କୋରାପୁଟ,(ବି.ବି.ନୁ୍ୟଜ୍): ଛତିଶଗଡ଼ ଚାଲଣ ହେଉଥିବା ପ୍ରାୟ ଦେଢ ÿକୋଟି ଟଙ୍କାର ଗଞ୍ଜେଇକୁ ସେମିଳିଗୁଡା ପୁଲିସ ଜବତ କରିଛି । ଏକ ୧୨ ଚକିଆ କଣ୍ଟେନରର ସ୍ୱତନ୍ତ୍ର ଚାମ୍ବରରେ ଏହା ଯାଉଥିବାବେଳେ ଶୁକ୍ରବାର ଭୋରରୁ ଏହା ଧରାପଡିଛି । ଡ୍ରାଇଭର ସହ ଅନ୍ୟଜଣେ ଗାଡି ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।
ସେମିଳିଗୁଡ଼ା ଆଇଆଇସି ଡ଼ି.କେ. ବେହେରା କହିଛନ୍ତି, ଭୋରରୁ ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କୁନ୍ଦୁଲି ହାଟପଦା ପଟରୁ କଣ୍ଟେନରଟି ଦ୍ରୁତ ଗତିରେ ସେମିଳିଗୁଡା ଅଭିମୁଖେ ଆସୁଥିଲା । କଣ୍ଟେନର ଉପରେ ସନେ୍ଦହ ହେବାରୁ ପୁଲିସ ଏହାର ପିଛା କରିଥିଲା । ପୁଲିସ ଭ୍ୟାନ ପିଛା କରୁଥିବା ଦେଖି ଚାଳକ ମାଳିଡେ଼ାଳିଆମ୍ବ ନିକଟରେ ଗାଡିକୁ ନୁ୍ୟଟ୍ରାଲ କରି ଦେଇଥିଲେ । ତୁରନ୍ତ ଚାଳକ ଓ ଅନ୍ୟଜଣେ ଗାଡିରୁ ଡେଇଁ ପଳାଇ ଥିଲେ । ରାସ୍ତା ଗଡାଣି ଥିବାରୁ କଣ୍ଟେନରଟି ପଛକୁ ଗଡି ଆସିଥିଲା । ପଛରେ ଥିବା ପୁଲିସ ଭ୍ୟାନ ସହ ଧକ୍କା ଖାଇ କଣ୍ଟେନରଟି ଅଟକି ଯାଇଥିଲା । ଭ୍ୟାନରେ ମୋ ସହିତ ସବଇନ୍ସପେକ୍ଟର ରବୀନ୍ଦ୍ର କୁମାର ରଥ, ଭଗବାନ ମିଶ୍ର, ଶରତ ଚନ୍ଦ୍ର ବିଶୋୟୀ, ମନ୍ଥନ କୁମାର ବାଘ ପ୍ରମୁଖ ଥିଲେ । ପରେ ପୁଲିସ ଗାଡିକୁ ଜବତ କରିଥିଲା । ଯାଞ୍ଚ ବେଳେ ଏଥିରେ ଗଞ୍ଜେଇ ଥିବା ଜଣାପଡିଥିଲା । କଣ୍ଟେନରର ଚାଳକ ବସୁଥିବା ପଛପଟରେ ଏକ ସ୍ୱତନ୍ତ୍ର ଚାମ୍ବର କରାଯାଇ ଗଞ୍ଜେଇ ରଖାଯାଇଥିଲା । ଯାଞ୍ଚ ବେଳେ ୧୬୨ ଟି ପ୍ୟାକେଟ ମିଳିଥିଲା । ଯାହାର ଓଜନ ୧୬ କୁଇଣ୍ଟାଲରୁ ଅଧିକ ହେବ । ଜବତ ଗଞ୍ଜେଇର ବଜାର ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ । ଗାଡିର ନମ୍ବର ଛତିଶଗଡର ହୋଇଥିବାରୁ ସେଠାକୁ ଏହା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ସନେ୍ଦହ କରାଯାଉଛି ।
ଅନ୍ୟପକ୍ଷରେ, ସେମିଳିଗୁଡ଼ା ତହସିଲଦାର ଶରତ ମାଝିଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଛି । ଏ ନେଇ ସେମିଳିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଗାଡ଼ି ମାଲିକ, ଚମ୍ପଟ ମାରିଥିବା ଚାଳକ ଓ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି । ସୂଚନାଯୋଗ୍ୟ, ନିକଟରେ ଏକ ୧୪ ଚକିଆ ଟ୍ରକରୁ ସେମିଳିଗୁଡା ପୁଲିସ ୩ କୁଇଣ୍ଟାଲ ୭୮ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଅଭିନବ ଉପାୟରେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ମାମଲାରେ ଟ୍ରକ(ଏଚ୍.ଆର ୬୯-ସି-୯୯୨୦) ଜବତ କରାଯିବା ସହ ଉତ୍ତରପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି, ଗତବର୍ଷ ନଭେମ୍ବରରେ ପଟ୍ଟାଙ୍ଗୀ ପୁଲିସ ଏକ ୧୦ ଚକିଆ ଟ୍ରକରେ ରାୟପୁର ଯାଉଥିବା ୪ କୁଇଣ୍ଟାଲ ୬୩ କେଜି ୪୮୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା । ବିଶେଷକରି ଗ୍ରୀନ କ୍ଲିନ ଅଭିଯାନରେ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ଶହେରୁ ଅଧିକ ଗଞ୍ଜେଇ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏହିସବୁ ମାମଲାରେ ଶତାଧିକ ବ୍ୟକ୍ତି ଗିରଫ ହୋଇଛନ୍ତି ।
Comments are closed, but trackbacks and pingbacks are open.