତ ହୋଇଛନ୍ତି । ଦଙ୍ଗା ରୋକିବା ପାଇଁ ବିଭିନ୍ନ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଥିଲେ ମଧ୍ୟ ବୁଧବାର ବି କେତେକ ଭାଗରେ ଦଙ୍ଗାକାରୀ ହିଂସା ଭିଆଇଛନ୍ତି । ୟୁପିର ସୀମା ସଂଲଗ୍ନ ଏକ ଅଞ୍ଚଳରେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼ କରିଛନ୍ତି । ଦିଲ୍ଲୀର ସ୍ଥିତି ସମ୍ଭାଳିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଗୋଟିଏ ଦିନରେ ୪ ଥର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଗତକାଲି ସିଆରପିଏଫରେ କାମ କରୁଥିବା ଜଣେ ଆଇପିଏସ ଅଧିକାରୀଙ୍କୁ ଦିଲ୍ଲୀ ପୁଲିସରେ ସ୍ପେଶାଲ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲାବେଳେ ଆଜି ୫ ଜଣ ବରିÂ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ଦିଲ୍ଲୀ ପୁଲିସ ଦଙ୍ଗାକୁ ନେଇ ୧୮ଟି ମାମଲା ଦାୟର କରିଥିଲାବେଳେ ୧୦୬ ଜଣଙ୍କୁ ଗିରଫ କରିଛି । ସୋସିଆଲ ମିଡିଆରେ ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ବ୍ୟାପକ ସମାଲୋଚନା କରାଯାଉଛି । ତାଙ୍କର ଦୂରଦର୍ଶିତାର ଅଭାବ ଯୋଗୁ ଏପରି ଘଟିଲା ବୋଲି ଅନେକ ମତ ଦେଉଛନ୍ତି । ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦଙ୍ଗା ପ୍ରଭାବିତ ଅଞ୍ଚଳକୁ ଯାଇ ଉଚ୍ଚ ସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ । ବୁଧବାର ସେ ମୌଜପୁର ଏବଂ ଜାଫରାବାଦ ଆଦି ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିଛନ୍ତି ।
କଂଗ୍ରେସ, ବାମପନ୍ଥୀ, ଏନସିପି ପରି ଅନେକ ବିରୋଧୀ ଦଳ ଦିଲ୍ଲୀ ପରିସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଜି କହିଛନ୍ତି ଯେ କେତେକ ବିଜେପି ନେତାଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତେଜନା ସୃଷ୍ଟିକାରୀ ବୟାନ ଯୋଗୁ ଦଙ୍ଗା ହୋଇଛି । ସେ ଏଥିପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ସେ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି । କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅନୁରୂପ ବୟାନ ଦେଇଛନ୍ତି । କଂଗ୍ରେସ ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଶାନ୍ତି ମାର୍ଚ୍ଚ ବାହାର କରିବ ବୋଲି ଘୋଷଣା କରିଛି । ସିପିଏମ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ଦିଲ୍ଲୀରେ ଗୁଜରାଟ ଦଙ୍ଗାର ପୁନରାବୃତ୍ତି ହୋଇଛି । ତେବେ ବିଜେପି ଏହାର ଜବାବ ଦେଇ ଏଭଳି ବୟାନର ନିନ୍ଦା କରିଛି । ଦଳ କହିଛି ଯେ କଂଗ୍ରେସ ଏହି ପ୍ରସଙ୍ଗରେ ରାଜନୀତି କରୁଛି ।
ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ହେଡ୍ -କନଷ୍ଟେବଲ ରତନ ଲାଲଙ୍କ ପରିବାରକୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ସେ ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର ଦଙ୍ଗା ନିୟନ୍ତ୍ରଣ ପାଇଁ ସେନା ମୁତୟନ କରାଯିବା ସପକ୍ଷରେ ଅଛି । ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଗୁରୁବାର ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ସିବିଏସଇ କର୍ତ୍ତୃପକ୍ଷ ସ୍ଥଗିତ କରି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons