ଭଞ୍ଜନଗର(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମାନବିକତାର ପରିଚୟ ଦେଖାଇଛନ୍ତି । ଆଜି ତାଙ୍କର ଏହି ମାନବିକତାକୁ ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଶେରଗଡ଼ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ରହିଥିଲା । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାପାଳ ଯୋଗଦେଇ ଉଦ୍ଘାଟନ କରିବା ପରେ ସେଠାରୁ ଶେରଗଡ଼-ହିଞ୍ଜିଳି ରାସ୍ତାଦେଇ ଫେରୁଥିଲେ । ମାରୁଡି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍ ଚାଳକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖି ଜିଲ୍ଲାପାଳ ଅଟକି ଯାଇଥିଲେ । କାର ଡ୍ରାଇଭର ଓ ପିଏସଓଙ୍କ ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଜିଲ୍ଲାପାଳ ଉଦ୍ଧାର କରି ହିଞ୍ଜିଳିକାଟୁ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେଠାରେ ପ୍ରାୟ ଘଣ୍ଟାଏ କାଳ ରହି ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଜିଲ୍ଲାପାଳ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଆହତଙ୍କ ସମସ୍ତ ଖର୍ଚ୍ଚ ରୋଗୀ କଲ୍ୟାଣ ସମିତି ଓ ରେଡ୍କ୍ରସରୁ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଚିକିତ୍ସା ବ୍ୟବସ୍ଥା ତଦାରଖ ପାଇଁ ହିଂଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର ଓ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଜିଲ୍ଲାପାଳ କହିଥିଲେ । ଅଧିକ ଚିକିତ୍ସା ପାଇଁ ଶିବରାମଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳଙ୍କ ଏଭଳି ମହତ କାର୍ଯ୍ୟ ଓ ମାନବିକତାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।
ଶେରଗଡ଼-ହିଞ୍ଜିଳି ରାସ୍ତାର ମାରୁଡ଼ି ଠାରେ ଉକ୍ତ ବାଇକ୍ ଚାଳକ ଶିବରାମ ପ୍ରଧାନଙ୍କୁ ଏକ ଅଟୋ ଧକ୍କା ଦେଇଥିଲା । ଶିବରାମଙ୍କ ରାସ୍ତାରେ ପଡ଼ି ଛଟପଟ ହେଉଥିବାବେଳେ ତାଙ୍କୁ ଉଠାଇ ମେଡିକାଲ ନେବାକୁ କେହି ନଥିଲେ । ହଠାତ୍ ଜିଲ୍ଲାପାଳ ଦେବଦୂତ ସାଜି ସେଠାରେ ପହଞ୍ଚିଥିଲେ । ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଅଟକି ଶିବରାମଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ଆଜି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।


Comments are closed, but trackbacks and pingbacks are open.