ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିକାଶ ହେଲେ ଲାଲ କରିଡରରୁ ମାଓବାଦୀ ହଟିବେ । ଉନ୍ନୟମୂଳକ କାମ ହେଲେ ସରକାରଙ୍କ ପ୍ରତି ମାଓ ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ଆସ୍ଥା ଓ ଭରସା ବଢ଼ିବ । ଲୋକଙ୍କ ସହଯୋଗ ମିଳିବ । ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ଦମନ କରିହେବ । ମାଓ ହିଂସା ମୂଳପୋଛ କରିବାକୁ ହେଲେ କେନ୍ଦ୍ର ସରକାର ରେଳ, ବ୍ୟାଙ୍କ ସହ ଟେଲିସେବାକୁ ଅଗ୍ରାଧିକାର ଦେଇ ରାଜ୍ୟକୁ ସହଯୋଗ କରନ୍ତୁ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମାଓ ମୁକାବିଲା ପାଇଁ ଅନୁଷ୍ଠିତ ବୈଠକରେ ଏ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ମାଓ ଦମନରେ ମିଳିଥିବା ସଫଳତାର ଚିତ୍ର ରଖିବା ସହ ମୁଖ୍ୟମନ୍ତ୍ରୀ ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଅଧିକ ବିକାଶମୂଳକ କାମ ଉପରେ ଜୋର ଦେଇଛନ୍ତି । କେନ୍ଦ୍ର ରାଜ୍ୟକୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗାଇବା ସହ କେନ୍ଦ୍ରୀୟ ବଳ ମୁତୟନ ବାବଦ ଅର୍ଥ ଛାଡ଼ କରିବାକୁ ମଧ୍ୟ ଦାବି କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ସ୍ୱତନ୍ତ୍ର ବୈଠକ ସୋମବାର ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, ମାଲକାନଗିରି-ନବରଙ୍ଗପୁର ରେଳ ଲାଇନ କାମ ୩୬ ମାସ ମଧ୍ୟରେ ଶେଷ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ । ଏ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଇଦେବାକୁ ପ୍ରସ୍ତାବ ଦେଇ ସାରିଛନ୍ତି । ଏ ପ୍ରକଳ୍ପ ମୂଲ୍ୟର କିଛି ପାଣ୍ଠି ମଧ୍ୟ ରାଜ୍ୟ ସରକାର ବହନ କରିବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ଏ ପ୍ରକଳ୍ପକୁ କେନ୍ଦ୍ର ରେଳ ମନ୍ତ୍ରାଳୟ ଅଗ୍ରାଧିକାର ଦେଉ । ନବୀନ ଦାବି ରଖିଲେ, ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବହୁ ଅଞ୍ଚଳରେ ବ୍ୟାଙ୍କ ସେବା ନାହିଁ । ତେଣୁ ବ୍ୟାଙ୍କି ସୁବିଧା ନଥିବା ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇବାକୁ କେନ୍ଦ୍ର ପଦକ୍ଷେପ ନେଉ । ସୁରକ୍ଷା ବ୍ୟୟ ଯୋଜନା (ଏସ୍ଆରଇ ସ୍କିମ)ରେ କେନ୍ଦ୍ର ଉପରେ ଗଡୁଥିବା ୨୨୭ କୋଟି ଟଙ୍କା ତୁରନ୍ତ ରାଜ୍ୟକୁ ପ୍ରଦାନ କରାଯାଉ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ କେନ୍ଦ୍ର ଉପରେ ନ୍ୟସ୍ତ ଥିବାରୁ ରାଜ୍ୟରେ ମାଓ ମୁକାବିଲା ପାଇଁ କେନ୍ଦ୍ରୀୟ ବଳ ମୁତୟନ ବାବଦ ପାଣ୍ଠି ରାଜ୍ୟକୁ ଛାଡ଼ କରାଯାଉ । ସେହିଭଳି ଯୋଗାଯୋଗ ସେବାକୁ ପ୍ରାଥମିକତା ଦେଇ ମୋବାଇଲ ସେବା ପହଞ୍ଚାଇବାକୁ କେନ୍ଦ୍ର ଅଧିକ ଆନ୍ତରିକତା ପ୍ରକାଶ କରୁ । ଚିହ୍ନଟ ହୋଇଥିବା ୮୬୬ ସ୍ଥାନରେ ତୁରନ୍ତ ମୋବାଇଲ ଟାୱାର ବସାଇବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ବୈଠକରେ ନବୀନ ଓଡ଼ିଶାକୁ ମାଓ ଦମନରେ ମିଳିଥିବା ସଫଳତାର ଚିତ୍ର ରଖି କହିଲେ, ଦୀର୍ଘ ୩ ଦଶନ୍ଧି ହେବ ମାଓ ଉପଦ୍ରବ ରାଜ୍ୟ ପାଇଁ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି । ମାତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଉନ୍ନୟନମୂଳକ କାମ ଜରିଆରେ ଲୋକଙ୍କ ଭରସା ଜିତିବାରେ ସରକାର ସକ୍ଷମ ହେଲେ । କ୍ରମାଗତ ଏହି ଢ଼ାଞ୍ଚାକୁ ଆପଣାଇ ମାଓ ମୁକାବିଲାରେ ରାଜ୍ୟକୁ ଢ଼େର ସଫଳତା ମିଳିଛି । ୨୦୧୮ ଓ ୨୦୧୯ ଅଗଷ୍ଟ ୧୫ ମଧ୍ୟରେ ପୁଲିସଦ୍ୱାରା ୨୬ ମାଓବାଦୀ ନିହତ ହୋଇଛନ୍ତି । ୮୫ ଜଣ ଗିରଫ ହୋଇଥିଲା ବେଳେ ୩୫ ଜଣ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶାରେ ମାଓବାଦୀଙ୍କ ପ୍ରତି ଲୋକଙ୍କ ସମର୍ଥନ ଆଉ ମିଳୁନଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ନୂଆ କ୍ୟାଡର ମାଓବାଦୀ ମଧ୍ୟ ବାହାରୁ ନାହାନ୍ତି । ଏହାଦ୍ୱାରା ରାଜ୍ୟରେ ମାଓବାଦୀଙ୍କ ବଳ ବହୁତ ହ୍ରାସ ପାଇଛି । ଦୁଇଟି ଅତିରିକ୍ତ ଦୁଇ ବାଟାଲିୟନ କେନ୍ଦ୍ରୀୟ ଫୋର୍ସଙ୍କ ଉପସ୍ଥିତି ମଧ୍ୟ ମାଓ ହିଂସା ହ୍ରାସରେ ସହାୟକ ହୋଇଛି । ମାଓ ଅଞ୍ଚଳରେ ବିକାଶର ମଡେଲ ରଖି ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାର ଲୋକ ଅନୁକୂଳ, ଆଦିବାସୀ ଓ ଗରିବଙ୍କୁ ସୁହାଇଲା ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଶତ ପ୍ରତିଶତ ବିଜୁଳି ଯୋଗାଣ ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସେବା ଯୋଗାଇ ଦିଆଯାଇଛି । ଯାହାକି ମାଓ ଦମନରେ ପ୍ରମୁଖ ଭୂମିକା ତୁଲାଇଛି । ସେହିଭଳି ଆଦିବାସୀଙ୍କ ଧାର୍ମିକ ପୀଠସ୍ଥଳୀର ବିକାଶ ସହ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାମକୁ ନିୟମିତ ଭାବେ ଅନୁଧ୍ୟାନ କରାଯାଉଛି । ରାଜ୍ୟର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ମାଓ ଉପସ୍ଥିତି ସତ୍ତେ୍ୱ ସରକାର ରାସ୍ତାଘାଟ ଓ ସେତୁ ନିର୍ମାଣ ସହ ଲୋକଙ୍କ ହାତକୁ କାମଧନ୍ଦା ଯୋଗାଉଛନ୍ତି । କେନ୍ଦ୍ର ଓ ପଡ଼ୋଶୀ ମାଓ ପ୍ରଭାବିତ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ଓଡ଼ିଶା ସରକାର ମାଓ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ସହ କେନ୍ଦ୍ରୀୟ ସୁରକ୍ଷା ବଳ ସହଯୋଗରେ ଜଏଣ୍ଟ ଅପରେସନରେ ମଧ୍ୟ ବେଶ ସଫଳତା ମିଳୁଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ସରକାର ନିଷ୍ଠା ବଳରେ ଗୁରୁପ୍ରିୟା ସେତୁ ନିର୍ମାଣରେ ସଫଳ ହେଲେ । ଏ ବିଚ୍ଛିନ୍ନାଞ୍ଚଳ ଏବେ ‘ସ୍ୱାଭିମାନ ଅଞ୍ଚଳ’ ଭାବେ ପରିଚିତ ହୋଇଛି । ଏ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି । ବୈଠକରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ଡିଜି ବିଜୟ କୁମାର ଶର୍ମା ଉପସ୍ଥିତ ଥିଲେ । ପୁଲିସ ଡିଜି ଶ୍ରୀ ଶର୍ମା ସୁରକ୍ଷା ପାଇଁ ପ୍ରସ୍ତାବ ରଖି କହିଲେ, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଯେଉଁଭଳି ସ୍ୱତନ୍ତ୍ର ହେଲିକପ୍ଟର କେନ୍ଦ୍ର ଦେଇଛି ସେହିଭଳି ଓଡ଼ିଶାକୁ ମଧ୍ୟ ଯୋଗାଇ ଦେଉ । ଏହାଦ୍ୱାରା ମାଓ ଅପରେସନକୁ ଜୋରଦାର କରିହେବ । ଏଥିପାଇଁ କୋରାପୁଟରେ ରାଜ୍ୟ ସରକାର ହାଙ୍ଗର ନିର୍ମାଣ କରିବା ସହ କ୍ୱାର୍ଟର୍ସ ମଧ୍ୟ ନିର୍ମାଣ କରିଛନ୍ତି । ଏଥିପାଇଁ ଭିତ୍ତିଭୂମିର କୌଣସି ଅଭାବ ନାହିଁ । ତେବେ ଅଧିକ କେନ୍ଦ୍ରୀୟ ଫୋର୍ସ ଦେବାକୁ ରାଜ୍ୟର ଦାବିକୁ କେନ୍ଦ୍ର ଅଗ୍ରାହ୍ୟ କରି କହିଛି, ଅଧିକ ଫୋର୍ସ ମହଜୁଦ ନାହାନ୍ତି । ଏଣିକି ରାଜ୍ୟଗୁଡ଼ିକ ନିଜସ୍ୱ ସୁରକ୍ଷା କର୍ମଚାରୀ ବଳକୁ ବଢ଼ାନ୍ତୁ । ପଡ଼ୋଶୀ ରାଜ୍ୟ ସହ ଗୁଇନ୍ଦା ସୂଚନା ଆଦାନପ୍ରଦାନ କରି ଯୁଗ୍ମ ସମନ୍ୱୟ ବୈଠକ ବାରମ୍ବାର ଡାକିବା ଉପରେ କେନ୍ଦ୍ର ଜୋର ଦେଇଛି ।
Comments are closed, but trackbacks and pingbacks are open.