ଭୁବନେଶ୍ୱର,(ବି.ବି.ବ୍ୟୁରୋ): କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ସବୁବେଳେ ଦୁର୍ନୀତି ନେଇ ଜିରୋ ଟଲରାନ୍ସ ନୀତିକୁ ଆପଣାଇ ଏମିତି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ଦୁର୍ନୀତିଗ୍ରସ୍ତ ୧୫ ଜଣ ସରକାରୀ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ସେହିଭଳି ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍ସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ଅଧିକାରୀମାନେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଗକୁ ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା କିଛି ଅଫିସର ବହିଷ୍କୃତ ହେବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଅନ୍ୟ ସରକାରୀ ଅଫିସରଙ୍କ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରଖାସ୍ତ ଅଧିକାରୀମାନେ ହେଉଛନ୍ତି, ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଆଇଏମଭି ଦେବୀପ୍ରସାଦ ପାଢ଼ୀ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସଂପାଦକ ଦେବଦତ୍ତ ଦାଶ, ଉମରକୋଟ ମ୍ୟୁନିସପାଲଟି ଅକ୍ଟ୍ରାଇ ଟାକ୍ସ ସରକାର କାଳିପ୍ରସାଦ ସିଂ, ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣି ବଟକୃଷ୍ଣ ବାରିକ ଓ କଳାହାଣ୍ଡି ଏମ.ରାମପୁର ବ୍ଲକର ପୂର୍ବତନ ଭିଏଲଡବ୍ଲ୍ୟୁ କୃଷ୍ଣମୋହନ ଦାସ । କଳାହାଣ୍ଡି କେସିଙ୍ଗା ବ୍ଲକର ପୂର୍ବତନ ପିଇଓ ଅଶୋକ କୁମାର ସାହା, ଜୁନାଗଡ଼ ବ୍ଳକର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ୍ମମୁଖ ଶବର, ବୌଦ୍ଧ ମୁର୍ଷୁଣ୍ଢି ପଞ୍ଚାୟତର ପୂର୍ବତନ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, କୁଳିଅଣା ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦ୍ୟନାଥ ମାଝୀ, ସାରସକଣା ବ୍ଲକ ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ, ଥୁଆମୂଳ-ରାମପୁର ଆଇଟିିଡିଏ ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମ୍ସି ହେଲଥ୍ ଅଫିସରଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚିତ୍ତରଞ୍ଜନ ଲାଲ ।
ସେହିପରି ପେନ୍ସନ୍ ସୁବିଧା ବନ୍ଦ ହୋଇଥିବା ଦୁଇ ଅଧିକାରୀ ହେଲେ କଳାହାଣ୍ଡି ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ (ଅବସରପ୍ରାପ୍ତ) ଅଶ୍ୱିନୀ କୁମାର ଶର୍ମା ଓ କଳାହାଣ୍ଡି ଡିଆର୍ଡିଏର ଅବସରପ୍ରାପ୍ତ ପୂର୍ବତନ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ ।
Comments are closed, but trackbacks and pingbacks are open.