କଟକ: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। କଟକ ମର୍କତ ନଗର ଥାନା ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। କଟକ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୧୫ ମସିହା ମାର୍ଚ୍ଚ ୧୯ ତାରିଖରେ କଟକ ମର୍କତ ନଗର ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ସେହି ଥାନା ଅଞ୍ଚଳର ରାମ ମୁଣ୍ଡା ଓରଫ୍ ରାମ ଲାଗୁରୀ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଦିନ ମଜୁରିଆ ଭାବେ କାମ କରୁଥିବା ପୀଡ଼ିତାଙ୍କ ବାପା-ମା ଘରେ ନଥିବା ବେଳେ ରାମ ନାବାଳିକାକୁ ପ୍ରଲୋଭନ ଦେଖାଇ ଏକ ନିଛାଟିଟିଆ ଅଞ୍ଚଳକୁ ନେଇ ଥିଲା । ଏକ ବୁଦାମୂଳରେ ଦୁଷ୍କର୍ମ କରିବା ସହ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇଥିଲା । ତେବେ ନାବାଳିକା ଶରୀରରେ ଆଘାତ ଦେଖି ପୀଡ଼ିତାଙ୍କ ମା ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।
ପରବର୍ତ୍ତୀ ସମୟରେ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରି ଅଭିଯୁକ୍ତ ରାମ ମୁଣ୍ଡା କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୦ ଜଣଙ୍କ ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ଦଲିଲ୍ ଦସ୍ତାବିଜ୍ ଆଧାରରେ ଅଭିଯୁକ୍ତକୁ କୋର୍ଟ ଆଇ ପିସିର ଧାରା ୩୭୬ -(୨) (ଆଇ) , ପୋକ୍ସୋ ଆଇନର ଧାରା ୬ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟମୁତାବକ ଦୋଷୀଙ୍କୁ ୨୦ ବର୍ଷ ଦଣ୍ଡା ଦେଶ ସହିତ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୋରିମାନା ଅର୍ଥ ଅନାଦେୟ ଏକ ବର୍ଷ ଜେଲ ଦଣ୍ଡାଦେଶ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ ।


Comments are closed, but trackbacks and pingbacks are open.