ନନ୍ଦପୁର,(ବି.ବି.ନୁ୍ୟଜ୍): ବାଇକ୍ ଦୁର୍ଘଟଣାରେ ଚାଲିଗଲା ୪ ନାବାଳକଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପାଡୁଆ ଅଞ୍ଚଳରେ । ମୃତକମାନଙ୍କ ଘର ପାଡୁଆ ଉପର ଓ ତଳ ସାହିରେ । ସମସ୍ତଙ୍କ ବୟସ ୧୨ ରୁ ୧୬ ମଧ୍ୟରେ । ସେମାନେ ହେଲେ ତଳସାହିର ମହେଶ୍ୱର ଖିଲଙ୍କ ପୁଅ ଶଶି, ଉପର ସାହିର ଗୋକୁଳ ମହାନ୍ତିଙ୍କ ପୁଅ ପଙ୍କଜ, ନରସିଂହ ଖରାଙ୍କ ପୁଅ ସୁଧାଂଶୁ ଓ ସନୁ ହନ୍ତାଳଙ୍କ ପୁଅ କୃଷ୍ଣ । ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଶୁକ୍ରବାର ଗାଁ ମଶାଣିରେ ଶୋକାକୁଳ ପରିବେଶରେ ଜଳିଛି ୪ ଜଣଙ୍କର ଜୁଇ ।
ପାଡ଼ୁଆ ଥାନା ଆଇଆଇସି ସୁମିତ୍ରା ଜେନା କହିଛନ୍ତି, ଗୁରୁବାର ରାତିରେ ଏହି ପିଲାମାନେ ଘରୁ ବାହାରିଥିଲେ । ତଳସାହିର ଶଶି ଏକ ଗ୍ୟାରେଜରେ କାମ କରୁଥିଲା । ମରାମତି କରିବାକୁ ଜଣେ ବ୍ୟକ୍ତି ଏହି ଗ୍ୟାରେଜରେ ଗୋଟିଏ ବାଇକ୍ (ଏପି-୩୧ଟିଡବ୍ଲୁ-୯୨୭୨) ଦେଇଥିଲେ । ମରାମତି ପରେ ଏହି ବାଇକ୍ ଧରି ଶଶି ଗାଁକୁ ଯାଇଥିଲେ । ଅନ୍ୟ ୩ ଜଣ ପିଲାଙ୍କୁ ସାଥୀରେ ଧରି କେଉଁଆଡେ ଯାଇଥିଲେ । ଏ ସମ୍ପର୍କରେ ସେମାନଙ୍କ ପରିବାର ଲୋକେ କିଛି ଜାଣିନଥିଲେ । ସେମାନଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁକ୍ରବାର ଭୋର୍ ସମୟରେ ଜଣାପଡିଥିଲା । ପାଡ଼ୁଆ ଡାକବଙ୍ଗଳାଠାରୁ ମାତ୍ର ଶହେ ମିଟର ଦୂର ୟୁ-ଟର୍ଣ୍ଣ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଏଣେତେଣେ ବିଛାଡି ହୋଇ ପଡ଼ିଥିଲେ ସମସ୍ତେ । ଘଟଣାସ୍ଥଳରେ ହିଁ ସମସ୍ତ ୪ ଜଣଙ୍କ ପ୍ରାଣ ଚାଲିଯାଇଥିଲା । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ପାରିପାର୍ଶିକ ଅବସ୍ଥାରୁ ଜଣାପଡ଼ିଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ପରେ ଶବଗୁଡିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଶୁକ୍ରବାର ଗାଁ ମଶାଣିରେ ପ୍ରସ୍ତୁତ ହୋଇଥିଲା ୪ଟି ଜୁଇ । ଶୋକରେ ବୁଡ଼ି ଯାଇଥିଲା ଉଭୟ ସାହି । କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ । ଲୁହଭରା ପଟୁଆରରେ ଶବଗୁଡ଼ିକୁ ମଶାଣିକୁ ନିଆଯାଇଥିଲା । ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ପଟ୍ଟନାୟକ କହିଛନ୍ତି, ଶୋକସନ୍ତପ୍ତ ପରିବାରଙ୍କୁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିଶ କରାଯାଇଛି ।
Comments are closed, but trackbacks and pingbacks are open.