ଗୁଣପୁର,(ବି.ବି.ନୁ୍ୟଜ୍): ଦିନ ଦିନ ଧରି ଆସୁନାହାନ୍ତି ଡାକ୍ତର । ଦରକାର ସମୟରେ ମିଳୁନି ଅକ୍ସିଜେନ୍ କିମ୍ବା ଔଷଧ ଟିକିଏ । ବଗଡ଼ା ଚାଉଳର ଥଣ୍ଡା ପୋଚକା ଭାତକୁ ପଲିଥିନ୍ରେ ଦିଆଯାଉଛି ନିମ୍ନମାନର ଡାଲି ଓ ତରକାରୀ । ଏହାକୁ କିଏ ଖାଇବ । ଭଲ ପାଣିମୁନେ୍ଦ ବି ପିଇବାକୁ ମିଳୁନି । ଆମ୍ଭମାନଙ୍କୁ ଘରୁ କାହିଁକି ଆଣୁଥିଲ । ଏମିତିରେ ରୋଗ ଆହୁରି ବଢିଯିବ । ଅକାଳରେ ଜୀବନ ଚାଲିଯିବ । ରାୟଗଡ଼ା ଜିଲ୍ଲାର ଜେକେପୁର କୋଭିଡ୍ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ବିରୋଧରେ ପ୍ରଥମ କରି ସ୍ୱର ଉଠାଇଛନ୍ତି ମହିଳା ରୋଗୀମାନେ । ଏହାର ଭିଡିଓ ଭାଇରାଲ୍ ହେବା ପରେ ଆଜି ଜିଲ୍ଲାରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ । ପ୍ରଶାସନ ଏଭଳି ଅଭିଯୋଗକୁ ଗମ୍ଭୀରତାର ସହ ବିଚାରକୁ ନେଇଥିବା ଖୋଦ୍ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି ।
ସ୍ଥାନୀୟ ଗୁଣପୁର ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହେବାପରେ ସେଠାରେ ଚିକିତ୍ସିତ ହେଉଛନ୍ତି କେତେକ ମହିଳା । ବିଭିନ୍ନ କ୍ଷେତ୍ରରେ ସେମାନେ ଅବହେଳାର ଶିକାର ହୋଇଛନ୍ତି । ସେବା ଏବଂ ସ୍ୱଚ୍ଛତା ଉପରେ ଉଠାଇଛନ୍ତି ଅନେକ ପ୍ରଶ୍ନ । ବିଭିନ୍ନ ଅଭିଯୋଗ ସହ କୋଭିଡ୍ ହସପିଟାଲରେ ଯନ୍ତ୍ରଣାଦାୟକ ଜୀବନ ଉପରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ଭିଡିଓ ଆଜି ଜିଲ୍ଲାରେ ଭାଇରାଲ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ଆକ୍ରାନ୍ତ ମହିଳାମାନଙ୍କ ଅଭିଯୋଗ ହେଉଛି ଯେ, ସେମାନଙ୍କୁ ସେଠାରେ ଖାଇବା ଲାଗି ସାମାନ୍ୟ ପ୍ଲେଟ୍ ଖଣ୍ଡେ ଯୋଗାଇ ଦିଆଯାଇନି । ବିଳମ୍ବରେ ଥଣ୍ଡା ଭାତ ସାଙ୍ଗକୁ ପାଣିଆ ଡାଲି ଓ ତରକାରୀ ଟିକେ ପଲିଥିନ୍ରେ ଦିଆଯାଉଛି । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବଢିବ କେମିତି । ଦୁଇ ତିନି ଦିନ ଯାଏଁ ଡାକ୍ତରମାନେ ରାଉଣ୍ଡରେ ଆସୁ ନାହାନ୍ତି । ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲେ ବି ଅrିଜେନ ଟିକେ ମିଳୁନି । କରୋନାରେ ସେମାନେ ଘରେ ମରି ଯାଇଥାନ୍ତେ ପଛେ, ଏଠାକୁ ଆସି ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ଅଭିଯୋଗ କଲେ ବାହାର ଜିଲ୍ଲାକୁ ପଠାଇ ଦେବାକୁ ଦିଆଯାଉଛି ଧମକ ।
ଏହି ମହିଳାମାନଙ୍କ ମଧ୍ୟରେ ରହିଛନ୍ତି କେତେକ ଗର୍ଭବତୀ । ସେମାନେ ଗତ ତିନିଦିନ ହେଲା ନିମ୍ନମାନର ଖାଦ୍ୟ ଏବଂ ଚିକିତ୍ସାରେ ଅବହେଳା କରାଯାଉଥିବା ସଂପର୍କରେ ଅଭିଯୋଗ ଆଣିଛନ୍ତି । କୋଭିଡ୍ ହସ୍ପିଟାଲ ପରିଚାଳନା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଭିତରର ଅସଲ ଚିତ୍ର ପଦାକୁ ଆସିବା ପରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଅନେକ ଏହାକୁ ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଆଉ କେତେକ କହିଛନ୍ତି, ଆମ ସରକାରଙ୍କ ଏଭଳି ଅବ୍ୟବସ୍ଥା ଲାଗି ଅନେକ ଲୋକ ରୋଗ ଲୁଚାଇବାକୁ ବାଧ୍ୟ ହେଉଛନ୍ତି ।
ଗୁଣପୁର ଅଞ୍ଚଳର ଆକ୍ରାନ୍ତ ମହିଳାମାନଙ୍କ ଏଭଳି ସମସ୍ୟା ସମ୍ପର୍କରେ ସାଂସଦ ସପ୍ତଗିରୀ ଉଲ୍ଲାକା ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି, ଏଭଳି ଅଭିଯୋଗ ଆଜି ତାଙ୍କ ନଜରକୁ ଆସିଛି । ଏହାକୁ ସେ ଗୁରୁତର ସହ ଗ୍ରହଣ କରିଛନ୍ତି । ଗର୍ଭବତୀମାନଙ୍କୁ ଅଧିକ ଖାଦ୍ୟ ଦିଆଯିବା ସହ ଛୋଟ ପିଲାଙ୍କ କ୍ଷେତ୍ରରେ ଯେମିତି କୌଣସି ଅସୁବିଧା ନହେବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ସୂଚନାଥାଉକି, ପୂର୍ବରୁ ମଧ୍ୟ ସ୍ଥାନୀୟ ସିରିଝୋଲି ପଞ୍ଚାୟତ ବିଜୟପୁର ଅଞ୍ଚଳର ଆକ୍ରାନ୍ତମାନେ ଏହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅବ୍ୟବସ୍ଥା ସମ୍ପର୍କରେ ଏକ ଚିଠି ଭାଇରାଲ୍ ହୋଇଥିଲା । ଏହାସତ୍ତେ୍ୱ ପରିସ୍ଥିତିରେ ସୁଧାର ନଆସିବା ବିଡମ୍ବନାର ବିଷୟ ।
Comments are closed, but trackbacks and pingbacks are open.